ନୂଆଦିଲ୍ଲୀ: ୨୦୨୧ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ 'ପୁଷ୍ପା: ଦ ରାଇଜ୍' ବକ୍ସ ଅଫିସରେ ରୋଜଗାରର ସମସ୍ତ ରେକର୍ଡ ଭାଙ୍ଗିଥିଲା। ଫିଲ୍ମର କାହାଣୀ ସହିତ ପ୍ରଶଂସକମାନେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନଙ୍କ ରୋମାଣ୍ଟିକ କେମେଷ୍ଟ୍ରିକୁ ମଧ୍ୟ ପସନ୍ଦ କରିଥିଲେ। କିନ୍ତୁ ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ 'ପୁଷ୍ପା: ଦ ରୁଲ'ରେ ଆଉ ଜଣେ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ । ଆଜ୍ଞା ହଁ, ରିପୋର୍ଟ ଅନୁଯାୟୀ ନିର୍ମାତାମାନେ 'ପୁଷ୍ପା: ଦ ରୁଲ'ରେ ଅଭିନେତ୍ରୀ ସାଇ ପଲ୍ଲବୀଙ୍କୁ ଆଣିବା ପାଇଁ ଆଲୋଚନା କରୁଛନ୍ତି।
'ପୁଷ୍ପା: ଦ ରାଇଜ୍'ର ସଫଳତା ପରେ ରଶ୍ମିକା ମନ୍ଦନା ଜଣେ ପ୍ୟାନ୍ ଇଣ୍ଡିଆ ଷ୍ଟାର ହୋଇଥିବାବେଳେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଏହି ଚଳଚ୍ଚିତ୍ରରେ ସେ ଶ୍ରୀବଲି ଚରିତ୍ରରେ ଅଭିନୟ କରିଥିଲେ, ଯାହାଙ୍କୁ ପୁଷ୍ପା ଓରଫ ଅଲୁ ଅର୍ଜୁନ ନିଜ ମନ ଦେଇବସିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରଥମ ଭାଗର ସଫଳତା ପରେ 'ପୁଷ୍ପା: ଦି ରୁଲ' ନିର୍ମାତା ସାଇ ପଲ୍ଲବୀଙ୍କ ନିକଟକୁ ଯାଇଥିବା ଖବର ଆସିଛି।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସାଇ ଫିଲ୍ମରେ ରଶ୍ମିକା ମନ୍ଦନାଙ୍କ ସ୍ଥାନ ନେବେ ନାହିଁ। ସାଇ ଫିଲ୍ମରେ ପୁଷ୍ପା ରାଜଙ୍କ ଭଉଣୀ ଭୂମିକାରେ ନଜର ଆସିବେ , ଯେଉଁଥିପାଇଁ ନିର୍ମାତାମାନେ ତାଙ୍କ ପାଖକୁ ଯାଇଥିଲେ। ତେବେ ଏହି ଖବର ଉପରେ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ। ସତରେ ସାଇଙ୍କୁ ଫିଲ୍ମ ଅଫର ହୋଇଛି କି ନାହିଁ, ସେ ଅଲୁ ଅର୍ଜୁନଙ୍କ ଭଉଣୀ ଭୂମିକା କରିବାକୁ ରାଜି ହୋଇଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।