ନୂଆଦିଲ୍ଲୀ: କମେଡିଆନ୍ ହେଉ ବା ଭିଲେନ, ବଡ଼ ପରଦାରେ ସବୁ ଚରିତ୍ରରେ ନଜର ଆସି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି ଅଭିନେତା ରିତେଶ ଦେଶମୁଖ। କୌଣସି ଫିଲ୍ମରେ ମୁଖ୍ୟ କଳାକାର ଭାବେ ନଜର ନ ଆସି ମଧ୍ୟ ସେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ସବୁବେଳେ ନିଜର ଫିଲ୍ମ ଓ ଅଭିନୟ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତାଙ୍କ ଉପରେ ଏବେ କୃଷି ଋଣ ଛାଡ଼ ଯୋଜନାର ଲାଭ ଉଠାଇଥିବାର ଅଭିଯୋଗ ଆସିଛି। ଜଣେ ଟୁଇଟର ବ୍ୟବହାରକାରୀ ଏଭଳି ଅଭିଯୋଗ ଆଣିଥିବା ବେଳେ ଏବେ ଏହାର ଜବାବ ରଖିଛନ୍ତି ରିତେଶ।
ସୂଚନା ମୁତାବକ, ରିତେଶ ଓ ତାଙ୍କ ଭାଇ ଅମିତ ଦେଶମୁଖଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଦୁହେଁ ଖଣ୍ଡନ କରିଛନ୍ତି। ଦୁହେଁ କୌଣସି କୃଷି ଋଣ ନେଇ ନ ଥିବା ସହ ଋଣ ଛାଡ଼ ଯୋଜନାର ମଧ୍ୟ ଲାଭ ଉଠାଇ ନଥିବା କହିଛନ୍ତି। ମଙ୍ଗଳବାର ମଧୁ ପୂର୍ଣ୍ଣିମା କିଶୋର ନାମକ ଜଣେ ଟୁଇଟର ବ୍ୟବହାର କରି ରିତେଶ ଓ ତାଙ୍କ ଭାଇ ଅମିତଙ୍କ ଉପରେ ଋଣ ଛାଡ଼ ଯୋଜନାର ଲାଭ ଉଠାଇଥିବାର ଅଭିଯୋଗ ଆଣିବା ସହ ପ୍ରମାଣ ଆକାରରେ ଏକ ଫଟୋ ସେୟାର କରିଥିଲେ। ଟୁଇଟରେ ଲେଖାଥିଲା କି, ମହାରାଷ୍ଟ୍ର ପୂର୍ବ ମୁଖ୍ୟମନ୍ତ୍ରୀ ବିଲାସରାଓ ଦେଶମୁଖଙ୍କ ଦୁଇ ପୁଅ ରିତେଶ ଓ ଅମିତ ଦେଶମୁଖ କୃଷି ଋଣ ଛାଡ଼ର ଲାଭ ଉଠାଇଛନ୍ତି। ସରକାରଙ୍କୁ ୪.୨୫କୋଟି ଟଙ୍କାର ଋଣ ଛାଡ଼ କରିବା ପାଇଁ ଅପିଲ କରିଛନ୍ତି ବୋଲି ଲେଖିଥିଲେ।
Dear @madhukishwar Ji, The said paper in circulation is with malafide motive. Neither me nor my brother @AmitV_Deshmukh have availed any loan as mentioned in the paper posted by you. Hence, there is no question of any loan waiver whatsoever. Please don’t be misled. Thank you. https://t.co/yCfxNt2ZRm
— Riteish Deshmukh (@Riteishd) December 3, 2019
ଏବେ ଏହାର ଜବାବ ରଖି ରିତେଶ କହିଛନ୍ତି କି, ଟୁଇଟରେ ପ୍ରମାଣ ଆକାରରେ ଯେଉଁ ଫଟୋ ସେୟାର କରାଯାଇଛି, ତାହା ନକଲି। ମୁଁ ଓ ମୋ ଭାଇ କୌଣସି ପ୍ରକାରର ଋଣ ନେଇ ନାହୁଁ। ଋଣ ନେଇ ନାହୁଁ ଯେତେବେଳେ ଏହାକୁ ଛାଡ଼ କରିବା ପାଇଁ ଅବେଦନ କାହିଁକି କରିବୁ। ଦୟାକରି ମିଛ ଖବର ପ୍ରସାର କରନ୍ତୁ ନାହିଁ।