ଭୁବନେଶ୍ୱର: ମୌଳିକ କାହାଣୀ ଉପରେ ଆଧାରିତ ଓଡ଼ିଆ ଛବି ‘ପୁଷ୍କରା’ର ଟ୍ରେଲର ସାମ୍ନାକୁ ଆସିଛି। ଏଥିରେ ନାୟକ ସବ୍ୟସାଚୀଙ୍କ ବିଭିନ୍ନ ରୂପ ଦେଖିବାକୁ ମିଳିଛି। କେତେବେଳେ ସେ ଗଞ୍ଜେଇ ଟାଣୁଛନ୍ତି, ତ ପୁଣି କେତେ କେତେବେଳେ ସମୁଦ୍ରକୂଳରେ ଶୋଇଛନ୍ତି, ଆଉ ସାଗରର ଢେଉ ତାଙ୍କ ଉପରକୁ ମାଡ଼ି ଆସିଛି।
୨୦୨୩ର ବହୁପ୍ରତୀକ୍ଷିତ ଏହି ସିନେମାରେ ସବ୍ୟସାଚୀଙ୍କ ସହ ପ୍ରଥମ ଥର ଓଲିଉଡର ଗ୍ଲାମରସ୍ ନାୟିକା ସୁପ୍ରିୟାଙ୍କୁ ବି ଦେଖିବାକୁ ମିଳିବ। ଏଥିରେ ଚୌଧୁରୀ ବିକାଶ ଦାସ ଓ ଅଶ୍ରୁମୋଚନ ମହାନ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Advertisment

ତରଙ୍ଗ ସିନେ ପ୍ରଡକସନ୍ସ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମର କଥାବସ୍ତୁ ପ୍ରଖ୍ୟାତ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ‘ନାଦବିନ୍ଦୁ’ ଉପରେ ଆଧାରିତ। ଏହାର କାହାଣୀ ମୃତ୍ୟୁ ପରେ ପୁଷ୍କର ଛଡ଼ାଇବା ପରମ୍ପରା ଉପରେ ପର୍ଯ୍ୟବେସିତ। ‘ପୁଷ୍କରା’ର ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ଦେବୀଦତ୍ତ ମହାନ୍ତି। ସିନେମାଟୋଗ୍ରାଫର୍ ଶୁଭ୍ରାଂଶୁ ଦାଶ ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଉଛନ୍ତି। ରମେଶ ବାରିକ ଏହାର ନିର୍ମାତା। ବିଭୂତି ଭୂଷଣ ଗଡ଼ନାୟକ ଏହାର ସଙ୍ଗୀତକାର। ଫିଲ୍ମଟି ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ତାଙ୍କ କହିବା ଅନୁଯାୟୀ ସେ ମୌଳିକ କାହାଣୀ ଉପରେ ଆଧାରିତ ଓଡ଼ିଆ ଛବି ‘ପୁଷ୍କରା’ରେ କାମ କରି ଖୁବ୍ ଖୁସି। ଏହି ଫିଲ୍ମପାଇଁ ତାଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଛି।

ଉଲ୍ଲେଖଯୋଗ୍ୟ, ସବ୍ୟସାଚୀଙ୍କୁ ଗତବର୍ଷ କୌଣସି ଓଡ଼ଆ ଛବିରେ ବଡ଼ ପରଦାରେ ଦେଖିବାକୁ ମିଳି ନଥିଲା। ‘ପୁଷ୍କରା’ ରିଲିଜ୍ ହେଲେ ସେ ନିଜର ଅଭିନୟ ଦକ୍ଷତା ଜରିଆରେ ଉଚ୍ଚତର ସୋପାନକୁ ଯିବେ ବୋଲି ଚର୍ଚ୍ଚା ହେଉଛି।