ଋଷିଙ୍କ ଖୁଲାସା : କର୍କଟ ରୋଗ ହୋଇଥିବା ଜାଣି ପ୍ରଥମେ ଏହି କାମ କରିଥିଲେ ପୁଅ ରଣବୀର

ମୁମ୍ବାଇ : ଫିଲ୍ମରୁ ବ୍ରେକ୍‌ ନେଇ ଏବେ ନ୍ୟୁୟର୍କରେ ନିଜ କର୍କଟ ରୋଗର ଚିକିତ୍ସା କରାଉଛନ୍ତି ଅଭିନେତା ଋଷି କପୁର । ତାଙ୍କ ସହ ତାଙ୍କ ପତ୍ନୀ ନୀତୁ କପୁର ଥିବା ବେଳେ ଏବେ ସେ ସୁସ୍ଥ ହୋଇ ଆସୁଥିବା ନେଇ ସୂଚନା ମିଳିଛି । ଖୁବ୍‌ ଶୀଘ୍ର ସେ ନିଜର କାମ ଆରମ୍ଭ କରିବାକୁ ଯାଉଥିବା ନେଇ ଟାଇମ୍ସ ଅଫ୍‌ ଇଣ୍ଡିଆକୁ ସାକ୍ଷାତକାର ଦେଇ ଜଣାଇଛନ୍ତି ।

ତାଙ୍କ ଅନୁଯାୟୀ, ମୋ ୪୫ ବର୍ଷ କ୍ୟାରିୟରରେ ମୁଁ କେବେ ହେଲେ ଏତେ ଦିନର ବ୍ରେକ୍‌ ନେଇ ନଥିଲି । ୯ମାସ ହେଲାଣି ମୁଁ କ୍ୟାମେରା ସାମ୍ନାକୁ ଯାଇ ନାହିଁ । ଦିନ ଗଣୁଛି କି କେବେ ମୁଁ କ୍ୟାମେରା ଆଗକୁ ଯିବି । ନିଜ ରୋଗର ଚିକିତ୍ସା ପାଇଁ ୯ମାସ ହେଲାଣି ମୁଁ ନ୍ୟୁୟର୍କରୁ ବାହାରକୁ ଯାଇ ନାହିଁ । ଏବେ ସୁସ୍ଥ ହେବା ପରେ ମୁଁ ହେମ୍ପଟନ ଯାଇ କିଛି ସମୟ କଟାଇବାକୁ ଯୋଜନା କରିଛି ବୋଲି କହିଥିଲେ ।

oneindia.com

ପ୍ରଥମେ କର୍କଟ ରୋଗ ବିଷୟରେ ଜାଣିବା ପରେ କିଭଳି ପ୍ରତିକ୍ରିୟା ଥିଲା ବୋଲି ପ୍ରଶ୍ନ କରାଯିବା ପରେ, ମୋ ପାଖରେ ପ୍ରତିକ୍ରିୟା ରଖିବାର ସମୟ ନଥିଲା । କାରଣ ମୁଁ ଦିଲ୍ଲୀରେ ଏକ ନୂଆ ଫିଲ୍ମର ସୁଟିଂ କରୁଥିଲି । ସୁଟିଂର ଷଷ୍ଠ ଦିନରେ ମୋ ପୁଅକୁ ରୋଗ ବିଷୟରେ ଜଣା ପଡ଼ିବା ପରେ ପ୍ରଥମେ ସେ ଏବଂ ମୋର ଜଣେ ସଂପର୍କୀୟ ସୁଟିଂ ସେଟ୍‌କୁ ଆସି ନିର୍ଦ୍ଦେଶକଙ୍କ ସହ ମୋ ରୋଗ ବିଷୟରେ ଆଲୋଚନା କରିଥିଲେ । ଯାହା ପରେ ସେମାନେ ମୋତେ ମୁମ୍ବାଇ ନେବା ସହ ତୁରନ୍ତ ସେଠାରୁ ଆମେ ନ୍ୟୁୟର୍କ ପାଇଁ ଯାତ୍ରା ଆରମ୍ଭ କରିଥିଲୁ । ମୋ ପାଖରେ କିଛି ବି ଭାବିବାର ସମୟ ନଥିଲା ବୋଲି କହିଛନ୍ତି ଋଷି ।

ସମ୍ବନ୍ଧିତ ଖବର