ଅନେକଙ୍କର ଏକ ବଦ୍ଧମୂଳ ଧାରଣା ଯେ ତନୁପାତଳୀ ମହିଳାମାନେ ହେଉଛନ୍ତି ସୌନ୍ଦର୍ଯ୍ୟର ଶୀର୍ଷ ସ୍ଥାନର ଅଧିକାରୀ। ସେହି କାରଣରୁ ପତଳା ସେଲିବ୍ରିଟିଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରି ଅନେକ ମହିଳା ଓଜନ ହ୍ରାସକୁ ନୂଆ ବର୍ଷର ସଂକଳ୍ପ ଭାବେ ସ୍ଥିର କରିସାରିଥିବେ। ପତଳା ହେବାକୁ ସଂଘର୍ଷ କରୁଥିବା ସେଲିବ୍ରିଟିଙ୍କୁ ଅନେକ ସମୟରେ ଲୋକେ ‘ମୋଟୀ’, ‘ହାତୀ’, ‘ମଇଁଷି’ ଆଦି ନାମରେ ସମ୍ବୋଧନ କରି ଅପମାନିତ କରୁଥିବାର ଦେଖାଯାଏ। ଅବିଶ୍ବାସ୍ୟ ମନେ ହେଲେ ହେଁ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯାହାଙ୍କୁ ନିଜର ପତଳା ଶରୀର ଲାଗି ଆକ୍ଷେପର ସମ୍ମୁଖୀନ ହେବାକୁ ପଡ଼ିଛି। ନିକଟରେ ଅଭିନେତ୍ରୀ ମୌନୀ ରୟ ଏକ କଳା ବିକିନିରେ ନିଜର ଏକ ଫଟୋ ଛାଡ଼ିଥିଲେ। ଏ ଫଟୋ ତଳେ ଅନେକ ଲୋକ ‘କଙ୍କାଳ’ ଲେଖିବାକୁ ପଛାଇ ନ ଥିଲେ। ସେହିପରି ‘ବିଗ୍ ବସ୍’ କାର୍ଯ୍ୟକ୍ରମରେ ଦେଖାଦେବା ପରେ ଅନେକଙ୍କ ହୃଦୟରେ ସ୍ଥାନ ଅଧିକାର କରିଥିବା ତେଜସ୍ବୀ ପ୍ରକାଶଙ୍କୁ ପତଳା ଚେହେରା ଲାଗି ଆକ୍ଷେପ ସହିବାକୁ ପଡ଼ିଥିଲା।

Advertisment

ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ତାଙ୍କର ଶରୀରର କ୍ଷୀଣ ଗଠନ ଲାଗି ନିୟମିତ ଅନ୍‌ଲାଇନ୍‌ ବିଦ୍ରୂପର ଶିକାର ହେଉଥିବା ଯୋଗୁଁ ହତୋତ୍ସାହିତ ଅନୁଭବ କରନ୍ତି ବୋଲି ଅତୀତରେ କହିଛନ୍ତି। ଟେଲିଭିଜନ୍ ଧାରାବାହିକର ଜଣେ ଉଦୀୟମାନ ଅଭିନେତ୍ରୀ ହେଉଛନ୍ତି ଅନେରୀ ବଜାନୀ। ସେ ଏକଦା ବିକିନି ପରିଧାନ କରିଥିବାର ଫଟୋ ଛାଡ଼ିବାରୁ ଲୋକେ କହିଥିଲେ ଯେ ସେ ଅଙ୍ଗ ପ୍ରଦର୍ଶନ କରିବା ଲାଗି ଯୋଗ୍ୟ ନୁହେଁ। କୃଶାଙ୍ଗୀ ମନ୍ଦନା କରିମି ଅନୁରୂପ ଟିପ୍ପଣୀ ଲାଗି ଏକଦା ନିଜର ଏକ ଫଟୋ ଡିଲିଟ୍ କରିବାକୁ ବାଧ୍ୟ ହୋଇଥିଲେ। ଏକ ସକାରାତ୍ମକ କଥା ହେଲା ଅନେକ ନାରୀବାଦୀ କର୍ମୀ ଆଜିକାଲି ନିଜର ଶରୀର ଗଠନକୁ ଗ୍ରହଣ କରିବା ଲାଗି ମହିଳାମାନଙ୍କୁ ଉପଦେଶ ଦେଉଛନ୍ତି। ତଥାପି ମହିଳାଙ୍କୁ ଅପମାନ ଦେବା ଲାଗି ଲୋକେ ବାହାନା ଖୋଜିବାରେ ନିପୁଣ। ଏହାର ଏକ ଉତ୍କୃଷ୍ଟ ଉଦାହରଣ ହେଉଛନ୍ତି କରୀନା କପୁର ଖାଁ। ଅତୀତରେ ସେ ଅତ୍ୟନ୍ତ ପତଳା ଥିବା ବେଳେ ତାଙ୍କୁ ଯେଉଁଭଳି ତିରସ୍କାର କରାଯାଉଥିଲା, ତିନି ପିଲାଙ୍କ ମାଆ ହେବା ପରେ ଓଜନ ବୃଦ୍ଧିକୁ ନେଇ ମଧ୍ୟ ସେହିଭଳି ବ୍ୟଙ୍ଗ କରାଯାଉଛି।