‘ଆରଆରଆର-୨’ର କାହାଣୀ ଉପରେ କାମ କରୁଛନ୍ତି ରାଜାମୌଲୀଙ୍କ ବାପା, ଖୁବ ଶୀଘ୍ର ପରଦାକୁ ଆସିବ ଫିଲ୍ମ !

ମୁମ୍ବାଇ: ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ଏବଂ ରାମ ଚରଣଙ୍କ ଅଭିନୀତ ଫିଲ୍ମ ‘ଆରଆରଆର’ ଥିଲା ୨୦୨୨ର ସବୁଠାରୁ ବଡ ବ୍ଲକବଷ୍ଟର। ଭାରତରେ ଏହି ଫିଲ୍ମଟି ୯୦୦କୋଟିରୁ ଅଧିକ ଆୟ କରିଥିବା ବେଳେ ବିଶ୍ବ ବ୍ୟାପୀ ଫିଲ୍ମର ମୋଟ ସଂଗ୍ରହ ୧୧୦୦କୋଟିରୁ ଅଧିକ ଥିଲା। କେବଳ ହିନ୍ଦୀ ସଂସ୍କରଣରୁ ୨୫୦କୋଟିରୁ ଅଧିକ ଆୟ କରିଥିବା ‘ଆରଆରଆର’ ଅନେକ ବଲିଉଡ ଫିଲ୍ମକୁ ବକ୍ସ ଅଫିସରେ ମାତ୍ ଦେଇଥିଲା। ଫିଲ୍ମ ନିର୍ମାତା ଏସଏସ ରାଜାମୌଲି ‘ବାହୁବଲୀ’ ଫ୍ରାଞ୍ଚାଇଜ୍ ପରେ ‘ଆରଆରଆର’ ଭଳି ବ୍ଲକବଷ୍ଟର ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ। ‘ଆରଆରଆର’ର ସଫଳତା ପରେ ଏବେ ‘ଆରଆରଆର-୨’ର କାହାଣୀକୁ ନେଇ କାମ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ପ୍ରେକ୍ଷାଳୟରେ କମାଲ କରିବା ପରେ ‘ଆରଆରଆର’ର ଓସ୍କାର ଅଭିଯାନ ଏବେ ଆରମ୍ଭ ହୋଇଛି ଏବଂ ରାଜାମୌଲି ବର୍ତ୍ତମାନ ସାରା ବିଶ୍ୱରେ ତାଙ୍କ ଚଳଚ୍ଚିତ୍ର ସହ ଜଡିତ ଇଭେଣ୍ଟରେ ସାମିଲ ହେବାରେ ବ୍ୟସ୍ତ ଅଛନ୍ତି। ନିକଟରେ, ଚିକାଗୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜାମୌଲି ‘ଆରଆରଆର-୨’ ସହ ଜଡିତ ଏକ ବଡ଼ ଅପଡେଟ୍ ଦର୍ଶକଙ୍କୁ ଦେଇଛନ୍ତି। ‘ଆରଆରଆର-୨’ର ସିକ୍ୱେଲ ତିଆରି କରିବା ନେଇ ରାଜାମୌଲି କହିଛନ୍ତି, ‘ମୋ ବାପା ମୋର ସମସ୍ତ ଚଳଚ୍ଚିତ୍ରର କାହାଣୀ ଲେଖନ୍ତି। ଆମେ ‘ଆରଆରଆର-୨’ର ସିକ୍ୱେଲକୁ ନେଇ ଆଲୋଚନା କରିଛୁ ଏବଂ ସେ ଏବେ କାହାଣୀ ଉପରେ କାମ କରୁଛନ୍ତି।

ତାଙ୍କର ଏଭଳି ବୟାନ ପରେ ଏହା ସ୍ପଷ୍ଟ ହୋଇଛି ଯେ, ଫିଲ୍ମର କାହାଣୀ ଉପରେ କାମ ଶେଷ ହେବା ପରେ ଖୁବଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ। ଏହା ସହ ପୁଣି ଥରେ ପ୍ରେକ୍ଷାଳୟରେ ସୁପରଷ୍ଟାର ଜୁନିଅର ଏନଟିଆର ଏବଂ ରାମ ଚରଣ କମାଲ କରିବେ।

ସମ୍ବନ୍ଧିତ ଖବର