ମନେପଡ଼େ ଡିଡିଏଲ୍‌

ପାରିବାରିକ ପ୍ରେମ କାହାଣୀ ଏବଂ ମ୍ୟୁଜିକାଲ୍ ସୁପରହିଟ୍ ଚଳଚ୍ଚିତ୍ର ‘ଦିଲ୍‌ବାଲେ ଦୁଲହନିଆଁ ଲେ ଜାଏଙ୍ଗେ’ ୨୬ ବର୍ଷରେ ପାଦ ଦେବା ପରେ ଅଭିନେତ୍ରୀ କାଜଲଙ୍କ ସ୍ମୃତିମନ୍ଥନ କରିଛି। ବିପକ୍ଷର ନାୟକ ଶାହାରୁଖ୍‌ ଯେତେ ମନେପଡ଼ୁନାହାଁନ୍ତି ତା’ଠାରୁ ଅଧିକ ମନେ ପଡ଼ିଛନ୍ତି ଏଥିରେ ଖଳନାୟକ ଭୂମିକାରେ ଥିବା ଅମରିଶ ପୂରୀ। ଏଥିରେ କାଜଲ ସିମରନ୍ ସିଂହ ଏବଂ ଶାହାରୁଖ୍ ରାଜ ମାଲହୋତ୍ରା ଚରିତ୍ରରେ ଅଭିନୟ କରିଥିଲେ। ୨୫ ବର୍ଷ ଧରି ଏଇ ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେଇଆସୁଛି। ଏହା ଦର୍ଶକଙ୍କୁ ବିସ୍ମିତ କରିପାରେ, ମାତ୍ର ମୁମ୍ବାଇର ମରାଠା ମନ୍ଦିର ସିନେମା ହଲ୍‌ରେ ପ୍ରତିଦିନ ‘ଡିଡିଏଲ୍’ ଚଳଚ୍ଚିତ୍ରଟି ପ୍ରଦର୍ଶିତ ହେଇଆସୁଛି।

କାଜଲ କେବଳ ମନେ ପକାଇନାହାଁନ୍ତି, ଚଳଚ୍ଚିତ୍ରରେ ଥିବା କିଛି ଅବିସ୍ମରଣୀୟ ଦୃଶ୍ୟକୁ ମଧ୍ୟ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ବିବାହ ତ ଦୂରର କଥା ଝିଅ ସିମରନ୍‌କୁ ରାଜ୍ ସହ ଆଖି ମି‌ଶାଇବାକୁ ବି ବାରଣ କରୁଥିଲେ ବାପା ଚୌଧୁରୀ ବଳଦେବ ସିଂହ। ପରସ୍ପରକୁ ଜୀବନଠାରୁ ଅଧିକ ଭଲପାଉଥିବା ରାଜ୍-ସିମରନ୍ ପ୍ରେମୀଯୋଡ଼ି ବିରହରେ ଛଟପଟ ହେଉଥିଲେ। ପ୍ରେମକୁ ହାତପାଆନ୍ତାରେ ପାଇବା ପାଇଁ ଦୁହିଙ୍କୁ ବହୁ ନିର୍ଯାତନା ସହିବାକୁ ପଡ଼ିଥିଲା। ଝିଅକୁ କଟାକ୍ଷ ଦୃଷ୍ଟିଭଙ୍ଗୀରେ ରୁକ୍ଷ ଉଚ୍ଚାରଣରେ ପ୍ରଚଣ୍ଡ ବିରୋଧ କରିଆସୁଥିବା ବାପା ସେଦିନ ରାଜ୍ ସହିତ ସିମରନକୁ ରେଳଗାଡ଼ିରେ ବସାଇ ବିଦା କଲାବେଳେ କହିଥିଲେ, ‘ଯା ସିମରନ୍ ଯା, ଜୀ ଲେ ଅପନୀ ଜିନ୍ଦେଗୀ’। ସ୍ବର୍ଗତ ଅଭିନେତା ଅମରୀଶ ପୂରୀଙ୍କ ଏଇ ଦରଦଭରା ବିଦାୟକୁ ମନେପକାଇ ସିମରନ୍ ଓରଫ କାଜଲ୍ ଆଖି ଛଳଛଳ କରିଛନ୍ତି।

ସମ୍ବନ୍ଧିତ ଖବର