ମୁମ୍ବାଇ: କେହି ଜଣେ ଅଭିନେତା ଜଣେ ଅଭିନେତ୍ରୀଙ୍କ ସହ ଏକତ୍ର ଏକ ସିନେମାରେ ଅଭିନୟ କରିଥିବେ। ମାତ୍ର କିଛି ବର୍ଷ ପରେ ସେହି ସିନେମାର ଏକ ଦୃଶ୍ୟ ଦେଖିବା ପରେ ଅଭିନେତ୍ରୀକୁ ଯଦି ଚିହ୍ନିପାରୁନାହାନ୍ତି ବୋଲି କହନ୍ତି ଆପଣ କ’ଣ ମନେ କରିବେ? ହୁଏତ ଏହା ଅଭିନେତାଙ୍କ ଅହଂକାର ଅଥବା ଥଟ୍ଟା? ଏହିପରି ଏକ ଘଟଣାକୁ ନେଇ ଚର୍ଚ୍ଚାରେ ଅଛନ୍ତି ସେ ସମୟର ଲୋକପ୍ରିୟ ଅଭିନେତା ଋଷି କପୁର୍।
ଋଷି ନିଜ ଟୁଇଟର୍ ଆକାଉଣ୍ଟ୍ରେ ଏକ ନୃତ୍ୟ ଦୃଶ୍ୟ ପୋଷ୍ଟ୍ କରିଛନ୍ତି। ପୋଷ୍ଟ୍ କରି ସେଥିରେ ଲେଖିଛନ୍ତି, ‘ଏହା କେଉଁ ଚଳଚ୍ଚିତ୍ରର ଦୃଶ୍ୟ। ଏଥିରେ ମୋ ସହ ଦିଶୁଥିବା ଅଭିନେତ୍ରୀଙ୍କୁ ମୁଁ ମନେ ପକାଇ ପାରୁନାହିଁ।’
ବାସ୍ତବ କଥାଟି ହେଉଛି, ଉକ୍ତ ଦୃଶ୍ୟଟି ହେଉଛି ୧୯୯୭ ମସିହାର ଚଳଚ୍ଚିତ୍ର ‘କୌନ୍ ସଚ୍ଚା କୌନ୍ ଝୁଟା’ର ଏକ ଗୀତର । ତାଙ୍କ ସହ ଅଛନ୍ତି ସେ ସମୟର ସିନେପ୍ରେମୀଙ୍କ ମନର ରାଣୀ ଶ୍ରୀଦେବୀ।
ବୋଧ୍ହୁଏ ଋଷିଙ୍କର ଏହା ଏକ ବ୍ୟାଙ୍ଗାତ୍ମକ ଅନ୍ଦାଜ! ମାତ୍ର ତାଙ୍କର ଏହି ଅନ୍ଦାଜକୁ ସହ୍ୟ କରିପାରିନାହାନ୍ତି ଶ୍ରୀଦେବୀଙ୍କର ଜଣେ ପ୍ରଶଂସକ। ସେ ଋଷିଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି। ରିଟୁଇଟ୍ କରିଥିବା ସେହି ବ୍ୟକ୍ତି ଜଣକ ଉତ୍ତରରେ ଲେଖିଛନ୍ତି, ‘ଦୃଶ୍ୟଟିରେ ଅଭିନେତ୍ରୀ ତ ଶ୍ରୀଦେବୀ ବୋଲି ସ୍ପଷ୍ଟ ଜାଣି ହେଉଛନ୍ତି, ମାତ୍ର ଅଭିନେତା ଜଣକ କିଏ ମୁଁ ଚିହ୍ନିପାରୁ ନାହିଁ।’
What film is this? And I cannot recognise the actress with me! https://t.co/NpZlqurrq8
— Rishi Kapoor (@chintskap) August 4, 2018
ସେହିପରି ଆଉ ଜଣେ ଶ୍ରୀଦେବୀଙ୍କ ପ୍ରଶଂସକ ଲେଖିଛନ୍ତି, ‘ଶ୍ରୀଦେବୀ ତୁମ ସହ କାମ କରିନଥିଲେ ତୁମକୁ କେହି ଆଜି ଚିହ୍ନି ନଥାନ୍ତେ।’
ଅନ୍ୟ ଜଣେ ଶ୍ରୀଦେବୀଙ୍କ ଫ୍ୟାନ୍ ଲେଖିଛନ୍ତି, ‘ବୁଢ଼ା ଅବସ୍ଥାରେ ଏପରି ହୁଏ’।
ପୁଣି ଆହୁରି ବି କମେଣ୍ଟ ଆସିଛି କି ‘ସେ ସମୟରେ ତୁମଠାରୁ ସେ ଯଥେଷ୍ଟ ଭଲ ନାୟିକା ଥିଲେ।’
ଆଉ କେହି କେହି ଲେଖିଛନ୍ତି ସେ ଶ୍ରୀଦେବୀଙ୍କ ଜରିଆରେ ନିଜକୁ ଟିକେ ଚର୍ଚ୍ଚାରେ ରଖିବାକୁ ଚାହିଁ ଏପରି କରିଛନ୍ତି।
ଆହୁରି କେତେକ ପ୍ରଶଂସକଙ୍କ କମେଣ୍ଟ ଦେଖିବା ପରେ ଋଷି ତାଙ୍କୁ ବ୍ଲକ୍ କରିଦେଇଥିବା କଥା କେହି କେହି ଲେଖିଛନ୍ତି। ଲୋକ ଥେରାପି ଜରିଆରେ ପୂର୍ବ ଜନ୍ମକୁ ମନେ ପକାଇ ପାରୁଥିବା ବେଳେ ତୁମେ ଗୋଟାଏ ଜନ୍ମର କଥା ଭୁଲି ଗଲ? ବୋଲି ପ୍ରଶ୍ନ କରି ଜଣେ ବ୍ୟବହାରାକରୀ ମଜାକ୍ ଉଡ଼ାଇଛନ୍ତି।
ଟୁଇଟର୍ରେ ଅନେକ ଶ୍ରୀଦେବୀଙ୍କ ପ୍ରଶଂସକ ତାଙ୍କୁ ଯାଛାତା ଭାଷାରେ ଗାଳି କରିଥିବାର ଦେଖିବାକୁ ମିଳିଛି।