ରାଗିଲେ ଦକ୍ଷିଣୀ ସିନେମାର ଏବେକାର ଚର୍ଚ୍ଚିତ ଅଭିନେତ୍ରୀ ରଶ୍ମିକା ମନ୍ଦାନା

ଅନେକ ମୋତେ ପ୍ରଶଂସା କରୁଥିଲେ ମଧ୍ୟ କେହି କେହି ସୋସିଆଲ୍ ମିଡିଆରେ ମୋତେ ପରିହାସ କରୁଛନ୍ତି। ସମୟ ଓ ସୁଯୋଗକୁ ଅପେକ୍ଷା କରିଛି, ସେମାନଙ୍କୁ ମୁଁ ଆଦୌ ଛାଡ଼ିବିନି। ନିଜକୁ ମିଳିଥିବା କିଛି ବ୍ୟଙ୍ଗାତ୍ମକ ମନ୍ତବ୍ୟକୁ ନେଇ ରାଗିପାଚି ଲାଲ୍ ପଡ଼ିଯାଇଛନ୍ତି ଦକ୍ଷିଣୀ ସିନେମାର ଏବେକାର ଚର୍ଚ୍ଚିତ ଅଭିନେତ୍ରୀ ରଶ୍ମିକା ମନ୍ଦାନା। ତାଙ୍କ ସହିତ କରାଯାଇଥିବା ଏଭଳି ଥଟ୍ଟାତାମସାକୁ ସେ ସହଜରେ ଗ୍ରହଣ କରିପାରିନାହାଁନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କୁ କରାଯାଇଥିବା ପରିହାସପୂର୍ଣ୍ଣ ମନ୍ତବ୍ୟରେ ସେ ହତୋତ୍ସାହିତ ହୋଇପଡ଼ିଛନ୍ତି।

ଦକ୍ଷିଣୀ ସିନେମା ଇଣ୍ଡଷ୍ଟ୍ରିର ପରିଚିତ ଅଭିନେତା ବିଜୟଙ୍କ ବିପକ୍ଷର ନାୟିକା ସାଜିଛନ୍ତି ରଶ୍ମିକା ‘ବାରିସୁ’ ଚଳଚ୍ଚିତ୍ରରେ। ସେ ଗଣମାଧ୍ୟମ ପ୍ରଶ୍ନରେ ଉତ୍ତର ଦେଇଥିବା କିଛି କଥାକୁ ଭୁଲ୍ ଭାବରେ ପରିବେଷଣ କରାଯାଇଛି। ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଇ ତାଙ୍କୁ ଆହୁରି ବ୍ୟଥିତ କରିଛି। ଚଳଚ୍ଚିତ୍ର ‘ପୁଷ୍ପା: ଦ ରାଇଜ୍’ର କାହାଣୀ ଏକ ସୁନ୍ଦର ପୃଷ୍ଠଭୂମିକୁ ନେଇ ପର୍ଯ୍ୟବସିତ। ଏଥିରେ ଆଲ୍ଲୁ ଅର୍ଜୁନ ପୁଷ୍ପା ରାଜ ହେଇଥିବା ବେଳେ ରଶ୍ମିକା ତାଙ୍କ ପତ୍ନୀ ଶ୍ରୀବାଳୀ ଭୂମିକାରେ ଅବତୀର୍ଣ୍ଣ ହେଇଥିଲେ। ତାଙ୍କୁ ଯେଉଁମାନେ ବ୍ୟଙ୍ଗ କରି ଲେଖିଛନ୍ତି ତାହାର ମୁହଁତୋଡ୍ ଜବାବ ମଧ୍ୟ ଦେଇଛନ୍ତି ରଶ୍ମିତା। ସେ ଏଭଳି ମନ୍ତବ୍ୟ ତଳେ ନିଜେ ମଧ୍ୟ କ୍ୟାପସନ୍ ଲେଖିଛନ୍ତି।

ଏକ କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି- ଆଇ ଆମ୍ ଏ ପଞ୍ଚିଙ୍ଗ୍ ବ୍ୟାଗ୍ ଅଫ୍ ଦ ଟ୍ରୋଲ୍‌ସ। ଅଭିନୟ ଜଗତରେ ପାଦ ଦେବାଠାରୁ ମୁଁ ଅନେକ ପ୍ରତିବନ୍ଧକର ସାମ୍‌ନା କରିଛି। ତେବେ ବି ମୋତେ ମିଳୁଥିବା ଚରିତ୍ର ମାଧ୍ୟମରେ ମୁଁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିଆସିଛି। ଦର୍ଶକ ମୋତେ ଭଲପାଉଥିବାରୁ ମୁଁ ଗର୍ବିତ। ଆଉ ଯେଉଁମାନେ ଭାବୁଛନ୍ତି ମୁଁ ସମସ୍ତଙ୍କ ପାଇଁ ‘କପେ ଚା’ ପରି, ସେମାନେ ତାହା ଭୁଲିଯାଆନ୍ତୁ। ମୁଁ ଅଭିନେତ୍ରୀ ହେଲେ ବି ମୋର ବ୍ୟକ୍ତିଗତ ଜୀବନ ଅଛି, ମୋର ମଧ୍ୟ ସ୍ବାଭିମାନ ଅଛି। ମୁଁ ଗୋଟେ ଖେଳନା କଣ୍ଢେଇ ନୁହେଁ, ଯିଏ ଯେମିତି ଚାହିବ, ମୋତେ ସେମିତି ନଚେଇବ। ଏହା ଆଦୌ ସମ୍ଭବ ନୁହେଁ। ହଉ ଯେଉଁମାନେ ମୋତେ ଯାହା ଭାବୁଛନ୍ତି ଭାବନ୍ତୁ, ହେଲେ ମୁଁ ସେଥିରେ ଦୁଃଖିତ ନୁହେଁ। ଯେଉଁମାନେ ମୋଠାରୁ ନେଇଥିବା ସାକ୍ଷାତକାରକୁ ବିକୃତ ଭାବେ ପରିବେଷଣ କରିଛନ୍ତି ସେମାନଙ୍କୁ ମଧ୍ୟ ମୁଁ ନିଜ ଗୁଣରେ କ୍ଷମାକରୁଛି। ଆଉ ଅନୁରୋଧ କରୁଛି, କୌଣସି ବ୍ୟକ୍ତିର ଅନ୍ତର କଥାକୁ ସେମାନେ ଏଭଳି ଭୁଲ୍ ଭାବରେ ପାଠକ ବା ଦର୍ଶକଙ୍କ ନିକଟରେ ପହଞ୍ଚାନ୍ତୁ ନାହିଁ, ଯାହାଦ୍ବାରା ଜଣଙ୍କ ବ୍ୟକ୍ତିଗତ ସ୍ବାଭିମାନ ନଷ୍ଟ ହେବ।

କିରକ୍ ପାର୍ଟି, ଅଞ୍ଜନୀ ପୁତ୍ର, ଚମକ୍, ଗୀତଗୋବିନ୍ଦମ୍, ଦେବଦାସ, ଡିୟର କମ୍ରେଡ୍, ଭୀଷ୍ମ, ସୁଲତାନ, ସୀତାରାମମ୍, ଗୁଡବାଏ ଆଦି ଚଳଚ୍ଚିତ୍ରର ନାୟକା ରଶ୍ମିକା ଆଗକୁ ମିସନ୍ ମଜନୁ, ଆନିମଲ୍, ପୁଷ୍ପା: ଦ ରୁଲ୍ ଆଦିରେ ମଧ୍ୟ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବେ।

ସମ୍ବନ୍ଧିତ ଖବର