ନୂଆଦିଲ୍ଲୀ: ୨୦୨୩ ଆରମ୍ଭରୁ ରିଲିଜ୍ ହୋଇଥିବା ଫିଲ୍ମ ‘ପଠାନ’ରେ କମାଲ କରିବା ପରେ ଏବେ ନିଜ ପ୍ରଶଂସକଙ୍କ ପାଇଁ ଆଉ ଏକ ଫିଲ୍ମ ନେଇ ଆସୁଛନ୍ତି ଶାହରୁଖ ଖାନ୍। ଆଗକୁ ତାଙ୍କର ଅନେକ ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ଗତ ମାସରେ ଫିଲ୍ମ ‘ଯବାନ’ର ପ୍ରିଭ୍ୟୁ ଭିଡିଓ ରିଲିଜ୍ ହୋଇଥିଲା। ପ୍ରିଭ୍ୟୁ ଭିଡିଓ ରିଲିଜ୍ ହେଉ ହେଉ ଏହାକୁ ଦର୍ଶକଙ୍କ ଭଲପାଇବା ମିଳିଥିବା ବେଳେ ଫିଲ୍ମଟି ବଡ଼ ବଡ଼ ବ୍ଲକବଷ୍ଟର ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି ଦର୍ଶକ କହିବା ଆରମ୍ଭ କରିଥିଲେ।
ଆଜିକାଲି ଶାହାରୁଖ ଖାନଙ୍କ ‘ଯବାନ’ ଫିଲ୍ମକୁ ନେଇ ଖୁବ୍ ଆଲୋଚନା ହେଉଛି। ଫିଲ୍ମର ଦ୍ୱିତୀୟ ଗୀତ ରିଲିଜ୍ ହେବାକୁ ପ୍ରସ୍ତୁତ ଥିବାବେଳେ ‘ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ’ର ଅଭିଯୋଗ ଅନୁଯାୟୀ, ଫିଲ୍ମର କ୍ଲିପ୍ ଚୋରି ହୋଇଛି। ଏହି ଅଭିଯୋଗରେ ଜଣେ ଅଜଣା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସ୍ ଏ ନେଇ ସୂଚନା ପ୍ରଦାନ କରିଛି।
‘ଯବାନ’ ଚଳଚ୍ଚିତ୍ର ସୁଟିଂ ସମୟରେ ସେଟ୍ରେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଏବଂ ଏଥିରେ ସୁଟିଂ କରିବା ନିଷେଧ ଥିବା ସତ୍ତ୍ବେ ବି କେହି ଜଣେ କମ୍ପାନିର ବିନା ଅନମତିରେ କ୍ଲିପ୍ ଚୋରି କରି ସୋସିଆଲ ମିଡିଆ ସାଇଟ୍ ଏକ୍ସରେ କ୍ଲିପ୍ ଭାଇରାଲ କରିଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଅଭିଯୋଗ ହୋଇଛି।
ଅଭିଯୋଗରେ ଏହା ମଧ୍ୟ ଦାବି କରାଯାଇଛି ଯେ କମ୍ପାନି ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟରେ ଏକ ବ୍ୟବସାୟିକ ମକଦ୍ଦମା ଦାୟର କରିଛି। ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ଭିଡିଓ କ୍ଲିପ୍ ପୋଷ୍ଟ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ କପି ରାଇଟ୍ ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛି କମ୍ପାନି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।