ଏଚ୍ସିଏଲ୍ ଟେକ୍ନୋଲୋଜିର ଅଧ୍ୟକ୍ଷା ରୋଶନି ନାଦାର ମାଲେହାତ୍ରା ମହିଳାମାନଙ୍କ ହୁରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ୍ ୨୦୨୫ରେ ପ୍ରଥମ ଭାରତୀୟ ଭାବେ ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଇତିହାସ ରଚିଛନ୍ତି। ତାଙ୍କର ସମ୍ପତ୍ତିର ଆନୁମାନିକ ମୂଲ୍ୟ ୩.୫ ଲକ୍ଷ କୋଟି ଟଙ୍କା ଏବଂ ସେ ବିଶ୍ୱର ସବୁଠାରୁ ଧନୀ ମହିଳାଙ୍କ ମଧ୍ୟରେ ପଞ୍ଚମ ସ୍ଥାନ ହାସଲ କରିଛନ୍ତି। ଖାଲି ସେତିକି ନୁହେଁ, ସେ ଭାରତୀୟ କୋଟିପତି ମୁକେଶ ଅମ୍ବାନୀ ଓ ଗୌତମ ଅଦାନୀଙ୍କ ସମକକ୍ଷ ମଧ୍ୟ ହୋଇଛନ୍ତି।
ତାଙ୍କ ପିତା, ଏଚ୍ସିଏଲ୍ ଟେକ୍ନୋଲୋଜିର ପ୍ରତିଷ୍ଠାତା ଶିବ ନାଦାରଙ୍କ ଠାରୁ ୪୭ ପ୍ରତିଶତ ଅଂଶଧନ ହସ୍ତାନ୍ତର ପରେ ତାଙ୍କର ରାଙ୍କିଙ୍ଗ୍ରେ ଉନ୍ନତି ଘଟିଛି। ଏହି ସ୍ଥାନାନ୍ତର ଦ୍ବାରା ସେ ଏଚ୍ସିଏଲ୍ ଟେକ୍ନୋଲୋଜିର ପ୍ରମୋଟର୍ ସଂସ୍ଥା, ଭାମା ସୁନ୍ଦରୀ ଇନଭେଷ୍ଟମେଣ୍ଟ (ଭାମା ଦିଲ୍ଲୀ) ଓ ଏଚ୍ସିଏଲ୍ କର୍ପୋରେସନ୍କୁ ନିୟନ୍ତ୍ରଣ କରିବେ। ଫଳସ୍ୱରୂପ, ରୋଶନି ନାଦାର ମାଲହୋତ୍ରା ଏବେ ୧୨ ବିଲିୟନ ଡଲାର ଟେକ୍ନୋଲୋଜି ଜାଏଣ୍ଟର ସମସ୍ତ ରଣନୈତିକ ନିଷ୍ପତ୍ତି ତଦାରଖ କରିବେ।
ଏହି ସ୍ଥାନାନ୍ତର ସହିତ, ରୋଶନି ନାଦାର ମାଲହୋତ୍ରା ଏବେ ଭାମା ଦିଲ୍ଲୀର ୪୪.୧୭ ପ୍ରତିଶତ ଅଂଶଧନ ଓ ଏଚ୍ସିଏଲ୍ କର୍ପ ଏଚ୍ସିଏଲ୍ ଟେକ୍ନୋଲୋଜିରେ ୦.୧୭ ପ୍ରତିଶତ ଅଂଶଧନ ପାଇଁ ଭୋଟ ଅଧିକାର ଏବଂ ଏଚ୍ସିଏଲ୍ ଇନ୍ଫୋସିଷ୍ଟମ୍ରେ ଭାମା ଦିଲ୍ଲୀର ୧୨.୯୪ ପ୍ରତିଶତ ଅଂଶଧନ ଓ ଏଚ୍ସିଏଲ୍ କର୍ପର ୪୯.୯୪ ପ୍ରତିଶତ ଅଂଶଧନ ଉପରେ ଭୋଟିଂ ଅଧିକାର ଉପରେ ନିୟନ୍ତ୍ରଣ ରଖିଛନ୍ତି। ଏହା ପୂର୍ବରୁ ଶିବ ନାଦାର ଭାମା ଦିଲ୍ଲୀ ଓ ଏଚ୍ସିଏଲ୍ କର୍ପ ଉଭୟରେ ୫୧ ପ୍ରତିଶତ ଅଂଶଧନ ରଖିଥିଲେ, ଯେତେବେଳେ ରୋଶନି ନାଦାର ମାଲହୋତ୍ରାଙ୍କର ଉଭୟ ସଂସ୍ଥାରେ ୧୦.୩୩ ପ୍ରତିଶତ ମାଲିକାନା ଥିଲା।
ରୋଶନି ନାଦାର ମାଲହୋତ୍ରା ଜୁଲାଇ ୨୦୨୦ ରେ ଏଚ୍ସିଏଲ୍ ଟେକ୍ନୋଲୋଜିସ୍ର ଅଧ୍ୟକ୍ଷା ଭାବରେ ଦାୟିତ୍ୱଗ୍ରହଣ କରିଥିଲେ। ସେ ଶିବ ନାଦାର ଫାଉଣ୍ଡେସନ୍ର ଜଣେ ଟ୍ରଷ୍ଟି ମଧ୍ୟ, ଯାହା ଭାରତରେ ଅନେକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଛି। ହୁରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ୍ ୨୦୨୫ରେ ଆହୁରି ଅନେକ ଭାରତୀୟ କୋଟିପତି ଅଛନ୍ତି। ଗୌତମ ଅଦାନୀ ଭାରତର ଦ୍ୱିତୀୟ ସବୁଠାରୁ ଧନୀ ବ୍ୟକ୍ତି ଭାବରେ ରହିଛନ୍ତି ଏବଂ ବିଶ୍ୱସ୍ତରରେ ୧୮ ତମ ସ୍ଥାନରେ ଅଛନ୍ତି। ସନ୍ ଫାର୍ମାସ୍ୟୁଟିକାଲ୍ର ଦିଲୀପ ସାଂଘଭି ଭାରତରେ ଚତୁର୍ଥ ସ୍ଥାନରେ ଅଛନ୍ତି, ତାଙ୍କ ପରେ ୱିପ୍ରୋର ଅଜିମ୍ ପ୍ରେମଜୀ ପଞ୍ଚମ ସ୍ଥାନରେ ଅଛନ୍ତି। ହେଲେ ସେମାନଙ୍କ ଭିତରେ ଜଣେ ମହିଳା ଉଦ୍ୟୋଗୀ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ତିଆରି କରିବା ନିହାତି ପ୍ରଶଂସାଯୋଗ୍ୟ।