ମୁହଁ ଖୋଲିଲେ ରିୟା

ଶେଷରେ ମୁହଁ ଖୋଲିଛନ୍ତି ରିୟା‌। ଇଣ୍ଡିଆ ଟୁଡେର ବରିଷ୍ଠ ସାମ୍ବାଦିକ ରାଜଦୀପ ସର୍‌‌ଦେଶାଈଙ୍କୁ ସାକ୍ଷାତକାର ଦେଇ ରିୟା ନିଜର ଓ ସୁଶାନ୍ତଙ୍କ ସମ୍ପର୍କ ବିଷୟରେ କହିବା ସହ ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି ଦାବି କରିଛନ୍ତି। ରିୟା ଏହି ଅବସରରେ ସେମାନଙ୍କ ଅକ୍ଟୋବର ୨୦୧୯ର ୟୁରୋପ୍‌ ଯାତ୍ରା ସମ୍ବନ୍ଧରେ କହିଛନ୍ତି। ସେ କହିଛନ୍ତି, ଆମେ ବିମାନରେ ବସିବା ପୂର୍ବରୁ ସୁଶାନ୍ତ ମତେ କହିଥିଲେ ଯେ ତାଙ୍କର କ୍ଲାଉଷ୍ଟ୍ରୋଫୋବିଆ ଅଛି ବୋଲି। ଏଥିପାଇଁ ସେ ଚିକିତ୍ସିତ ହେଉଥିଲେ ଓ ଔଷଧ ବି ଖାଉଥିଲେ। ସେ ସବୁବେଳେ ସେହି ଔଷଧ ନିଜ ପାଖରେ ରଖୁଥିଲେ ଓ ଔଷଧ ଖାଇଲେ ସେ ସୁସ୍ଥ ଅନୁଭବ କରନ୍ତି ବୋଲି କହୁଥିଲେ। ସେ ନୂଆ ନୂଆ ଦେଶ ବୁଲିବାକୁ ବେଶ୍‌ ଉତ୍ସାହିତ ଥିଲେ। କିନ୍ତୁ ଆମେ ଯେତେବେଳେ ପ୍ୟାରିସ୍‌ରେ ପହଞ୍ଚିଥିଲୁ, ସେ ତିନି ଦିନ ପର୍ଯ୍ୟନ୍ତ ହୋଟେଲରୁ ହିଁ ବାହାରିଲେ ନାହିଁ। ସୁଇଜରଲ୍ୟାଣ୍ଡ ପହଞ୍ଚିବା ବେଳକୁ ଠିକ୍‌ ଥିଲେ ଓ ଭଲରେ ଆମେ ସେଠାରେ ବୁଲାବୁଲି କରିଥିଲୁ। ଇଟାଲୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସେଠାରେ ଆମେ ଏକ ହୋଟେଲରେ ରହିଥିଲୁ ଯାହାର ଗଢ଼ଣ ଅଲଗା ପ୍ରକାରର ଥିଲା। ଗମ୍ବୁଜ ଭଳି ରୁମ୍‌ ଓ ଭାରି ଭୟଙ୍କର ଫଟୋ ସବୁ ଲାଗିଥିଲା। ମୁଁ ବହୁତ ଡରିଯାଇଥିଲି ଏବଂ ସେ ହୋଟେଲରୁ ଫେରିଆସିବାକୁ କହିଥିଲି। ‌କିନ୍ତୁ ସୁଶାନ୍ତ ମନା କରିଥି‌ଲେ ଓ ସେଠାରେ ହିଁ ଆମେ ରହିଥିଲୁ। କିନ୍ତୁ ରାତି ସାରା ସୁଶାନ୍ତ ଶୋଇପାରିନଥିଲେ ଓ ଧୀରେଧୀରେ ତାଙ୍କ ଶରୀର ଅଧିକ ଖରାପ ହେବାରେ ଲାଗିଲା। ଶେଷରେ ଇଟାଲୀରୁ ହିଁ ଆମେ ଭାରତ ଫେରିଆସିଥିଲୁ।

ସୂଚନାଯୋଗ୍ୟ ଏହି ଟ୍ରିପ୍‌ରେ ରିୟାଙ୍କ ଭାଇ ସ୍ବସ୍ତିକ ଚକ୍ରବର୍ତୀ ମଧ୍ୟ ଉପସ୍ଥିତ ଥିଲେ। ରିୟା ଆହୁରି ମଧ୍ୟ କହିଛନ୍ତି ଯେ, ସୁଶାନ୍ତ ତାଙ୍କୁ କହିଥିଲେ ୨୦୧୩ ମସିହାରେ ସେ ମାନସିକ ଅବସାଦ ଦେଇ ଗତି କରୁଥିଲେ। ଏଣୁ ମାନସିକ ରୋଗ ବି‌‌ଶେଷଜ୍ଞ ହରେଶ ସେଟ୍ଟୀଙ୍କ ପାଖରେ ଚିକିତ୍ସିତ ହେଉଥିଲେ ଓ ଭଲ ବି ହୋଇଯାଇଥିଲେ। ବେଳେବେଳେ ହିଁ ତାଙ୍କୁ ଆଙ୍ଗ୍‌ଜାଇଟି ଆଟାକ୍‌ ଆସେ ବୋଲି ରିୟା କହିଛନ୍ତି। ଅନ୍ୟପଟେ ସୁଶାନ୍ତଙ୍କ ସମ୍ପତ୍ତି ଉପରେ ତାଙ୍କ ନଜର ରହିଥିବା ଅଭିଯୋଗକୁ ଖଣ୍ଡନ କରି ରିୟା କହିଛନ୍ତି, ଆମେ ଦମ୍ପତି ଭଳି ରହୁଥିଲୁ। ଆମ ‘ରିଆଲିଟିକ୍ସ’ କମ୍ପାନିରେ ସୁଶାନ୍ତ, ମୁଁ ଓ ମୋ ଭାଇ ସ୍ବସ୍ତିକ ତିନିହେଁ ସାମାନ ଭାବେ ୩୩ହଜାର ଲେଖାଏଁ ପୁଞ୍ଜିନିବେଶ କରି ଖୋଲିଛୁ। ମୁଁ ମୋ ଆକାଉଣ୍ଟ୍‌ରୁ ସ୍ବସ୍ତିକ ଆକାଉଣ୍ଟ୍‌କୁ ଟଙ୍କା ପଠାଇଥିଲି ଏହି ଟଙ୍କା ବାନ୍ଧିବା ପାଇଁ। ତା’ର କିଛି ରୋଜଗାର ନଥିବାରୁ ମୁଁ ଏହି ଟଙ୍କା ପଠାଇଥିବା ରିୟା ସାକ୍ଷାତକାରରେ କହିଛନ୍ତି।

ସମ୍ବନ୍ଧିତ ଖବର