ରୁଷିଲେ କି ରାଇ!

‘ଏ ସରସ୍ବତୀ ତୁମେ ବ୍ୟସ୍ତ କାହିଁକି ହଉଛ। କଥା କୁହ, କିଛି ହବନି ଆମ ଝିଅ କସ୍ତୁରୀର। ତା’ ବାପା ପରା ବଞ୍ଚିଛି, କିଛି ହବନି ତା’ର। ଆମ ଝିଅ ମଙ୍ଗୁଳି କନ୍ୟା ହେଇଯାଇଛି ବୋଲି ତୁମେ ବ୍ୟସ୍ତ ହଉଛ। ମୁଁ ମୋ ଝିଅ ପାଇଁ ବର ଯୋଗାଡ଼ କରିବି। ଲୋକଙ୍କୁ ଖବର ଦେଇ ସାରିଛି। ତା’ବାହାଘର କଣ ବନ୍ଦ ହେବ? ସେ ମଙ୍ଗୁଳି କନ୍ୟା, ଯେମିତି ହେଲେ ମୁଁ ତା’ ବାହାଘର କରିବି। ସରସ୍ବତୀ ତୁମେ ଜମା ବ୍ୟସ୍ତ ହୁଅନି।’

‘ହେ ନାରାୟଣ ଗୋସେଇଁ! ଏ ଦରିଦ୍ର ନୀଳାମ୍ବରକୁ ଦୟାକର ଠାକୁରେ ଦୟାକର। ଅଭିନୟ କରୁ କରୁ ତୁମକୁ କେତେବେଳେ କ’ଣ କହିଦେଇଛି। ସେଇ କଥାକୁ ଧରିବସନି, କ୍ଷମା କରିଦିଅ। ତୁମେ ତ କରୁଣାର ସାଗର, ଦୟାବନ୍ତ। ତୁମେ ଏ ଦରିଦ୍ରଟାକୁ ଟିକେ ଦୟା କର, ତୁମ ବାନା ଫରଫର ହେଇ ଉଡ଼ିବ ଠାକୁରେ। କାହିଁକି ଆଉ ଡେରି କରୁଛ ତୁମେ ଠାକୁରେ।’

ଅନେକ ହୃଦୟସ୍ପର୍ଶୀ ସଂଳାପ ମଧ୍ୟରୁ ଏ ଦୁଇଟି ଥିଲା ନିଆରା। ମଞ୍ଜରୀ ମନୋରଂଜନ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ମେଗାଧାରାବାହିକ ‘ସିଂହଦ୍ବାର’ରେ ଅଭିନେତା ରାଇମୋହନଙ୍କ ମୁହଁରୁ ଉତୁରି ଆସିଥିବା କିଛି ସଂଳାପର ଏହା କିୟଦଂଶ। ବିଡ଼ମ୍ବନାର ବିଷୟ କରୋନା ମହାମାରୀ ଉପରୁ କଟକଣା ଉଠିଗଲା, ସିନେମା, ସିରିଏଲ୍‌ ଓ ଯାତ୍ରା ଜଗତ ଚଳଚଞ୍ଚଳ ହେଇଉଠିଲା, ଅଥଚ ଏଭଳି ମାହେନ୍ଦ୍ରବେଳାରେ ଅଭିନେତା ରାଇମୋହନଙ୍କ ଦେହାନ୍ତ ହେଇଗଲା। ଏ ତିନିଟି ଜଗତ ସହ ସଂପୃକ୍ତ ଥିବା ରାଇମୋହନ ସତରେ ଶୂନ୍ୟତା ସୃଷ୍ଟି କରିଦେଇଗଲେ। ଏଇ କିଛିବର୍ଷ ଅନ୍ତରରେ ଦେବୁ ବୋଷ, ମୀନକେତନ, ବିଜୟ ମହାନ୍ତି, ଅଜିତ ଦାସ, ମିହିର ଦାସ ଭଳି କଳାକାରଙ୍କ ଅକାଳ ବିୟୋଗ ହେଇଥିବା ବେଳେ ଦର୍ଶକଙ୍କ ପଥସଙ୍ଖାଳି ଥିଲେ ଏକମାତ୍ର ରାଇମୋହନ। ହେଲେ ସେ ବି ସମସ୍ତଙ୍କୁ ନିରାଶ କରି ଚାଲିଗଲେ ଆ‌ରପାରିକୁ।

କିଛି ଦିନ ତଳେ ସମ୍ବାଦ ‘ରବିବାର’ରେ ତାଙ୍କ ‘ପହିଲି ପୁଲକ’ରେ ଆଲେଖ୍ୟଟିଏ ପ୍ରକାଶିତ ହେଇଥିଲା। ଏଥିରେ ସେ କହିଥିବା ନିଜ ଅନୁଭୂତିକୁ ଆମେ ଆଉ ଥରେ ଦୋହରାଉଛୁ। ୧୯୮୬-୮୭ ମସିହାର କଥା। ଗୋଟେ ସିନେମାରେ ତାଙ୍କୁ ସୁଯୋଗ ମିଳିଲା। ସିନେମାର ନାଁ ଥିଲା ‘ସାଗର’। ଏଥିରେ ତାଙ୍କୁ ମୁଖ୍ୟ ଖଳନାୟକ ଚରିତ୍ର ମିଳିଥିଲା। କ୍ୟାମେରା ସାମ୍ନାରେ ୮ଥର ସଟ୍ ନିଆଗଲା। ତେବେ ବି ସଟ୍‌ଟି ଓକେ ହେଉଥଇଲା। ଶେଷରେ ତାଙ୍କ ସହ ଅଭିନୟ କରୁଥିବା ଦୁଃଖୀରାମ ସ୍ବାଇଁ ଆସି କହିଲେ, ଆରେ ମୁଁ ତ ତୁମ ଅଭିନୟ ଦେଖିଛି, ତୁମେ ସଙ୍ଗୀତ ମହାବିଦ୍ୟାଳୟର ପିଲା। ତୁମ ଅଭିନୟ ଏମିତି କାହିଁକି ହେଉଛି? ସେ ଥିରି ଥିରି କଣ୍ଠରେ କହିଲେ, ‘ସାର୍, ପିଲାବେଳେ ଧଳା କପଡ଼ା ଉପରେ ଆପଣଙ୍କ ଅଭିନୀତ ଗୋଟେ ସିନେମା ଦେଖୁଥିଲି। ସିନେମାର ନାଁ ଥିଲା ‘ମାଟିର ମଣିଷ’। ଏଥିରେ ଆପଣଙ୍କ ଅଭିନୟ ଏତେ ଭୟଙ୍କର ଥିଲା ଯେ ମୁଁ ସିନେମା ଦେଖିବା ଜାଗାରୁ ଉଠି ଦୌଡ଼ିଲି। ମୋ ମା’ଙ୍କୁ ଏକଥା କହିଲି। ସେ କହିଲେ, ରହ ତୁ ବି ଦିନେ ବଡ଼ କଳକାର ହେବୁ। ଏଇ ଡର ତୋତେ ସାହସ ଦେବ। ସେପର୍ଯ୍ୟନ୍ତ ଯେତେ ସିନେମାରେ ଅଭିନୟ କରୁଥିଲି, ମୁଁ କେବଳ ସାଧାରଣ କଳାକାର ହେଇ ରହିଯାଇଥିଲି।’ ଚଳଚ୍ଚିତ୍ର ‘କୋଟିଏ ମଣିଷ ଗୋଟିଏ ଜଗା’ରେ ଅଭିନୟ କରିବା ପରେ ସେ ରାତାରାତି ଷ୍ଟାର୍ ହେଇଗଲେ। ଏଥିରେ ନିର୍ଦ୍ଦେଶନା ଦେଇଥିଲେ ବିଜୟ ଭାସ୍କର। ସେତକି ବେଳେ ଆଉ ଗୋଟିଏ ସିନେମା ‘ଲୁଟ୍ ତରାଜ’ ରିଲିଜ୍ ହେଲା।

ହେଲେ ‘କୋଟିଏ ମଣିଷ ଗୋଟିଏ ଜଗା’କୁ ଦର୍ଶକ ବହୁ ଭାବେ ଗ୍ରହଣ କଲେ। ତାଙ୍କ ନାଁରେ ପୁରପଲ୍ଲୀରେ କୁଆଡ଼େ ‘ନାଗା କ୍ଲବ୍’ ଗଢ଼ିଉଠିଲା। ଏଥିରେ ମାନିଆ ଥିଲା ‘କହିଦବୁ ମୁଁ ନାଗା’। ଏହା ତାଙ୍କ ଅଭିନୟ ଜୀବନକୁ ସବୁଠୁ ବଡ଼ ସଫଳତା ଦେଇଥିଲା। ଏହା ଭିତରେ ସେ ଶହେରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି। ହେଲେ ‘କୋଟିଏ ମଣିଷ ଗୋଟିଏ ଜଗା’ ତାଙ୍କ ଅଭିନୟ କ୍ୟାରିୟର୍‌ରେ ଗତିପଥ ବଦଳାଇ ଦେଇଥିଲା। ଏହାପରେ ‘ତୁ ଥିଲେ ମୋ ଡର କାହାକୁ’ ତାଙ୍କୁ ଭୀଷଣ ଭୟଙ୍କର ଚରିତ୍ର ମିଳିଥିଲା। ସେ ରାଇମୋହନ, ତାଙ୍କ ଚେହେରାରେ ଲଗାତାର ଖଳନାୟକର ଛାପ ବାଜିଚାଲିଲା। ଏକଦା ସେ ଭାବିଲେ ତାଙ୍କୁ କ’ଣ ସକାରାତ୍ମକ ଚରିତ୍ର ମିଳିବନି? ହଁ ମିଳିଲା, ଦର୍ଶକ ଦେଖିଥିବେ ଅର୍ଜୁନ, ସତମିଛ, ଚକାଆଖି ସବୁ ଦେଖୁଛି, ଭୀଷ୍ମ ପ୍ରତିଜ୍ଞା। ଦର୍ଶକ ତାଙ୍କ ପାଇଁ ଈଶ୍ବର, ନ ହେଲେ ସେ ରାଇମୋହନ ବୋଲି ଏକ ଉଚ୍ଚାରଣ କି ପରିଚୟ ନ ଥାନ୍ତା। ଅନେକ କହୁଛନ୍ତି ଅଭିନୟ ଜୀବନରେ ରାଇଙ୍କର ରାଗରୁଷା ପରି ବାସ୍ତବ ଜୀବନରେ ସେ ରୁଷିଲେ କି! ସତଟା କ’ଣ କେବଳ ସେ ଜାଣିଥିବେ।

ସମ୍ବନ୍ଧିତ ଖବର