ମୁମ୍ବାଇ: ରେଳ ଷ୍ଟେସନରେ ଗୀତ ଗାଇ ଭିକ ମାଗୁଥିବା ରାନୁ ମଣ୍ଡଳ ରାତାରାତି ସୋସିଆଲ ମିଡିଆରେ ଷ୍ଟାର ପାଲଟିଥିଲେ। ରାନୁଙ୍କର ଗୀତ ଗାଇବାର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାପରେ ପ୍ରଖ୍ୟାତ ବଲିଉଡ ଗାୟକ ହିମେଶ ରେଶମିୟା ତାଙ୍କୁ ସିନେମାରେ ଗୀତ ଗାଇବାର ଅଫର୍ ମଧ୍ୟ ଦେଇଥିଲେ। ସେ ଗାଇଥିବା ଗୀତ ‘ତେରି ମେରି କାହାନୀ’ ମଧ୍ୟ ଭାଇରାଲ ହେବା ସହ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା।
କିଛିଦିନ ହେବ କିନ୍ତୁ ରାନୁମଣ୍ଡଳଙ୍କ ସ୍ୱଭାବରେ ପରିବର୍ତ୍ତନ ଦେଖା ଦେଇଛି। ଯେଉଁଥିପାଇଁ ରାନୁଙ୍କ ପ୍ରଶଂସକମାନେ ତାଙ୍କୁ ଟିକେ ବ୍ୟବହାର ଶିଖନ୍ତୁ ବୋଲି ପରାମର୍ଶ ଦେଇଥିଲେ। ସୋସିଆଲ ମିଡିଆରେ ବ୍ୟବହାରକାରୀ ରାନୁଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।
ନିକଟରେ ଆୟୋଜିତ ଏକ ଫ୍ୟାଶନ୍ ସୋ’ରେ ରାନୁ ମଣ୍ଡଳ ମୁଣ୍ଡରେ ଗୋଲାପ ଏବଂ ମୁହଁରେ ଅତ୍ୟଧିକ ମେକ୍ଅପ୍ ନେଇ ର଼୍ୟାମ୍ପରେ ଚାଲିଥିଲେ। ଯାହାର କିଛିଟା ଫଟୋ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଥିଲା। ଏହି ଫଟୋ ସାମ୍ନାକୁ ଆସିବା ପରେ ରାନୁଙ୍କୁ ବିଭିନ୍ନ ମିମ୍ସ କରି ସୋସିଆଲ ମିଡିଆ ବ୍ୟବହାରକାରୀ ଟ୍ରୋଲ କରିଛନ୍ତି। ରାନୁଙ୍କ ର଼୍ୟାମ୍ପ୍ ଫଟୋ ସହ ହିମେଶଙ୍କ ଫଟୋ ଯୋଡି ଦର୍ଶକ ତାଙ୍କ ‘କପଲ୍ସ ଅଫ୍ ଦ ଇୟର’ କହି ଟ୍ରୋଲ୍ କରିଛନ୍ତି।