ଏଚ୍‌ଡିରେ ଲିକ୍ ହେଲା ‘ଆରଆରଆର୍’, ଚଳଚ୍ଚିତ୍ରର ବ୍ୟବସାୟ ଉପରେ ପଡିପାରେ ପ୍ରଭାବ

ହାଇଦ୍ରାବାଦ: ରାମ ଚରଣ, ଜୁନିୟର ଏନ.ଟି.ଆର୍, ଅଜୟ ଦେବଗନ, ଆଲିଆ ଭଟ୍ଟଙ୍କ ଅଭିନୀତ ‘ଆରଆରଆର୍’କୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି। ଆଶା କରାଯାଉଛି ‘ଆରଆରଆର୍’ ବକ୍ସ ଅଫିସର ଅନେକ ରେକର୍ଡ ଭାଙ୍ଗିବ। ଚଳଚ୍ଚିତ୍ର ସହିତ ଜଡିତ ଅନେକ ଫଟୋ, ଭିଡିଓ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ଯେଉଁଥିରେ ପ୍ରଶଂସକମାନେ ଏସ୍.ଏସ୍. ରାଜାମୌଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରର ଆକ୍ସନ୍ ଓ ଭିଏଫଏକ୍ସର ପ୍ରଶଂସା କରୁଛନ୍ତି।
ଇତ୍ୟବସରରେ ‘ଆରଆରଆର୍’ର ନିର୍ମାତାମାନଙ୍କ ପାଇଁ ଅଶୁଭ ଖବର ସାମନାକୁ ଆସିଛି। ‘ଆରଆରଆର୍’ ଚଳଚ୍ଚିତ୍ର, ଉତ୍ତମ ଗୁଣବତ୍ତା ବିଶିଷ୍ଟ ଏଚ୍.ଡି.(ହାଇ ଡେଫିନିସିନ୍)ରେ ଲିକ୍ ହୋଇଯାଇଛି।

ଏସ୍.ଏସ୍. ରାଜାମୌଲିଙ୍କ ‘ଆରଆରଆର୍’କୁ ଦର୍ଶକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। କିଛି ଥର ରିଲିଜ୍ ତାରିଖ ଘୁଞ୍ଚିବା ପରେ ଶେଷରେ ୨୫ ମାର୍ଚ୍ଚରେ ଚଳଚ୍ଚିତ୍ରକୁ ରିଲିଜ୍ କରାଯାଇଛି। ପ୍ରଥମ ଦିନରେ ହିଁ ଦେଶର ବହୁ ସିନେମାଘରେ ଆଡଭାନ୍ସଡ ବୁକିଂ ହାଉସଫୁଲ୍ ହୋଇଥିଲା। ମିଡିଆ ରିପୋର୍ଟ ଅନୁସାରେ ଚଳଚ୍ଚିତ୍ରଟି ଏଚ.ଡି.ରେ ଲିକ୍ ହୋଇଛି। କେତେକ ବେଆଇନ୍ ଓ୍ୱେବସାଇଟରେ ‘ଆରଆରଆର୍’ ଉପଲବ୍ଧ ହେଉଛି। ଏହା ଦ୍ଵାରା ଚଳଚ୍ଚିତ୍ରର ଆୟ ଉପରେ ପ୍ରଭାବ ପଡିପାରେ। ଏହି ଚଳଚ୍ଚିତ୍ର ପୂର୍ବରୁ ‘ରାଧେ ଶ୍ୟାମ୍’, ‘ପୁଷ୍ପା- ଦ ରାଇଜ୍’ ବି ଅନଲାଇନରେ ଲିକ୍ ହୋଇଥିଲା।

ପ୍ରାୟ ୫୫୦ କୋଟି ଟଙ୍କାରେ ତିଆରି ହୋଇଥିବା ‘ଆରଆରଆର୍’ ୨୦୨୨ ର ସବୁଠୁ ଚର୍ଚ୍ଚିତ ଓ ବ୍ୟୟବହୁଳ ଚଳଚ୍ଚିତ୍ର। ତେଣୁ ଦର୍ଶକମାନେ ସିନେମା ଘରେ ହିଁ ‘ଆରଆରଆର୍’କୁ ଦେଖନ୍ତୁ ବୋଲି ‘ଆରଆରଆର୍’ର ନିର୍ମାତା ନିଶ୍ଚୟ ଚାହିଁବେ।

ସମ୍ବନ୍ଧିତ ଖବର