ମନଲାଖି ଭୂମିକା ଅନ୍ବେଷଣରେ ରିଚା

ଚଉଦ ବର୍ଷର ଅଭିନୟ ଜୀବନ ଭିତରେ ଅଭିନେତ୍ରୀ ରିଚା ଚଢ଼ା ୨୫ଟି ହିନ୍ଦୀ ଫିଲ୍ମ ସମେତ ନଅଟି ଧାରାବାହିକରେ ନିଜର ଦକ୍ଷତା ପରଖିପାରିଛନ୍ତି। ଏହି ଅବସରରେ ତିନି ତିନି ଥର ଜାତୀୟ ସ୍ତରର ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ତଥାପି ଏ ଯାବତ୍‌ ତାଙ୍କୁ ମନଲାଖି ଭୂମିକାଟିଏ ମିଳିପାରିନାହିଁ ବୋଲି ସେ ଅବସୋସ ପ୍ରକାଶ କରିବା ସହ ତାହା ହାସଲ କରିବା ପାଇଁ ଏହିପରି ସଂଘର୍ଷ ଜାରି ରଖିଥିବେ ବୋଲି କହିଛନ୍ତି। ଏପରିକି ଏଥିପାଇଁ ସେ ଗତବର୍ଷ ନିଜର ଏକ ପ୍ରଯୋଜନା ସଂସ୍ଥା ଆରମ୍ଭ କରିଛନ୍ତି। ଶ୍ରେଷ୍ଠତ୍ବ ପ୍ରତିପାଦନ ପାଇଁ ତାଙ୍କର ଏପରି ଉଦ୍ୟମ ଓ ଉତ୍ସାହ ଅନ୍ୟ କଳାକାରଙ୍କ ପାଇଁ ଉଦାହରଣୀୟ ନିଶ୍ଚୟ। ପଞ୍ଜାବର ଅମୃତସର ଠାରେ ୧୯୮୮ ଡିସେମ୍ବର ୧୮ରେ ଜଣେ ଉଦ୍ୟୋଗୀ ପିତା ଓ ରାଜନୀତି ବିଜ୍ଞାନ ପ୍ରାଧ୍ୟାପିକା ମାତାଙ୍କ କୋଳ ମଣ୍ଡନ କରିଥିବା ରିଚାଙ୍କର ନିର୍ଭୀକ ମନୋଭାବ ତାଙ୍କୁ ଗ୍ଲାମର ଦୁନିଆରେ ପ୍ରବେଶ କରିବା ପାଇଁ ପ୍ରୋତ୍ସାହିତ କରିଥିଲା। ତେବେ ଇତିହାସରେ ସ୍ନାତକ ଡିଗ୍ରି ହାସଲ ପରେ ସେ ପ୍ରଥମେ ଜଣେ ମଡେଲ ଭାବେ ବ୍ୟାବସାୟିକ ବିଜ୍ଞାପନରେ ନିଜକୁ ଉପସ୍ଥାପିତ କରିଥିଲେ। ମାତ୍ର ଅଭିନୟର ସ୍ବାଦ ଚାଖିବା ପାଇଁ ସେ ଥିଏଟର ଆଡ଼କୁ ମନ ବଳାଇଥିଲେ। ଏହି ଅବସରରେ ତାଙ୍କୁ ଦିଲ୍ଲୀର ଏକ ଥିଏଟର ଦଳ ସହ ଦେଶର ବିଭିନ୍ନ ସ୍ଥାନ ସମେତ ପାକିସ୍ତାନ ଯାଇ ମଧ୍ୟ ନାଟକ ପରିବେଷଣ କରିବାକୁ ପଡ଼ିଥିଲା। ତେବେ ଫିଲ୍ମ ଦୁନିଆରେ ତାଙ୍କର ପ୍ରଥମ ଆବିର୍ଭାବ ହୋଇଥିଲା ୨୦୦୮ର ହାସ୍ୟରସାତ୍ମକ ଫିଲ୍ମ ‘ଓୟେ ଲକି! ଲକି ଓୟେ!’ରେ ଏକ ସହଅଭିନେତ୍ରୀ ଭାବରେ।

ମାତ୍ର ସେଥିରେ ତାଙ୍କ ଭୂମିକା କି ପ୍ରଦର୍ଶନ ସେତେ ପ୍ରଭାବୀ ନଥିଲା। ଏହାପରେ ୨୦୧୦ରେ ମଧ୍ୟ ଅନ୍ୟତମ ହାସ୍ୟରସାତ୍ମକ ହିନ୍ଦୀ ସିନେମା ‘ବେନ୍ନି ଆଣ୍ଡ୍‌ ବବଲୁ’ ଅନୁରୂପ ସମାଲୋଚନା ଆଣିଥିଲା। ଏହି ଅବସରରେ ତାଙ୍କ ଅଭିନୀତ କନ୍ନଡ଼ ଫିଲ୍ମ ‘ନିର୍ଦ୍ଦୋଷୀ’ ମୁକ୍ତିଲାଭ କରିଥିଲା ଏବଂ ସେ ଦର୍ଶକଙ୍କ ମନରେ କିଛି ମାତ୍ରାରେ ଛାପ ଛାଡ଼ିପାରିଥିଲେ। ତେବେ ୨୦୧୨ରେ ‘ଗ୍ୟାଙ୍ଗସ ଅଫ୍‌ ଵାସେପୁର-୧’ରେ ତାଙ୍କ ଅଭିନୀତ ‘ନଗମା ଖାତୁନ୍’ ପରି ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ର ଅଭୂତପୂର୍ବ ଲୋକପ୍ରିୟତା ହାସଲ କରିଥିଲା। ଏହି ଚରିତ୍ର ତାଙ୍କ ପାଇଁ ପରବର୍ତ୍ତୀ ୧୧ଟି ଫିଲ୍ମ ଯୋଗାଡ଼ କରିଦେଇଥିଲା ବୋଲି ରିଚା ସ୍ବୀକାର କରିଛନ୍ତି। ଏହାପରେ ୨୦୧୩ରେ ଉକ୍ତ ଫିଲ୍ମର ଦ୍ବିତୀୟ ଭାଗରେ ସମାନ ଚରିତ୍ରରେ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ‘ଫିଲ୍ମଫେଆର’ (କ୍ରିଟିକ୍‌ସ) ସମ୍ମାନ ମିଳିଥିଲା। ୨୦୧୫ର ‘ମସାନ’ ଫିଲ୍ମ ପାଇଁ ମଧ୍ୟ ତାଙ୍କୁ ‘ଷ୍ଟାରଡଷ୍ଟ’ ସମ୍ମାନ ମିଳିଥିଲା। ତାଙ୍କର ପରବର୍ତ୍ତୀ ଫିଲ୍ମ ‘ସର୍ବଜିତ୍‌’, ‘ସେକ୍ସନ୍‌ ୩୭୫’ ଓ ‘ପଙ୍ଗା’ ଆଦିରେ ମଧ୍ୟ ରିଚାଙ୍କର ବଳିଷ୍ଠ ଅଭିନୟ ଦର୍ଶକଙ୍କୁ ମୁଗ୍‌ଧ କରିଥିଲା। ଭାରତୀୟ ସିନେମାକୁ ଅବଦାନ ଲାଗି ତାଙ୍କୁ ‘ଭାରତରତ୍ନ ଡ. ଆମ୍ବେଦକର ସମ୍ମାନ-୨୦୨୦’ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର