ରକ୍କି ଔର୍‌ ରାନୀ କୀ ପ୍ରେମ୍‌ କହାନୀ

ବଲିଉଡ୍‌ର ପରିଚିତ ପ୍ରଯୋଜକ-ନିର୍ଦ୍ଦେଶକ କରନ୍ ଜୋହରଙ୍କ ୪୬ତମ ସିନେମାର ସୁଟିଂ ଆରମ୍ଭ ହେବାକୁ ଯାଉଛି। ଏହାର ଟାଇଟଲ୍ ରହିଛି ‘ରକ୍କି ଔର୍ ରାନୀ କୀ ପ୍ରେମ୍ କହାନୀ’। କରନ୍‌ ‘ଗଲିବୟ’ର ପ୍ରେମୀଯୋଡ଼ି ରଣବୀର-ଆଲିଆଙ୍କୁ ପୁଣି ଏହି ଚଳଚ୍ଚିତ୍ରରେ ଯୋଡ଼ି କରିଛନ୍ତି। ସିନେମାର ଶୀର୍ଷକ ଘୋଷଣା ହେବା ପରେ ରଣବୀର ଓ ଆଲିଆ ସୋସିଆଲ୍ ମିଡିଆରେ ନିଜ ନିଜର ଲୁକ୍ ଟେଷ୍ଟ, ପୋଷ୍ଟର ସୁଟ୍ ଓ ରିଡିଙ୍ଗ୍ ସେସନ୍‌ର ଭିଡିଓ ପୋଷ୍ଟ କରିଛନ୍ତି।

ନିର୍ଦ୍ଦେଶକ କରନ୍ ଓ ଡିଜାଇନର୍‌ ମନୀଷ ମଲହୋତ୍ରା ମଧ୍ୟ ଏଇ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବା ପୂର୍ବରୁ ନିଜ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଉଲ୍ଲେଖ କରିଛନ୍ତି, ‘ସୁରୁ ହୋ ଗୟି ହୈ ୟହ ଅନୋଖି କହାନୀ ଅଫ୍ ରକ୍କି ଔର ରାନୀ କୀ ପ୍ରେମ୍ କହାନୀ। ତୋ ଦିଜିଏ ହମେ ଅପନା ଆଶୀର୍ବାଦ ଔର୍‌ ପ୍ୟାର, ଔର୍‌ ଚଲିଏ ଇସ୍ ସଫର ମେ ହମାରେ ସାଥ’। କରନ ଆହୁରି ମଧ୍ୟ କହିଛନ୍ତି, ‘ଏହା ମୋ ପାଇଁ ଏକ ନୂଆ ଯାତ୍ରା, ମୋତେ ମୋ ପ୍ରିୟସ୍ଥାନକୁ ଫେରିବାର ଅଛି, ଏହା ହେଉଛି ପ୍ରକୃଷ୍ଟ ସମୟ, ଯେତେବେଳେ କିଛି ଶାଶ୍ବତ ପ୍ରେମ କାହାଣୀ ତିଆରି ହେବା ଉଚିତ। ପ୍ରେମ ଓ ପରିବାରକୁ ନେଇ ଆମେ କିଛି ନୂଆ କଥା କରିବାକୁ ଯାଉଛୁ।’

ରକ୍କି ଔର୍ ରାନୀ କୀ ପ୍ରେମ୍ କହାନୀ’ରେ ଜୟା ବଚ୍ଚନ ରଣବୀରଙ୍କ ଜେଜେ ମା’ ଏବଂ ଧର୍ମେନ୍ଦ୍ର ଓ ସବାନା ଆଜମୀ ଆଲିଆଙ୍କ ଜେ‌ଜେବାପା ଓ ଜେଜେ ମା’ ଭୂମିକାରେ ଅବତୀର୍ଣ୍ଣ ହେବେ। ଏଇ ଫିଲ୍ମର କାହାଣୀ ଲେଖିଛନ୍ତି ଇଶିତା ମୈତ୍ର, ଶଶାଙ୍କ ଖୈତାନ୍ ଓ ସୁମିତ ରୟ। କୁଚ୍ଛ କୁଚ୍ଛ ହୋତା ହୈ, କଭି ଖୁସି କଭି ଗମ୍, କାଲ୍ ହୋ ନା ‌ହୋ, କଭି ଅଲବିଦା ନା କେହନାରୁ ଆରମ୍ଭ କରି ଅଗ୍ନିପଥ, ଷ୍ଟୁଡେଣ୍ଟ ଅଫ୍ ଦ ଇୟର, ଧଡ଼କ, ସିମ୍ବା, କଲଙ୍କ, କେଶରୀ ପରି ସଫଳ ସିନେମା ଦେଇଥିବା ସିନେନିର୍ମାତା କରନ୍ ଜୋହରଙ୍କ ପ୍ରଯୋଜିତ ସଦ୍ୟତମ ସିନେମା ହେଉଛି ‘ସୂର୍ଯ୍ୟବଂଶୀ’ ଓ ‘ବ୍ରହ୍ମାସ୍ତ୍ର’।

ସମ୍ବନ୍ଧିତ ଖବର