ସାମାଜିକ-ଆର୍ଥିକ ବିଭାଜନକୁ ନେଇ ପ୍ରସ୍ତୁତ ରୋମାଞ୍ଚଧର୍ମୀ କୋରିଆନ୍‌ ସିନେମା ‘ପାରାସାଇଟ୍‌’, ନିର୍ଦେଶକ ବଙ୍ଗ୍‌ ଜୁନ୍‌-ହୋଙ୍କୁ ବିଶ୍ବ ପ୍ରସିଦ୍ଧି ସମେତ ଏକାଧିକ ଓସ୍କାର ପୁରସ୍କାର ପ୍ରଦାନ କରିଥିଲା। ବଙ୍ଗ୍‌ ଏଥର ଅପ୍ରତ୍ୟାଶିତ ଭାବେ ପ୍ରଥମ ଥର ପାଇଁ ଏକ ‘ସାଇନ୍‌ସ-ଫିକ୍ସନ’ (ସାଇ-ଫାଇ) ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି, ତାହା ପୁଣି ରବର୍ଟ ପାଟିନ୍‌ସନ୍ (‘ଟ୍ବିଲାଇଟ୍‌’ ସିନେମା ଲାଗି ପ୍ରସିଦ୍ଧ) ଓ ମାର୍କ ରୁଫାଲୋଙ୍କ ପରି ହଲିଉଡ୍‌ ତାରକାଙ୍କୁ ନେଇ। ‘ମିକି୭’ ନାମକ ଇଂରେଜୀ ଉପନ୍ୟାସ ଉପରେ ପର୍ଯ୍ୟବସିତ ଏହି କାହାଣୀଟିରେ ବଙ୍ଗ୍‌ ଜୁନ୍‌-ହୋଙ୍କ ମାନବୀୟ ସମ୍ବେଦନା ସମେତ ରବର୍ଟଙ୍କ ସର୍ବଶ୍ରେଷ୍ଠ ଅଭିନୟ ପ୍ରଦର୍ଶିତ ହୋଇଛି। ‘ପାରାସାଇଟ୍‌’ ପରି ଏହି କାହାଣୀରେ ନିର୍ଦେଶକ ବଙ୍ଗ୍‌ ଚରମ ପୁଞ୍ଜିବାଦ ସମେତ ଉପନିବେଶବାଦର କୁପରିଣାମକୁ ଉଜାଗର କରିଛନ୍ତି, କିନ୍ତୁ ଏ କାହାଣୀ ଶେଷରେ ହତାଶା ବଦଳରେ ଆଶା ପ୍ରସ୍ଫୁଟିତ ହୋଇଛି।

Advertisment

ସିନେମାଟି ଆରମ୍ଭ ହେଉଛି ୨୦୫୦ ମସିହାରୁ, ଯେଉଁଠି ମୁଖ୍ୟ ଚରିତ୍ର ମିକି (ରବର୍ଟ ପାଟିନ୍‌ସନ୍) ଋଣଯନ୍ତାରୁ ମୁକ୍ତ ହେବା ପାଇଁ ଏକ ମହାକାଶ ଅଭିଯାନରେ ଯିବାର ନିଷ୍ପତ୍ତି ନେଉଛି। ‘ନିଫ୍ଲେଇମ୍’ ନାମକ ସୁଦୂର ଗ୍ରହରେ ଉପନିବେଶ ସ୍ଥାପନର ଲକ୍ଷ୍ୟ ରଖି ବାହାରିଥିବା ବିରାଟ ମହାକାଶଯାନରେ ମିକି ‘ଏକ୍‌ସପେଣ୍ଡବ୍‌ଲ’ ଭାବେ କାମ କରୁଛି। ସେଠାରେ ତା’ କାମ ହେଲା ଅତ୍ୟନ୍ତ ବିପଜ୍ଜନକ କାର୍ଯ୍ୟମାନ ସମ୍ପାଦନ କରିବା। ଏକ ଅତ୍ୟାଧୁନିକ ଯନ୍ତ୍ରରେ ମିକିର ସ୍ବରୂପ ଓ ସ୍ମୃତି ସଂରକ୍ଷିତ ଥିବାରୁ ତା’ ମୃତ୍ୟୁ ହୋଇଗଲେ ବି ପରବାୟ ନାହିଁ, କାରଣ ତାକୁ ପୁଣି ଥରେ କିଛି ଘଣ୍ଟା ମଧ୍ୟରେ ଫଟୋଟିଏ ପରି ‘ପ୍ରିଣ୍ଟ’ କରିବା ସମ୍ଭବ। ଦୀର୍ଘ ଯାତ୍ରା କାଳରେ ସିକ୍ୟୁରିଟି ଏଜେଣ୍ଟ ନାଶା (ନାଓମି ଆକି) ସହିତ ମିକିର ପ୍ରେମ ସମ୍ପର୍କ ଗଢ଼ିଉଠୁଛି। ଚାରିବର୍ଷ ପରେ ଉକ୍ତ ମହାକାଶଯାନଟି ‘ନିଫ୍ଲେଇମ୍‌’ ଗ୍ରହରେ ପହଞ୍ଚିବା ପରେ ସେଠାକାର ବାୟୁରେ ଥିବା ମାରାତ୍ମକ ଭୂତାଣୁର ଟିକା ପ୍ରସ୍ତୁତି ପାଇଁ ମିକିର ଏକାଧିକ ସ୍ବରୂପକୁ ପରୀକ୍ଷାଗାରର ମୂଷା ପରି ବ୍ୟବହାର କରାଯାଉଛି। ଏହିପରି ଭାବେ ସତରତମ ମିକି ବଞ୍ଚି ଥାଉଥାଉ ଭୁଲ୍‌ କ୍ରମେ ଅଠରତମ ମିକି ସୃଷ୍ଟି କରାଯାଉଛି, ଯାହା ଯୁଗ୍ମ ଭୂମିକାରେ ରବର୍ଟଙ୍କୁ ଅଭିନୟ ଦକ୍ଷତା ଦେଖାଇବାର ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିଛି। ‘ନିଫ୍ଲେଇମ୍‌’ ଅଭିଯାନର ଆତ୍ମମୁଗ୍‌ଧ ନେତୃତ୍ବ ତଥା ଖଳନାୟକ କେନେଥ୍‌ ମାର୍ସାଲ ଚରିତ୍ରରେ ମାର୍କ ରୁଫାଲୋଙ୍କ ଅଭିନୟ ମଧ୍ୟ ଖୁବ୍ ସ୍ମରଣୀୟ।

ଏହି ସିନେମାଟି ମଣିଷର ଔପନିବେଶିକ ଆଚରଣ ଓ ଆତ୍ମକୈନ୍ଦ୍ରିକ ରାଜନେତାମାନଙ୍କ ବିଧ୍ବଂସକାରୀ ପଦକ୍ଷେପକୁ ବିଦ୍ରୂପ କରିବା ସହିତ ଏଲିଅନ୍‌ (ବା ଆମଠାରୁ ଭିନ୍ନ)ମାନଙ୍କୁ ସର୍ବଦା ଶତ୍ରୁ ଭାବିବାର ପ୍ରବଣତାକୁ ଖୁବ୍ ସମ୍ବେଦନଶୀଳ ଢଙ୍ଗରେ ପୁନର୍ବିଚାର କରିବା ପାଇଁ ଆହ୍ବାନ କରିଛି। ଗୋଟିଏ ଦୁର୍ଘଟଣାରେ ମାଆଙ୍କ ମୃତ୍ୟୁ ପାଇଁ ମିକି ନିଜକୁ ଦୋଷୀ ଭାବି ବଞ୍ଚିବାର ହୃଦୟବିଦାରକ ଅନୁଭବ ହେଉ ବା ବିଷାଦମୟ ପରିସ୍ଥିତିରେ ହାସ୍ୟରସର ପୁଟ ହେଉ, ବିଭିନ୍ନ ରୋଚକ ଦୃଶ୍ୟ ଜରିଆରେ ପ୍ରାୟ ଅଢ଼େଇ ଘଣ୍ଟାଯାକ ଏହି କାହାଣୀଟି ଦର୍ଶକକୁ ପରଦା ସହ ବାନ୍ଧି ରଖିବାକୁ ସକ୍ଷମ। ଏହାର ସିନେମାଟୋଗ୍ରାଫି, ପୃଷ୍ଠଭୂମି ସଂଗୀତ, ଭିଏଫ୍‌ଏକ୍ସ ଭଳି ବିଭାଗର କାମ ନିଖୁଣ ସ୍ତରର। ତେଣୁ ଏକ ସ୍ବୟଂସମ୍ପୂର୍ଣ୍ଣ ତଥା ଅଭିନବ ‘ସାଇନ୍‌ସ-ଫିକ୍ସନ’ ଚଳଚ୍ଚିତ୍ର ଭାବେ ‘ମିକି ୭’ର ଦେଖିବାକୁ ସୁପାରିସ କରିବାରେ କୌଣସି ଦ୍ବିଧା ନାହିଁ। ଗତ ୭ ତାରିଖ ଏହା ‘ଜିଓ ହଟ୍‌ଷ୍ଟାର୍‌’ରେ ମୁକ୍ତିଲାଭ କରିଛି।