ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତା ସ୍ବାମୀ ରଣବୀର ସିଂହଙ୍କ ବୈବାହିକ ଜୀବନ ଭଲ ଚାଲିନାହିଁ ବୋଲି ଖବର ଚର୍ଚ୍ଚାରେ ରହିଛି। ଏହି ଚର୍ଚ୍ଚା ଭିତରେ ଦୀପିକା ପାଦୁକୋନ ଓ ରଣବୀର କରଣଙ୍କ ଟକ୍ ସୋ’ରେ ଯୋଗ ଦେଇ ନିଜ ସଂପର୍କକୁ ନେଇ ଖୋଲାଖୋଲି ଭାବେ ଆଲୋଚନା କରିବା ସହିତ ଦୁହେଁ ତାଙ୍କ ଜୀବନରେ ଖୁସି ଥିବା କହିଥିଲେ।
ତେବେ ଏଭଳି ଆଲୋଚନା ମଧ୍ୟରେ ଦୀପିକା ଓ ରଣବୀର ଦୁହେଁ ତାଙ୍କ ବୈବାହିକ ଜୀବନରେ ଖୁସିଥିବାର ଆଉ ଏକ ଉଦାହରଣ ନିକଟରେ ଆୟୋଜିତ ହୋଇଥିବା ଅମ୍ବାନିଙ୍କ ଭୋଜିରେ ଦେଇଥିଲେ।
ଅମ୍ବାନିଙ୍କ ପାରିବାରିକ ପାର୍ଟିରେ ଅନେକ ଷ୍ଟାର ଓ ନାମୀଦାମୀ ଲୋକେ ଯୋଗ ଦେଇଥିଲେ। ଏହି କ୍ରମରେ ରଣବୀର ଓ ଦୀପିକା ବି ପହଁଞ୍ଚିଥିଲେ। ଏହି ସମୟରେ ଭିଡ଼ ମଧ୍ୟରେ ରଣବୀର ଦୀପିକାଙ୍କ ଗାଲରେ ଚୁମ୍ବନ ଭରି ଦେଇଥିଲେ। ଯାହାକୁ ଦେଖି ପାର୍ଟିରେ ଉପସ୍ଥିତ ଥିବା ଲୋକେ ଚକିତ ହୋଇଯାଇଥିଲେ। ଏହି ଘଟଣା ସମୟରେ ସାମ୍ନାରେ ଉପସ୍ଥିତ ଥିବା ନୀତା ଅମ୍ବାନୀ ବି ଦୀପିକାଙ୍କୁ ରଣବୀର ଚୁମ୍ଭନ ଦେଉଥିବା ଦେଖି ହସି ଦେଇଥିଲେ।
ଦୁହିଁଙ୍କ ରୋମାଣ୍ଟିକ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏହା ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ସୋସିଆଲ ମିଡିଆ ବ୍ୟବହାରକାରୀ ରଣବୀରଙ୍କ ଏହି ଚୁମ୍ବନକୁ ବାସ୍ତବ ବୋଲି ଗ୍ରହଣ କରୁ ନାହାନ୍ତି। ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ରଣବୀର ଓ ଦୀପିକାଙ୍କ ବୈବାହିକ ଜୀବନ ଭଲରେ ଚାଲି ନଥିବାର ଖବର ଉଠିଥିବାରୁ ଅଭିନେତା ନିଜର ଇମେଜ କଣ୍ଟ୍ରୋଲ କରିବା ପାଇଁ ଏଭଳି କରିଛନ୍ତି।’