ସୁଶାନ୍ତ ରାଜପୁତଙ୍କ ନାମରେ ନାମିତ ହେବ ଦିଲ୍ଲୀର ରାସ୍ତା!

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୩୫ ତମ ଜନ୍ମଦିନ | ତାଙ୍କ ମୃତ୍ୟୁକୁ ସାତ ମାସରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ସୋସିଆଲ ମିଡିଆଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ଏବେ ବି ତାଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି | ତାଙ୍କ ମୃତ୍ୟୁକୁ ନେଇ ଯଦିଓ ବିହାର ଓ ମହାରାଷ୍ଟ୍ରରେ ରାଜନୀତି ଜୋର ଧରିଥିଲା, ଏବେ ଏମିତି ଏକ ପ୍ରସଙ୍ଗ ସାମ୍ନାକୁ ଆସିଛି ଯାହାକୁ ନେଇ ଦିଲ୍ଲୀ ରାଜନୀତିରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି |

ମିଳିଥିବା ସୂଚନା ମୁତାବକ ବୁଧବାର ଦିନ ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ (ଏସଡିଏମସି) ରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ଦିଲ୍ଲୀର ଏକ ରାସ୍ତା ନାମିତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଆଉ ଏହି ପ୍ରସ୍ତାବ ପାରିତ ହୋଇଯାଇଛି | କଂଗ୍ରେସ ନେତା ତଥା ଦିଲ୍ଲୀ କଂଗ୍ରେସ ଉପାଧ୍ୟକ୍ଷ କାଉନସିଲର ଅଭିଷେକ ଦତ୍ତ ଏହି ପ୍ରସ୍ତାବ ଦେଇଥିଲେ । କଂଗ୍ରେସ ନେତାଙ୍କ ପ୍ରସ୍ତାବ ପରେ ଦକ୍ଷିଣ ଦିଲ୍ଲୀର ଆଣ୍ଡ୍ରିୟୁଗଞ୍ଜ ଅଞ୍ଚଳରେ ଏକ ରାସ୍ତାର ନାମ ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ସୂଚନା ଥାଉ କି ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ଗତ ବର୍ଷ ଜୁନ୍ ୧୪ ରେ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଥିଲା। ତେବେ କଂଗ୍ରେସ ନେତା ଅଭିଷେକଙ୍କ କହିବା ମୁତାବକ ମଧ୍ୟବିତ୍ତ ପୃଷ୍ଠଭୂମିରୁ ଉଠି ଏପରି ଉଜ୍ଜ୍ୱଳ କ୍ୟାରିୟର କରିଥିବାରୁ ରାଜପୁତ ସମଗ୍ର ଦେଶ ପାଇଁ ଏକ ପ୍ରେରଣା। କେବଳ ଏତିକି ନୁହେଁ, ସେ ଦିଲ୍ଲୀ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟର ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ମଧ୍ୟ ସପ୍ତମ ସ୍ଥାନ ପାଇଥିଲେ | ତେଣୁ ତାଙ୍କ ନାମରେ ରାସ୍ତା ନାମିତ କରାଯିବା ଉଚିତ |

ସମ୍ବନ୍ଧିତ ଖବର