ଏବେ ଏଡିଟିଂ ଟେବୁଲରେ ପ୍ରଯୋଜକ ସୁମନ୍ତ କୁମାର ସଙ୍କ ପ୍ରଥମ ଫିଲ୍ମ ‘ଆରୋହୀ। ଏହାର ଗୋଟିଏ ଗୀତକୁ ବାଦ୍ ଦେଇ ଅବଶିଷ୍ଟ ସୁଟିଂ ସରିଛି। ସୁଟିଂ ସରିବା ପରେ ଏହା ସଂପାଦନା କରୁଛନ୍ତି ଜଣାଶୁଣା ଏଡିଟର୍ ସୁକୁମାର ମଣି। ଏନେଇ ଏହାର ନିର୍ଦ୍ଦେଶକ ଅଶ୍ବିନୀ ଗଡ଼ନାୟକ ସୂଚନା ଦେଇଛନ୍ତି।

Advertisment

ମହୁରତ୍ ସମୟରେ ଏହି ସିନେମାର ଟାଇଟଲ୍ ଥିଲା ‘ତୋ ପାଇଁ ମୁଁ ଗାଉଚି ଗୀତ’। ହେଲେ ପରେ ଏହାର ଶୀର୍ଷକ ରଖାଗଲା ‘ଆରୋହୀ’। ଫିଲ୍ମରେ ନାୟିକା ଚରିତ୍ରର ନାମ ଆରୋହୀ ରହିଥିବା ହେତୁ ଏଭଳି ପରିବର୍ତ୍ତନ କରାଯାଇଥିବା ଜଣାଯାଇଛି। ଖାଲି ସେତିକି ନୁହେଁ, ପ୍ରଯୋଜକ ସୁମନ୍ତ କୁମାର ସ ନିଜ ଝିଅଙ୍କ ନାଁରେ ନିଜର ପ୍ରଯୋଜନା ସଂସ୍ଥାର ନାମ ବି ରଖିଛନ୍ତି ଆରୋହୀ ମିଡିଆ ହାଉସ୍। 
ଅସିତ ପତିଙ୍କ କାହାଣୀକୁ ନେଇ ଡକ୍ଟର ରଜନୀରଂଜନ ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି। ଡକ୍ଟର ନିର୍ମଳ ନାୟକ ଏହାର ଗୀତିକାର ଏବଂ ଅଭିଜିତ ମଜୁମଦାର ସଙ୍ଗୀତକାର। ଏଥିରେ ଛତିଶଗଡ଼ୀ ଅଭିନେତା ଆକାଶ ଓ ‘ଦଶମ’ ଫେମ୍ ନୀଳାକ୍ଷୀ ନାୟକ-ନାୟିକା ଭୂମିକାରେ ଅଛନ୍ତି। ଶ୍ରୀତମ୍ ଦାସ, ଅସିତ ପତି, ପ୍ରଦ୍ୟୁମ୍ନ ଲେଙ୍କା ଓ ସୋମା ଭୌମିକ ପ୍ରମୁଖ ବି ଅଭିନୟ କରୁଛନ୍ତି। ଏହାଛଡ଼ା ଏଥିରେ ଛତିଶଗଡ଼ୀ ଅଭିନେତା ଭୂପିନ୍ଦରଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମ ଖୁବ୍ ଶୀଘ୍ର ମୁକ୍ତିଲାଭ କରିବ ବୋଲି ଜଣାଯାଇଛି।