ଭୁବନେଶ୍ୱର : ଓଲିଉଡର ଗ୍ଲାମରସ୍ ହିରୋଇନ୍ ରୀୟା ଦେ ‘ପ୍ରେମ ଅଢ଼େଇ ଅକ୍ଷର’ ଓଡ଼ିଆ ସିନେମାରୁ ଆରମ୍ଭ କରି ମୁକ୍ତି ପ୍ରତୀକ୍ଷିତ ‘ଦିଓ୍ଵାନା ହେଲି ତୋ’ ପାଇଁ’ ଯାଏଁ ବେଶ୍ କେତୋଟି ଛବିରେ ନାୟିକା ବନିସାରିଲେଣି। ତାଙ୍କ ଅଭିନୀତ ପ୍ରଥମ ସିନେମାର ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ।
ରୀୟା ଦେ ଇତିମଧ୍ୟରେ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, ଅଶୋକ ପତି, ତାପସ ସରଘରିଆ, ହିମାଂଶୁ ପରିଜା, ସୁଶାନ୍ତ ମଣି, ଦିଲୀପ ପଣ୍ଡା, ଶ୍ରୀତମ ଦାସ, ନିଶିକାନ୍ତ ଦଳବେହେରା ଓ ଶୈଳେନ୍ଦ୍ର ପ୍ରମୁଖଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି।
ହେଲେ ଏଯାବତ୍ ତାଙ୍କୁ କେତେ ଜଣ ଦକ୍ଷ ନିର୍ଦ୍ଦେଶକଙ୍କ ସହ ସିନେମାରେ କାମ କରିବାର ସୁଯୋଗ ମିଳିନାହିଁ। ଏମାନଙ୍କ ଭିତରୁ ଚର୍ଚ୍ଚିତ ନିର୍ଦ୍ଦେଶକ ଅବତାର ସିଂହ, ବସନ୍ତ ସାହୁ, ସଞ୍ଜୟ ନାୟକ, ରମେଶ ରାଉତ ଓ ଏସ୍.କେ. ମୁରଲୀଧରନ୍ ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ।
ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଅନୁ ଚୌଧୁରୀ, ବର୍ଷା ପ୍ରିୟଦର୍ଶିନୀ, ଅର୍ଚ୍ଚିତା ଓ ପ୍ରିୟଙ୍କା ଭଳି ଟପ୍ ହିରୋଇନ୍ କାମ କରିଛନ୍ତି, ହେଲେ ରୀୟା ପାଇନାହାନ୍ତି ସୌଭାଗ୍ୟ। ଏସ୍.କେ.ମୁରଲୀଧରନ୍ ମଧ୍ୟ ଅର୍ଚ୍ଚିତା, ବର୍ଷା ଓ ଝିଲିକଙ୍କ ଭଳି ନାମୀ ନାୟିକାଙ୍କୁ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଥିଲେ ହେଁ ରୀୟାଙ୍କୁ ଏଯାଏଁ କୌଣସି ସିନେମାରେ ନେଇ ନାହାନ୍ତି।
ଦେଖାଯାଉ ରୀୟାଙ୍କୁ ଏହି ଭଳି ନାମୀ ନିର୍ଦ୍ଦେଶକଙ୍କ ସହ କେବେ କାମ କରିବାର ସୁଯୋଗ ମିଳୁଛି।