ମୁମ୍ବାଇ :ଚଳିତ ବର୍ଷର ବହୁପ୍ରତିକ୍ଷୀତ ହିନ୍ଦୀ ଚଳଚ୍ଚିତ୍ର ‘ପଦ୍ମାବତୀ’ର ଟ୍ରେଲର୍ ଆଜି ରିଲିଜ୍ ହୋଇଛି।ଭାରତୀୟ ଇତିହାସର ଏକ ବହୁଚର୍ଚ୍ଚିତ ଆଖ୍ୟାନକୁ ନେଇ ନିର୍ମିତ ହୋଇଥିବା ‘ପଦ୍ମାବତୀ’ରେ ମୁଖ୍ୟ ଭୂମିକାରେ ଦୀପିକା ପାଦୁକୋନ୍, ସାହିଦ୍ କପୁର୍ ଓ ରଣବୀର୍ ସିଂହ ରହିଛନ୍ତି। ସଂଜୟ ଲୀଲା ଭଂସାଲୀଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ଏହି ମ୍ୟାଗ୍ନମ୍ ଓପସ୍ ନିର୍ମାଣ ବେଳରୁ ହିଁ ଚର୍ଚ୍ଚାରେ ରହିଆସୁଛି। ଏହି ଐତିହାସିକ ଛବିରେ ତତ୍କାଳୀନ ମୋଗଲ ଶାସକ ଓ ରାଜପୁତ୍ଙ୍କ ମଧ୍ୟରେ ହୋଇଥିବା ବୀରତ୍ୱପୂର୍ଣ୍ଣ ଲଢ଼େଇକୁ ଉପସ୍ଥାପିତ କରାଯାଇଛି।
ଦୀପିକା ପାଦୁକୋନ୍ ରାଣୀ ପଦ୍ମିନୀ (ପଦ୍ମାବତୀ) ଭୂମିକା ନିଭାଇଥିବାବେଳ ସାହିଦ୍ କପୁର୍ ତାଙ୍କର ପତି ମହାରାଓ୍ଵଲ୍ ରତନ୍ ସିଂ ଏବଂ ରଣବୀର୍ ସିଂହ ଆଲ୍ଲାଉଦ୍ଦିନ୍ ଖିଲ୍ଜୀ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ରାଣୀ ପଦ୍ମିନୀଙ୍କ ସୌନ୍ଦର୍ଯ୍ୟମୁଗ୍ଧ ଆଲାଉଦ୍ଦିନ୍ ଖିଲ୍ଜୀଙ୍କ ଚିତ୍ତୋର ଆକ୍ରମଣ ଏବଂ ରାଣୀଙ୍କୁ ଦର୍ପଣରେ କେବଳ ଥରେ ମାତ୍ର ଦେଖିବାର ଅଭିଳାଷ ଓ ଶେଷରେ ରାଣୀ ପଦ୍ମାବତୀଙ୍କର ବିଷପାନ ଆଦି ଘଟଣାକୁ ବେଶ୍ ଆକର୍ଷିତ ଶୈଳୀରେ ନିର୍ଦ୍ଦେଶକ ଭଂସାଲୀ ଉପସ୍ଥାପନ କରିଛନ୍ତି।
ଆଶା ମୁତାବକ ‘ପଦ୍ମାବତୀ’ର ଟ୍ରେଲର୍ରୁ ହିଁ ଜଣାପଡ଼ିଛି କିଭଳି ହୋଇଥିବ ଫିଲ୍ମ। ଏଥିରେ ପ୍ରଦର୍ଶିତ ଯୁଦ୍ଧ ଏବଂ ମଧ୍ୟଯୁଗୀୟ ଭାରତର ଆଦବ କାଇଦା ,ବେଶଭୂଷା ଇତ୍ୟାଦି ଦର୍ଶକଙ୍କୁ ଆକର୍ଷଣ କରିବାକୁ ଯଥେଷ୍ଟ। ନିର୍ଦ୍ଦେଶକ ଭଂସାଲୀ ତାଙ୍କ ଶୈଳୀରେ ଏହାକୁ ଅତ୍ୟନ୍ତ ସୃଜନାତ୍ମକ ଢ଼ଙ୍ଗରେ ଉପସ୍ଥାପିତ କରିଛନ୍ତି। ଭବ୍ୟ ସେଟ୍ ନିର୍ମାଣ କରାଯାଇ ସୁଟିଂ ହୋଇଥିବା ଏହି ଛବିର ପ୍ରତିଟି ଦୃଶ୍ୟ ଜୀବନ୍ତ ମନେହେଉଛି। ପରିୟଡ଼୍ ଫିଲ୍ମ ନିର୍ମାଣରେ ସିଦ୍ଧହସ୍ତ ଭଂସାଲୀଙ୍କ ଏହା ଆଉ ଏକ ସଫଳ ପ୍ରକଳ୍ପ ହେବ ବୋଲି ଆଶା କରାଯାଉଛି।
ଅନ୍ୟପକ୍ଷରେ ଫିଲ୍ମର ତିନି ମୁଖ୍ୟ କଳାକାରଙ୍କୁ ଆକର୍ଷଣୀୟ କଷ୍ଟ୍ୟୁମ୍ ଜରିଆରେ ପେଶ୍ କରିଛନ୍ତି ସଂଜୟ। ସଂଜୟଙ୍କ ସିନେମାରେ ହିଁ ଦୀପିକା-ରଣବୀର୍ ଯୋଡ଼ି ପ୍ରଥମ କରି ଦର୍ଶକଙ୍କ ସାମ୍ନାକୁ ଆସିଥିଲେ। ‘ଗୋଲିୟୋଁ କି ରାସଲୀଲା-ରାମ୍ଲୀଲା’ଛବି ଏହି ଯୋଡ଼ିଙ୍କୁ ଲଞ୍ଚ୍ କରିଥିଲେ ଭଂସାଲୀ। ଏହାପରେ ‘ବାଜିରାଓ ମସ୍ତାନୀ’ରେ ମଧ୍ୟ ଏହି ଯୋଡ଼ିଙ୍କୁ ଦେଖିବାକୁ ମିଳିଥିଲା। ମାତ୍ର ‘ପଦ୍ମାବତୀ’ରେ ରଣବୀରଙ୍କୁ ନକାରାତ୍ମକ ଚରିତ୍ରରେ ଦେଖିବାକୁ ମିଳିଛି। ଦୀପିକାଙ୍କ ବିପକ୍ଷରେ ଅସୁଛନ୍ତି ସାହିଦ୍ କପୁର୍। ଡ଼ିସେମ୍ବର ୧ ରେ ରିଲିଜ୍ ହେବାକୁ ଥିବା ‘ପଦ୍ମାବତୀ’ରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଦିତି ରାଓ ହାଇଦରୀ ମଧ୍ୟ ଆସୁଛନ୍ତି।