ଶିଳ୍ପା ସେଟ୍ଟୀଙ୍କୁ ସର୍ବସମ୍ମୁଖରେ ଚୁମ୍ବନ ଦେଇଥିବା ରିଚାର୍ଡ ଗେରେ ୬୯ବର୍ଷ ବୟସରେ ବାପା ହେଲେ

ମୁମ୍ବାଇ : ଆମେରିକାରେ ରହୁଥିବା ହଲିଉଡ୍‌ ଅଭିନେତା ରିଚାର୍ଡ ଗେରେ ପୁଣି ଥରେ ବାପା ବନିଥିବା ଜଣା ପଡ଼ିଛି । ଏବେ ତାଙ୍କୁ ୬୯ବର୍ଷ ବୟସ ହୋଇଥିବା ବେଳେ ସେ ପୁଣି ଥରେ ବାପା ହେବା ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗର୍ଭବତୀ ଥିବା ନେଇ ରିଚାର୍ଡଙ୍କ ପତ୍ନୀ ଅଲ୍‌ଜେଣ୍ଡ୍ରା ଗତ ସେପ୍ଟେମ୍ବର ମାସରେ ଇନ୍‌ଷ୍ଟା ଆକାଉଣ୍ଟ ଜରିଆରେ ନିଜ ପ୍ରଂଶସକଙ୍କୁ ଜଣାଇଥିଲେ । ମୁଁ ବହୁତ ଖୁସି ବୋଲି ଲେଖି ସେ ଫଟୋ ପୋଷ୍ଟ କରିଥିବା ଦେଖା ଯାଇଥିଲା । ଏବେ ତାଙ୍କର ପ୍ରସବ ସରିଥିଲେ ମଧ୍ୟ ରିଚାର୍ଡ ଦ୍ୱିତୀୟ ଥର ବାପା ବନିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ୨୦୧୫ରେ ରିଚାର୍ଡ ଏବଂ ଅଲ୍‌ଜେଣ୍ଡ୍ରାଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଯାହା ପରେ ସେ ନିଜର ଦ୍ୱିତୀୟ ପତ୍ନୀଙ୍କଠାରୁ ୨୦୧୬ରେ ଅଲଗା ହୋଇ ଯାଇଥିଲେ । ଅଲଗା ହେବା ପରେ ରିଚାର୍ଡ ଅପ୍ରେଲ ୨୦୧୮ରେ ଅଲ୍‌ଜେଣ୍ଡ୍ରାକୁ ବିବାହ କରିଥିଲେ । ଦ୍ୱିତୀୟ ପତ୍ନୀଙ୍କଠାରୁ ଗୋଟେ ୧୯ ବର୍ଷୀୟ ପୁଅ ରିଚାର୍ଡ଼ଙ୍କର ଥିବା ବେଳେ ପ୍ରଥମ ପତ୍ନୀଙ୍କଠାରୁ କୌଣସି ପିଲା ହୋଇ ନଥିଲା । ୨୦୦୭ରେ ଏକ ଏଡ୍‌ସ କାର୍ଯ୍ୟକ୍ରମ ପାଇଁ ରିଚାର୍ଡ ଭାରତର ଜୟପୁର ଆସିଥିବା ବେଳେ ସେଠାରେ ଶିଳ୍ପା ସେଟ୍ଟୀ ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଚାଲୁଥିବା ବେଳେ ରିଚାର୍ଡ ଶିଳ୍ପାଙ୍କୁ ହଠାତ୍‌ ଧରି ତାଙ୍କ ଗାଲକୁ ଚୁମ୍ବନ ଦେଇଥିଲେ । ପରେ ଏହି ଘଟଣାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା ।

ସମ୍ବନ୍ଧିତ ଖବର