‘ଉର୍ବଶୀ ହଟାଅ, ଋଷଭ ବଞ୍ଚାଅ!’

ଏସିଆ କପ୍‌ର ଏକ କ୍ରିକେଟ୍ ମ୍ୟାଚ୍‌ରେ ପଡ଼ୋଶୀ ଦଳ ପାକିସ୍ତାନ ଠାରୁ ଭାରତୀୟ ଦଳ ପରାସ୍ତ ହେବାକୁ କ୍ରିକେଟ୍‌ପ୍ରେମୀମାନେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। କିଛି ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ନିଜର କ୍ରୋଧ ବ୍ୟକ୍ତ କରିବାକୁ ଯାଇ କେତେକ ନିର୍ଦ୍ଦିଷ୍ଟ କ୍ରିକେଟର୍‌ଙ୍କୁ ଗାଳିଗୁଲଜ କରୁଥିବା ବେଳେ ଆଉ କିଛି ମଜାଳିଆ ମିମ୍ ସାହାଯ୍ୟରେ ପରାଜୟର ବେଦନାକୁ ପ୍ରଶମିତ କରିବାକୁ ଉଦ୍ୟମ କରୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଲା ରବିବାରର ମ୍ୟାଚ୍‌ ସରିବା ପରେ ସାମାଜିକ ଗଣମାଧ୍ୟମରେ ସବୁଠାରୁ ଅଧିକ ବ୍ୟଙ୍ଗବିଦ୍ରୂପର ଶରବ୍ୟ ହୋଇଥିବା ବ୍ୟକ୍ତିଜଣକ କିନ୍ତୁ ଜଣେ କ୍ରିକେଟର୍‌ ନୁହନ୍ତି। ସେ ହେଉଛନ୍ତି ମଡେଲ୍-ଅଭିନେତ୍ରୀ ଉର୍ବଶୀ ରୌତେଲା। କଥା କ’ଣ କି ଦୁବାଇ ଇଣ୍ଟର୍‌ନେସ୍‌ନାଲ୍‌ ଷ୍ଟାଡିଅମ୍‌ରେ ଦ୍ବିତୀୟ ଥର ମୁହାଁମୁହିଁ ହେଉଥିବା ଭାରତ-ପାକିସ୍ତାନ ଦଳର ଖେଳରେ ଉର୍ବଶୀ ଦର୍ଶକ ଗ୍ୟାଲେରିରେ ଉପସ୍ଥିତ ଥିଲେ।

ସ୍ମରଣଯୋଗ୍ୟ ଯେ ନିକଟ ଅତୀତରେ ଉର୍ବଶୀ ଓ ଋଷଭ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଏକାଧିକ ଥର ଝଗଡ଼ା ହେବା ସଭିଏଁ ଦେଖିଥିଲେ। ଏହି ଶୀତଳ ଯୁଦ୍ଧ ଏ ଯାବତ୍‌ ଚାଲିଛି ବୋଲି ଅନୁମାନ କରାଯାଉଛି। ତେଣୁ ଋଷଭ ପନ୍ତ ଯେତେବେଳେ ଉକ୍ତ ମ୍ୟାଚ୍‌ରେ ମାତ୍ର ୧୪ ରନ୍‌ କରି ଆଉଟ୍‌ ହୋଇଗଲେ ସେତେବେଳେ ଉର୍ବଶୀଙ୍କ ଉପସ୍ଥିତିକୁ କେତେକ ପ୍ରଶଂସକ ଦୋଷାରୋପ କରିବା ଆରମ୍ଭ କରିଦେଲେ। ଜଣେ ଟୁଇଟର୍‌ରେ ବ୍ୟଙ୍ଗ କରି ଲେଖିଲେ: ‘ଦିଦି ଆପଣଙ୍କ କ୍ୟାରିୟର୍‌ ତ କିଛି ଖାସ୍ ଚାଲୁନାହିଁ। ବିଚରା ଋଷଭ ପନ୍ତଙ୍କୁ ଭଲରେ ଖେଳିବାକୁ ଦିଅ।’ ଆଉଜଣେ ଏହାକୁ ନେଇ ଏକ ସ୍ଲୋଗାନ୍ ତିଆରି କରିଦେଲେ: ‘ଉର୍ବଶୀ ହଟାଅ, ଋଷଭ ବଞ୍ଚାଅ।’ ସେହିପରି ଉର୍ବଶୀଙ୍କର ଏକ ହସହସ ଫଟୋ ସହିତ ଜଣେ ଲେଖିଲେ: ‘ଋଷଭଙ୍କ ଵିକେଟ୍‌ ପଡ଼ିବା ପରେ ଷ୍ଟାଡିଅମ୍‌ରେ ସବୁଠାରୁ ଖୁସି ମଣିଷ।’ ବାସ୍ତବରେ ଉର୍ବଶୀ-ଋଷଭ ଲଢ଼େଇ ଆରମ୍ଭ ହେଲା ଯେତେବେଳେ ଉର୍ବଶୀ ଏକ ସାକ୍ଷାତକାରରେ କହିଥିଲେ ଯେ ଏକଦା ଋଷଭ ତାଙ୍କୁ ଭେଟିବା ପାଇଁ ଗୋଟିଏ ରାତି ଅପେକ୍ଷା କରିଥିଲେ। ଋଷଭ ଏହାକୁ ଖଣ୍ଡନ କରିବା ପରେ ଉର୍ବଶୀ ସିଧାସଳଖ ତାଙ୍କୁ ‘ଛୋଟୁ ଭୈୟା’ କହି ତାଙ୍କର ଚରିତ୍ର ସଂହାର କରିଥିଲେ। ସେବେଠାରୁ ଏହି ଲଢ଼େଇ ଜାରି ରହିଛି। ଏବେ କ୍ରିକେଟ୍‌ପ୍ରେମୀମାନେ ଏଭଳି ବ୍ୟଙ୍ଗବିଦ୍ରୂପ କରିବା ଫଳରେ ସେମାନଙ୍କ ଝଗଡ଼ା ଆହୁରି ଉଗ୍ର ହେବ ନା ଶାନ୍ତ ପଡ଼ିବ ତାହା ଦେଖିବାକୁ ରହିଲା।

ସମ୍ବନ୍ଧିତ ଖବର