ସବ୍ୟସାଚୀଙ୍କ ବ୍ୟବହାରରେ ବିହ୍ଵଳ ହେଲେ ଦୃଷ୍ଟିହୀନା ପ୍ରଶଂସିକା, ପରିବାର ସହ ‘ଫୋର୍‌ ଇଡିଅଟ୍‌ସ’ ପ୍ରିମିଅର୍‌କୁ ଅାସିଲେ

ରେଡିଓ ଚକଲେଟ୍‌କୁ କୃତଜ୍ଞତା ଜଣାଇଲେ

ଭୁବନେଶ୍ୱର: ଓଲିଉଡର ସୋବର ବୟ ସବ୍ୟସାଚୀଙ୍କ ଅଭିନୀତ ନୂଆ ସିନେମା ‘ଫୋର୍‌ ଇଡିଅଟ୍‌ସ’ ଗତକାଲି ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ସବ୍ୟସାଚୀଙ୍କ ବିପକ୍ଷରେ ଏଲିନା ନଜର ଆସିଛନ୍ତି।
‘ଫୋର୍‌ ଇଡିଅଟ୍‌ସ’ର ପ୍ରମୋସନ୍‌ ବେଳେ ସବ୍ୟସାଚୀଙ୍କ କ୍ଷେତ୍ରରେ ଏକ ନୂଆ ଘଟଣା ଘଟିଥିଲା, ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଓଡ଼ିଶାର ଏକନମ୍ବର ଏଫ୍‌ଏମ୍‌ ରେଡିଓ ଚକଲେଟ୍‌ ୧୦୪ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଅଭିନେତା ସବ୍ୟସାଚୀ।
ଗତ ରବିବାର ଦିନ ଆର ଜେ ନୀଲଙ୍କ ସହିତ ସବ୍ୟସାଚୀଙ୍କ ସାକ୍ଷାତକାର ଚାଲିଥିବା ବେଳେ ଶୁଭସ୍ମିତା ନାମ୍ନୀ ଜଣେ ଯୁବତୀ ସବ୍ୟସାଚୀଙ୍କୁ ଫୋନ୍‌ କରି କହିଥିଲେ ଯେ ତାଙ୍କର ଜଣେ ବଡ଼ ପ୍ରଶଂସିକା। ସବ୍ୟସାଚୀଙ୍କ ସହିତ କଥା ହେବା ଲାଗି ଉତ୍ସାହିତ ଥିଲେ ଶୁଭସ୍ମିତା।
ଶୁଭସ୍ମିତା ଆହୁରି ମଧ୍ୟ କହିଥିଲେ ଯେ ସେ କେବଳ ସବ୍ୟସାଚୀଙ୍କ କଣ୍ଠସ୍ୱର ଶୁଣିପାରୁଛନ୍ତି, କିନ୍ତୁ ତାଙ୍କର କୌଣସି ବି ସିନେମା ଦେଖିବାକୁ ପାଇ ନାହାଁନ୍ତି, କାରଣ ସେ ଜଣେ ଦୃଷ୍ଟିହୀନା।
ଏକଥା ଜାଣିବା ପରେ ସବ୍ୟସାଚୀ ତାଙ୍କର ପ୍ରଶଂସିକା ଶୁଭସ୍ମିତାଙ୍କୁ କଟକର ବୃନ୍ଦାବନ ଟକିଜରେ ଅନୁଷ୍ଠିତ ‘ଫୋର୍‌ ଇଡିଅଟ୍‌ସ’ର ପ୍ରିମିଅର୍‌ରେ ଯୋଗ ଦେବା ଲାଗି ନିମନ୍ତ୍ରଣ କରିଥିଲେ। ଶୁଭସ୍ମିତା ହେଉଛନ୍ତି କଟକର ବୟାଳିଶ ମୌଜା ଅଞ୍ଚଳର ଅଧିବାସୀ।
ନିଜର ପ୍ରିୟ କଳାକାର ସବ୍ୟସାଚୀଙ୍କ ନିମନ୍ତ୍ରଣ ରକ୍ଷା କରି ଶୁଭସ୍ମିତା ମଧ୍ୟ ସପରିବାର ବୃନ୍ଦାବନ ଟକିଜରେ ସବ୍ୟସାଚୀଙ୍କୁ ଭେଟିଥିଲେ ଓ ‘ଫୋର୍‌ ଇଡିଅଟ୍‌ସ’ ବି ଦେଖିଥିଲେ। ସବ୍ୟସାଚୀଙ୍କ ବ୍ୟବହାରରେ ବିହ୍ଵଳ ହୋଇ ଦୃଷ୍ଟିହୀନା ପ୍ରଶଂସିକ କହିଲେ ଯେ ଏହା ତାଙ୍କ ଜୀବନର ଏକ ସ୍ମରଣୀୟ ସୁହୂର୍ତ୍ତ । ଏଥିପାଇଁ ସେ ରେଡିଓ ଚକଲେଟ୍‌କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର