ପୁଣି ଓଡ଼ିଆ ସିନେମାରେ ବଙ୍ଗୀୟ ନାୟିକା ରୂପ୍ସା ମୁଖୋପାଧ୍ୟାୟଙ୍କୁ ଦେଖିବାକୁ ମିଳିବ। ଏବେ ସେ ଓଡ଼ିଆ ଛବି ‘ସ୍ପଟ୍ବୟ’ରେ ଅଭିନୟ କରିବାକୁ ଯାଉଛନ୍ତି। ରମେଶ ବାରିକଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଅଶ୍ବିନ ତ୍ରିପାଠୀ। ଡକ୍ଟର ରଜନୀରଂଜନ ଏହାର ସଂଳାପ ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅସଦ୍ ନିଜାମ୍। ଏହାର ଅନ୍ୟ ସବୁ କଳାକାର ଚୟନ ପ୍ରକ୍ରିୟା ଚାଲିଛି। ‘ସ୍ପଟ୍ବୟ’ର ସୁଟିଂ ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେଉଥିବାର ସୂଚନା ଦେଇଛନ୍ତି ପ୍ରଯୋଜକ।
ଓଡ଼ିଆ ଦର୍ଶକ ରୂପ୍ସାଙ୍କୁ ପ୍ରଥମେ ୨୦୨୩ରେ ମୁକ୍ତିଲାଭ କରିଥିବା ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ରାମ୍’ରେ ଅରିନ୍ଦମଙ୍କ ବିପକ୍ଷରେ ଦେଖିବାକୁ ପାଇଥିଲେ। ରତ୍ନା ଫିଲ୍ମସ୍ ବ୍ୟାନର୍ରେ ନିର୍ମିତ ଏହି ଦ୍ବିଭାଷୀ (ଓଡ଼ିଆ-ବଙ୍ଗଳା) ଫିଲ୍ମରେ ରୂପ୍ସା ପ୍ରଭାବଶାଳୀ ଅଭିନୟ କରିଥିଲେ। ସୂଚନାଯୋଗ୍ୟ, ରୂପ୍ସା ୨୦୧୬ରେ ମୁକ୍ତିଲାଭ କରିଥିବା ବଙ୍ଗଳା ଛବି ‘ଭାଲୋବାସା ଭାଲୋବାସା’ରେ ଅଭିନୟ କରି ରାତାରାତି ଚର୍ଚ୍ଚାକୁ ଆସିଥିଲେ। ଏହାପରେ ତାଙ୍କୁ ‘କେ ତୁମି ନନ୍ଦିନୀ’ ଓ ‘ହରର୍ ଷ୍ଟୋରିଜ୍’ ଆଦି ବଙ୍ଗଳା ଛବିରେ ଦେଖିବାକୁ ପାଇଥିଲେ ସିନେପ୍ରେମୀ। ଏବେ ବି ରୂପ୍ସାଙ୍କ ହାତରେ ବେଶ୍ କେତୋଟି ବଙ୍ଗଳା ସିନେମା ଅଛି।