ମୁମ୍ବାଇ: ଜୁନ୍ ୧୪, ୨୦୨୦ରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ତାଙ୍କ ଶୋଇବା ଘରୁ ମିଳିଥିଲା। ଅନେକ ତାଙ୍କୁ ହତ୍ୟା କରାଯାଇଥିବା ଦାବି କରିଥିବା ବେଳେ କିଛି ଲୋକ ସେ ଆତ୍ମହତ୍ୟା କରିଥିବା କହିଥିଲେ। ଘଟଣାକୁ ୨ବର୍ଷ ବିତିଥିଲେ ବି ଏହି ପ୍ରଶ୍ନର ଉତ୍ତର ମିଳିନାହିଁ। ଅନ୍ୟପକ୍ଷରେ ସୁଶାନ୍ତଙ୍କ ବ୍ୟବଚ୍ଛେଦ କରିଥିବା ଶବ ଗୃହର କର୍ମଚାରୀ ରୁପକୁମାର ଶାହଙ୍କ ବିସ୍ଫୋରକ ବୟାନ ପୁଣି ଥରେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାକୁ ରୋଚକ କରିଛି।
ଏମଧ୍ୟରେ ସୁଶାନ୍ତଙ୍କ ପ୍ରେମିକା ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଇନଷ୍ଟାରେ ଏକ ଷ୍ଟୋରୀ ସେୟାର କରିଛନ୍ତି। ସେୟାର କରାଯାଇଥିବା ଷ୍ଟୋରୀରେ ଲେଖାଯାଇଛି ଯେ, ତୁମେ ନିଆଁ ଦେଇ ଗତି କରିଛ, ଝଡ଼ରୁ ନିଜକୁ ବଞ୍ଚାଇଛ, ସୈତାନଠାରୁ ବିଜୟୀ ହୋଇଛ, ପରବର୍ତ୍ତୀ ସମୟରେ ତୁମର ଶକ୍ତି ଉପରେ ସନ୍ଦେହ କରିବା ପୂର୍ବରୁ ଏହାକୁ ମନେରଖିବ।
ତେବେ ରିଆ ଏବଂ ସୁଶାନ୍ତ ସିଂ ରାଜପୁତ ପ୍ରେମ ସଂପର୍କରେ ଥିଲେ। ସୁଶାନ୍ତ ମୃତ୍ୟୁ ପରେ ଅଭିନେତାଙ୍କ ପରିବାର ରିଆଙ୍କୁ ଦାୟୀ କରିଥିଲେ। ରିଆଙ୍କ କାରଣରୁ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ସୁଶାନ୍ତଙ୍କ ପିତା ଅଭିଯୋଗ କରିଥିଲେ। ରିଆ ଏବଂ ତାଙ୍କ ଭାଇ ମଧ୍ୟ ସୁଶାନ୍ତଙ୍କୁ ଡ୍ରଗ୍ସ ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ରିଆ କିଛି ମାସ ଜେଲରେ କଟାଇଥିଲେ। ବର୍ତ୍ତମାନ ରିଆ ଜେଲରୁ ବାହାରି ଏକ ନୂତନ ଜୀବନ ଆରମ୍ଭ କରୁଛନ୍ତି। ହେଲେ ପୁଣି ଥରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିବାରୁ ରିଆଙ୍କୁ ଏହି ଝଡ଼ର ସାମ୍ନା କରିବାକୁ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମରଶରୀର ବ୍ୟବଚ୍ଛେଦ କରାଯାଇଥିବା ଶବ ଗୃହର କର୍ମଚାରୀ ରୁପକୁମାର ଶାହ କହିଛନ୍ତି, ସୁଶାନ୍ତଙ୍କ ମରଶରୀର ଦେଖିବାପରେ ଲାଗିଥିଲା ଯେ ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି। ତାଙ୍କ ବେକର ୨ରୁ ୩ଟି ସ୍ଥାନରେ ଆଘାତ ଲାଗିଥିଲା। ତାଙ୍କୁ ପ୍ରବଳ ମାଡ଼ ମରାଯାଇଥିବାରୁ ତାଙ୍କ ହାତ ଏବଂ ଗୋଡ଼ ଭାଙ୍ଗି ଯାଇଥିବା ପରି ଦେଖାଯାଇଥିଲା।