କାଷ୍ଟିଂ କାଉଚକୁ ନେଇ ରବିଙ୍କ ଖୁଲାସା, ବଲିଉଡର ବଡ଼ ନାଁ ହୋଇଥିବାରୁ ପରିଚୟ ଦେବାକୁ ମନା କଲେ ଅଭିନେତା

ମୁମ୍ବାଇ: କାଷ୍ଟିଂ କାଉଚ୍ ହେଉଛି ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଏଭଳି ଅପ୍ରିୟ ସତ୍ୟ, ଯାହାକୁ ଅସ୍ୱୀକାର କରାଯାଇପାରିବ ନାହିଁ। ପୂର୍ବରୁ ଅନେକ ଅଭିନେତ୍ରୀ ଏହାର ଶିକାର ହୋଇଥିବା ନେଇ ପ୍ରକାଶ କରିଥିବା ବେଳେ ଏବେ ଜଣେ ଅଭିନେତା ନିଜ କାଷ୍ଟିଂ କାଉଚର ଅଭିଜ୍ଞତା ବଖାଣିଛନ୍ତି। ଅଭିନେତା ତଥା ରାଜନେତା ରବି କିଶନ କାଷ୍ଟିଂ କାଉଚର ଶିକାର ହେବା ପୂର୍ବରୁ ନିଜକୁ ବଞ୍ଚାଇ ଦେଇଥିଲେ ବୋଲି କହିଛନ୍ତି।

ରବି କିଶନ ଏକ ସାକ୍ଷାତକାର ସମୟରେ କହିଛନ୍ତି ଯେ ଯେତେବେଳେ ସେ ଇଣ୍ଡଷ୍ଟ୍ରିରେ ସଂଘର୍ଷ କରୁଥିଲେ, ତାଙ୍କୁ ମଧ୍ୟ ଏହି ଖରାପ ପର୍ଯ୍ୟାୟ ଦେଇ ଗତି କରିବାକୁ ପଡ଼ିଥିଲା। ସାକ୍ଷାତକାର ସମୟରେ ଯେତେବେଳେ ତାଙ୍କୁ କାଷ୍ଟିଂ କାଉଚ ବିଷୟରେ ପଚରାଗଲା, ଅଭିନେତା କହିଥିଲେ, ହଁ; ମୋ ସହ ବି ଏହା ଘଟିଛି। ଇଣ୍ଡଷ୍ଟ୍ରିରେ ଏଭଳି ଘଟଣା ଘଟେ। ମୁଁ ବର୍ତ୍ତମାନ ତାଙ୍କ ନାଁ କହି ପାରିବି ନାହିଁ। କାରଣ ବର୍ତ୍ତମାନ ସେ ଇଣ୍ଡଷ୍ଟ୍ରିର ବଡ ନାଁ ପାଲଟିଛନ୍ତି। ସେ ମୋତେ ଫିଲ୍ମ ଦେବା ପୂର୍ବରୁ ରାତିରେ କଫି ପିଇବାକୁ ଡାକିଥିଲେ। ତାଙ୍କର ଏଭଳି ପ୍ରସ୍ତାବ ପାଇ ମୁଁ ଭାବିଥିଲି କଫି ତ ଦିନରେ ପିଆଯାଏ, ରାତିରେ ମୋତେ କାହିଁକି ଡାକୁଛନ୍ତି। ଏହା ପରେ ମୁଁ ସତର୍କ ହେବା ସହ ତାଙ୍କୁ ଦେଖା କରିବାକୁ ମନା କରିଥିଲି।

ଉଲ୍ଲେଖଯୋଗ୍ୟ, ରବି କିଶନଙ୍କୁ ପ୍ରଥମେ ହିନ୍ଦୀ ଚଳଚ୍ଚିତ୍ର ପିତାମ୍ବରରେ ଦେଖିବାକୁ ମିଳିଥିଲା ​। ଏହା ପରେ ସେ ‘ଆର୍ମି’, ‘ହେରା ଫେରି’, ‘ତେରେ ନାମ’, ‘ଲକ୍’, ‘ଏଜେଣ୍ଟ ବିନୋଦ’, ‘ମୁକ୍କାବାଜ’ରେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କୁ ଶେଷ ଥର ପାଇଁ ‘ଲଭ୍ ୟୁ ଲୋକତନ୍ତ୍ର’ରେ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଅଭିନେତାଙ୍କୁ ଓଟିଟି ପ୍ଲାଟଫର୍ମ ଖାକି: ଦି ବିହାର ଚାପ୍ଟାରେ ମଧ୍ୟ ଦେଖିବାକୁ ମିଳିଥିଲା ​।

ସମ୍ବନ୍ଧିତ ଖବର