ଡ୍ରଗ୍ସ କାରବାର ମାମଲାରେ ଏଯାବତ୍‌ ସାରା ଅଲି ଖାନ୍ ଓ ରାକୁଲ ପ୍ରୀତଙ୍କୁ ସମନ ପଠାଇନି ଏନ୍‌ସିବି

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବେଆଇନ୍‌ ଡ୍ରଗ୍ସ କାରବାର ସଂପୃକ୍ତିକୁ ନେଇ ତଦନ୍ତ କରି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସୁଶାନ୍ତଙ୍କ ପ୍ରେମିକା ତଥା ମୁଖ୍ୟ ଅଭିଯୁକ୍ତା ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କାଳରେ ରିୟା ଅଭିନେତ୍ରୀ ସାରା ଅଲି ଖାନ, ସିମୋନ ଖମ୍ବଟା ଓ ରାକୁଲ ପ୍ରୀତଙ୍କ ନାମ ନେଇଥିଲେ। ତେବେ ଏମାନଙ୍କ ନାମ ମାମଲାରେ ଛନ୍ଦି ହେବା ପରେ ମଧ୍ୟ ଏମାନଙ୍କୁ ଏନ୍‌ସିବି ପକ୍ଷରୁ ସମନ ପଠାଯାଇନାହିଁ ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି।

ଏନସିବିର ଡେପୁଟି ଡାଇରେକ୍ଟର ଗଣାମାଧ୍ୟମ ସହ କଥାବାର୍ତ୍ତା କରି ପ୍ରକାଶ କରିଛନ୍ତି ଯେ ସାରା ଅଲି ଖାନ, ସିମୋନ ଖମ୍ବଟା ଏବଂ ରାକୁଲ ପ୍ରୀତଙ୍କ ତଦନ୍ତ ଚାଲିଛି। ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମନ ପଠାଯାଇ ନାହିଁ। କିନ୍ତୁ ଆଗାମୀ ଦିନରେ ସମନ ପଠାଯିବାର ସମ୍ଭାବନା ରହିଛି।’

ଉଲ୍ଲେଖଯୋଗ୍ୟ, ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଦିନକୁ ଦିନ ନୂଆ ନୂଆ ମୋଡ଼ ଆସିବାରେ ଲାଗିଛି। ତଦନ୍ତରେ ସୁଶାନ୍ତ ଡ୍ରଗ୍ସ ନେଉଥିବା କଥା ସାମ୍ନାକୁ ଆସିବା ପରେ ତାଙ୍କୁ ଡ୍ରଗ୍ସ ଦେଉଥିବା ଏବଂ ଡ୍ରଗ୍ସ କାରବାର କରୁଥିବା ଅଭିଯୋଗରେ ଅଭିନେତ୍ରୀ ରିୟା ଓ ତାଙ୍କ ଭାଇ ସୌଭିକଙ୍କୁ ଗିରଫ କରି ସାରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) । ଏବେ ରିୟାଙ୍କ ପରେ ଡ୍ରଗ୍ସ ନେବା ମାମଲାରେ ଅଭିନେତ୍ରୀ ସାରା ଓ ରାକୁଲଙ୍କୁ ମଧ୍ୟ ଏନସିବି ପ୍ରଶ୍ନର ସାମ୍ନା କରିବାକୁ ପଡ଼ିପାରେ ବୋଲି ଜଣାପଡ଼ିଛି। ରିୟାଙ୍କୁ ପଚରାଉଚର‌ା କରାଯାଉଥିବା ବେଳେ ସେ ଏନସିବିକୁ ଅଭିନେତ୍ରୀ ସାରା ଅଲି ଖାନ୍, ରାକୁଲ ପ୍ରୀତ ସିଂହ, ଡିଜାଇନର୍ ସିମୋନ୍ ଖମ୍ବଟ୍ଟା, ସୁଶାନ୍ତଙ୍କ ବନ୍ଧୁ ତଥା ପୂର୍ବତନ ମ୍ୟାନେଜର ରୋହିଣୀ ଅୟର ଏବଂ ଚଳଚ୍ଚିତ୍ର ନିର୍ମାତା ମୁକେଶ ଛାବ୍ରା ମଧ୍ୟ ଡ୍ରଗ୍ସ ନେଉଥିବା କଥା ସ୍ୱୀକାର କରିଥିଲେ ।

ସମ୍ବନ୍ଧିତ ଖବର