ରୁଦ୍ର ଏବେ ପ୍ରେମୀ ଦିଓ୍ଵାନା!

୨୦୧୭ରେ ଓଲିଉଡ଼୍‍ ହିରୋ ରୁଦ୍ରଙ୍କର କୌଣସି ଗୋଟିଏ ବି ସିନେମା ମୁକ୍ତିଲାଭ କରି ନ ଥିଲା। ଅବଶ୍ୟ ୨୦୧୬ରେ ତାଙ୍କୁ ବିନି ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ଝିଅଟା ବିଗିଡ଼ିଗଲା’ରେ ଦେଖିବାକୁ ମିଳିଥିଲା। ଠିକ୍‌ ସେହିପରି ୨୦୧୫ରେ ଶାନ୍ତି ମିଡ଼ିଆ ଆଣ୍ଡ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ବ୍ୟାନରରେ ନିର୍ମିତ ଓଡ଼ିଆ ସିନେମା ‘ଅପ୍‌ନା ହାତ୍‌ ଜଗନ୍ନାଥ’ରେ ନଜର ଆସିଥିଲେ ରୁଦ୍ର। ଏଥିରେ ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ନବାଗତା ଉପାସନା ମହାନ୍ତି। ୨୦୧୪ ରେ ‘ଗଳ୍ପ ନୁହେଁ ଅଳ୍ପ ଦିନର’ସିନେମାରେ ବି କାମ କରିଥିଲେ।
ନାୟକ ରୁଦ୍ର ନାରାୟଣ ଘଡ଼େଇଙ୍କ ନିର୍ଦ୍ଦେଶିତ ସିନେମା ‘ମନେ ରହିବ ଏ ପ୍ରେମ କାହାଣୀ’ ଜରିଆରେ ଓଲିଉଡ଼୍‍ରେ ଏଣ୍ଟ୍ରି ନେଇଥିଲେ ।ଏଥିରେ ରୂପାଲି ବନିଥିଲେ ରୁଦ୍ରଙ୍କ ନାୟିକା।


ତେବେ ସେ ଯାହା ହେଉନା କାହିଁକି ରୁଦ୍ର ଏ ବର୍ଷ ଅନ୍ୟୁନ ଗୋଟିଏ ସିନେମାରେ ଲିଡ଼୍‍ ରୋଲ୍‌ରେ ପରଦାକୁ ଆସିବେ ବୋଲି ଆଶା କରାଯାଉଛି। ହଁ ସେ ଏବେ ନୂଆ ସିନେମା ‘ପ୍ରେମୀ ଦିଓ୍ଵାନା’ରେ ଟାଇଟଲ୍‌ ରୋଲ୍‌ରେ ଆସୁଛନ୍ତି। ଏହି ଫିଲ୍ମରେ ତାଙ୍କୁ ମିଳିଛି ଜଣେ ନବାଗତାଙ୍କ ସାଥ୍‌। ସେହି ନବାଗତା ଜଣକ ହେଲେ ସୋଲାଙ୍କି। ଏହାର ଟାଇଟଲ୍‌ରୁ ହିଁ ସ୍ପଷ୍ଟଭାବେ ଜଣାଯାଉଛି ଯେ ‘ପ୍ରେମୀ ଦିଓ୍ଵାନା’ ଏକ ରୋମାଣ୍ଟିକ୍‌ ଫିଲ୍ମ। ସ୍ନେହା ପ୍ରଡ଼କସନ୍‌ସର ଏହା ଦ୍ୱିତୀୟ ସିନେମା। ଆଗରୁ ଏହି ବ୍ୟାନରରେ ‘ଟିକେ ଖରା ଟିକେ ଛାଇ’ ଟାଇଟଲ୍‌ରେ ଅନ୍ୟ ଏକ ଫିଲ୍ମ ନିର୍ମିତ ହୋଇଥିଲା। ଆୟସ୍କାନ୍ତ ମହାନ୍ତି ଏହାର ପ୍ରଯୋଜକ ଓ ଆନନ୍ଦ କୁମାର ନିର୍ଦ୍ଦେଶକ। ରୁଦ୍ରଙ୍କର ଏହି ସିନେମା କି କମାଲ୍‌ କରୁଛି,ତାହା ଦେଖିବାକୁ ବାକି ଅଛି।

ସମ୍ବନ୍ଧିତ ଖବର