ସଉକିଆ ରଣବୀର

ଇଟାଲୀର ପ୍ଲୋରେନ୍ସରେ ଥିବା ‘ଗୁଚି’ ହେଉଛି ଏକ ଫ୍ୟାସନ ହାଉସ୍। ଏହି ହାଉସ୍‌ରୁ ସବୁ ପ୍ରକାର ପୋଷାକ, ଜୋତା, ପଗଡ଼ି ବା ଟୋପି, ପରଫ୍ୟୁମ୍ ଆଦି ସମାଗ୍ରୀ ମିଳିଥାଏ। ନିକଟରେ ବଲିଉଡ୍ ଅଭିନେତା ରଣବୀର ସିଂହ ସେଇ ହାଉସ୍‌ରୁ ଏମିତି ଏକ ପୋଷାକ ଆଣି ପିନ୍ଧିଛନ୍ତି ତାହା ଦେଖିଲେ ଯେ କେହି ତାଜୁବ ହେବେ। ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ରଣବୀର ନିଜର ଯେତେ ଫଟୋ ପୋଷ୍ଟ କରୁଛନ୍ତି, ତାହା କୌତୁକିଆ ଲାଗୁଛି। କିଛିଦିନ ତଳେ ସେ ଏମିତି ଏକ ପୋଷାକ ପିନ୍ଧି ଫଟୋ ପୋଷ୍ଟ କରିଥିଲେ ଯେ ଅନେକ ତାଙ୍କୁ କମେଣ୍ଟ ବକ୍ସରେ ଲେଖିଥିଲେ ‘ରଣବୀର ତୁମ ଗେଟ୍‌ଅପ୍ ବିଲକୁଲ ବିଲକ୍ଷଣ’। ଆଉ କିଏ କହୁଛି ‘ସଉକିଆ ରଣବୀର’।

ଏଥର ଏକ ସବୁଜ ରଙ୍ଗର ଜର୍ସି ଜ୍ୟାକେଟ୍ ପିନ୍ଧି ସେ ଅଦ୍ଭୁତ ପ୍ରକାର ପୋଜ୍ ଦେଇଛନ୍ତି। ଏହି ଜ୍ୟାକେଟ୍‌ର କିଛି ଅଂଶରେ ମଧ୍ୟ ନୀଳ ଓ ନେଭି ରଙ୍ଗ ରହିଛି। ପୁଣି ଛାତି ଉପରେ ଧଳା ରଙ୍ଗର ଏକ ଗାର ପଡ଼ିଛି। ଶୁଣାଯାଉଛି ଏହାର ଦାମ୍ କୁଆଡ଼େ ୨୧ ମିଲିଅନ୍ ଡଲାର ଯାହାର ଭାରତୀୟ ଟଙ୍କାରେ ୧, ୫୬, ୨୯୭ ହେବ। ନିଜ ରୂପରେ ଚକିତ କଲାଭଳି ଲୁକ୍ ଆଣିବାକୁ ରଣବୀର ପ୍ରାୟ ସମୟରେ ଏମିତି ପୋଷାକ, ଜୋତା, ହେୟାର ବ୍ୟାଣ୍ଡ ଆଦି ପିନ୍ଧିଥାନ୍ତି। ପୁଣି ଫଟୋ ତଳେ ସେ କ୍ୟାପ୍‌ସନ୍ ଲେଖିଛନ୍ତି ‘ଫାଇଣ୍ଡ ଇଓର୍ ଚି’, ସୋ ଆଇ ଡିଡ୍’।

ଏବେ ୟଶ୍‌ରାଜ୍‌ ଫିଲ୍ମସ୍‌ ବ୍ୟାନରରେ ରଣବୀର ନୂଆ ସିନେମା ‘ଜୟେଶ ଭାଇ ଜୋରଦାର’ରେ କାମ କରୁଛନ୍ତି। ଏହା ବ୍ୟତୀତ ରୋହିତ ସେଟ୍ଟୀ ନିର୍ଦ୍ଦେଶିତ ‘ସର୍କସ୍’, ‘ସୂର୍ଯ୍ୟବଂଶୀ’, କବୀର ଖାନ୍‌ଙ୍କ ‘୮୩’ ଏବଂ ଧର୍ମା ପ୍ରଡକ୍ସନ୍‌ରେ ନିର୍ମିତ ‘ରକ୍କି ଔର୍ ରାଣୀ କି ପ୍ରେମ୍ କହାନୀ’ରେ ଆଲିଆ ଭଟ୍ଟଙ୍କ ବିପକ୍ଷର ନାୟକ ସାଜିଛନ୍ତି ରଣବୀର। ଏହା ସହିତ ରଣବୀର ଟିଭି ସୋ’ ‘ଦ ବିଗ୍ ପିକଚର’ ଓ ୱେବ୍ ସିରିଜ୍ ‘ବିୟର ଗ୍ରିଲ୍‌ସ’ରେ ମଧ୍ୟ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି।

ସମ୍ବନ୍ଧିତ ଖବର