ଏ ବର୍ଷ ସବ୍ୟସାଚୀ-ଅର୍ଚ୍ଚିତା ପରସ୍ପରର ସାଥ୍‌ ପାଇନାହାନ୍ତି !

ଭୁବନେଶ୍ୱର : ଓଲିଉଡ୍‌ର କେତେକ ଲୋକପ୍ରି୍ୟ ନାୟକଙ୍କ ସହିତ ଜଣେ ନାୟିକାଙ୍କ ଯୋଡି ଅନେକ ସମୟରେ ଚର୍ଚ୍ଚା ସାଉଁଟିଥାଏ । ଏହି ଯୋଡିର ଫିଲ୍ମ ହିଟ୍‌ ହେଉକି ଫ୍ଲପ୍‌ ସେଥିରେ ବିଶେଷ ଫରକ ପଡେ ନାହିଁ । କିନ୍ତୁ ଏହି ଯୋଡିକୁ ଦର୍ଶକ ବାରମ୍ବାର ଦେଖିବାକୁ ଚାହାଁନ୍ତି । ଏଭଳି ଏକ ଦମଦାର୍‌ ଯୋଡି ହେଲା ସବ୍ୟସାଚୀ-ଅର୍ଚ୍ଚିତାଙ୍କର ।

ସବ୍ୟସାଚୀ-ଅର୍ଚ୍ଚିତା ଯୋଡିଙ୍କର ପ୍ରଥମ ସିନେମା ହେଲା ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମୁଁ ସପନର ସୌଦାଗର’ । ଏହାପରେ ଅଧିକାଂଶ ବର୍ଷ ଏହି ଯୋଡିକୁ କୌଣସି ନା କୌଣସି ଛବିରେ ଦେଖିବାକୁ ମିଳିଛି । ଏପରିକି ଗତବର୍ଷ ମଧ୍ୟ ସବ୍ୟସଚୀ-ଅର୍ଚ୍ଚିତା ଯୋଡିଙ୍କର ତିନୋଟି ସିନେମା ପରଦାକୁ ଆସିଥିଲା । ଏଗୁଡ଼ିକ ହେଲା ଅମରେଶ ପତିଙ୍କ ନିର୍ଦ୍ଦେଶିତ ‘ହେଲା ମତେ ପ୍ରେମ ଜର’, ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ‘ବାଏ ବାଏ ଦୁବାଇ’ ଏବଂ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ‘ଛାତି ତଳେ ଡିଂ ଡଙ୍ଗ୍‌’।

ହେଲେ ୨୦୧୭ରେ ସବ୍ୟସାଚୀ-ଅର୍ଚ୍ଚିତା ଯୋଡିଙ୍କୁ କୌଣସି ଗୋଟିଏ ଓଡ଼ିଆ ଛବିରେ ଦେଖିବାକୁ ପାଇନାହାନ୍ତି ଦର୍ଶକ। ଏ ବର୍ଷ ସବ୍ୟସାଚୀ ଜଣେ ବଙ୍ଗୀୟ ମନୀଷାଙ୍କ ବିପକ୍ଷରେ ନଜର ଆସିଛନ୍ତି ‘ସୀତାରାମଙ୍କ ବାହାଘର କଳିଯୁଗରେ’ ସିନେମାରେ। ଅପରପକ୍ଷରେ ୨୦୧୭ରେ ଅର୍ଚ୍ଚିତାଙ୍କୁ ଦୁଇଟି ସିନେମାରେ ଦେଖିବାକୁ ପାଇଛନ୍ତି। ଏଥିମଧ୍ୟରୁ ‘ଜଷ୍ଟ ମୋହବତ୍‌’ରେ ଆକାଶଙ୍କ ସହ ଓ ‘ଶିବା ନଟ୍‌ ଆଉଟ୍‌’ରେ ଅରିନ୍ଦମ୍‌ଙ୍କ ସହିତ ନଜର ଆସିଛନ୍ତି ଅର୍ଚ୍ଚିତା। ପ୍ରକାରାନ୍ତରେ କହିବାକୁ ଗଲେ ଏ ବର୍ଷ ପରଦାରେ ସବ୍ୟସାଚୀ ଓ ଅର୍ଚ୍ଚିତା ପରସ୍ପରର ସାଥ୍‌ ପାଇନାହାନ୍ତି।

ଏବେ ଦେଖାଯାଉ, ପୁଣି କେଉଁ ସିନେମାରେ ସବ୍ୟସାଚୀ ଓ ଅର୍ଚ୍ଚିତା ଏକାଠି ଆସୁଛନ୍ତି।

ସମ୍ବନ୍ଧିତ ଖବର