ମୁମ୍ବାଇ: ବଲିଡଡ୍ ସୁପରଷ୍ଟାର ଅଭନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ହୃଦ୍ଘାତରେ ହୋଇଛି ବୋଲି ରବିବାର ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ମାତ୍ର ସୋମବାର ଶ୍ରୀଦେବୀଙ୍କ ଶରୀର ବ୍ୟବଚ୍ଛେଦ ରିପୋର୍ଟ କହୁଛି କି ତାଙ୍କ ମୃତ୍ୟୁର ହୃଦ୍ଘାତ ନୁହେଁ ବରଂ ଦୁର୍ଘଟଣାବଶତଃ ପାଣିରେ ବୁଡ଼ିଯିବା ହେତୁ ହୋଇଛି (ଡିୟୁ ଟୁ ଏକ୍ସିଡେଣ୍ଟାଲ୍ ଡ୍ରାଉନିଂ)। ଶ୍ରୀଦେବୀଙ୍କ ରକ୍ତରେ ଆଲ୍କହଲ ଭାଗ ବି ଥିଲା ବୋଲି ରିପୋର୍ଟରୁ ଜାଣିବାକୁ ମିଳିଛି।
ତେବେ ଏହି ରିପୋର୍ଟକୁ ଖଣ୍ଡନ କରଛନ୍ତି ପୂର୍ବତନ ସପା ନେତା ତଥା ରାଜ୍ୟସଭା ସାଂସଦ ଅମର ସିଂହ। ସେ କହିଛନ୍ତିି, ‘ଶ୍ରୀଦେବୀ କେବେ ମତ ପିଅନ୍ତି ନାହିଁ। କେବେ କେବେ ଓ୍ଵାଇନ୍ ପିଇ ଦିଅନ୍ତି। ମୁଁ ତାଙ୍କର ଜଣେ ପୁରୁଣା ବନ୍ଧୁ। ୨୦୧୪ରେ ମୁଁ ନିର୍ବାଚନ ଲଢ଼ୁଥିବା ସମୟରେ ଶ୍ରୀଦେବୀ ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ। ଏହି ସମୟରେ ଶ୍ରୀଦେବୀଙ୍କ ସହ ତାଙ୍କ ସ୍ୱାମୀ ବୋନି କପୁର ବି ସାମିଲ ଥିଲେ।’
ଦୁବାଇ ପୁଲିସ ଅଭିନେତ୍ରୀ ଶ୍ରୀଦେବୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ସ୍ୱାମୀ ବୋନି କପୁରଙ୍କ ବୟାନ ରେକର୍ଡ କରିଛି। କେତେକ ରିପୋର୍ଟରେ ରହିଛି କି ଶ୍ରୀଦେବୀଙ୍କ ମୃତ୍ୟୁ ବେଳକୁ ବୋନି କପୁର ସେଠାରେ ଉପସ୍ଥିତ ଥିଲେ। ବୋନି କପୁର ଦୁବାଇ ପୁଲିସର ୪ଜଣ ବରିଷ୍ଠ ଅଧିକାରୀଙ୍କୁ ପ୍ରଥମେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଯାହାପରେ ଦୁବାଇ ପୁଲିସ ବୋନି କପୁର ବୟାନ ରେକର୍ଡ କରିଥିଲେ। ଏହି ପ୍ରକ୍ରିୟା ୩,୩୦ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା।
ଉଲ୍ଲେଖଯୋଗ୍ୟ, ଅଭିନେତ୍ରୀ ଶ୍ରୀଦେବୀ ଦୁବାଇରେ ତାଙ୍କ ପୁତୁରାର ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ବିବାହ ଉତ୍ସବ ପରେ ସେ ଏକ ହୋଟେଲରେ ରହିଥିଲେ। ସ୍ୱାମୀଙ୍କ ସହ ଡିନର୍ ଯିବା ପୂର୍ବରୁ ଶ୍ରୀଦେବୀ ଗାଧୁଆଘରକୁ ଯାଇଥିଲେ। ସେଠାରୁ ଦୀର୍ଘ ସମୟ ଧରି ନ ଫେରିବାରୁ ବୋନି କପୁର୍ କବାଟ ଭାଙ୍ଗି ଥିଲେ ଏବଂ ଶ୍ରୀଦେବୀଙ୍କୁ ବାଥ୍ ଟବ୍ ଭିତରେ ପଡ଼ି ରହିଥିବାରୁ ଦେଖିବାକୁ ପାଇଥିଲେ। ସେଠାରୁ ତୁରନ୍ତ ଦୁବାଇର ରସିଦ୍ ହସ୍ପିଟାଲ୍କୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କ ମୃତ୍ୟୁ ହୃଦ୍ଘାତ ହେତୁ ହୋଇଛି ବୋଲି କହିଥିଲେ।