ଆଣ୍ଡ୍ରିଲାଙ୍କୁ ହରାଇ ଭାଙ୍ଗିପଡ଼ିଛନ୍ତି ପ୍ରେମିକ ସବ୍ୟ, ଅନ୍ତିମ ସଂସ୍କାର ପୂର୍ବରୁ ପାଦକୁ ଚୁମ୍ବନ ଦେଇ କାନ୍ଦିଲେ

କୋଲକାତା: ଖ୍ୟାତନାମା ବଙ୍ଗଳା ଅଭିନେତ୍ରୀ ଆଣ୍ଡ୍ରିଲା ଶର୍ମାଙ୍କର ୨୪ ବର୍ଷ ବୟସରେ ରବିବାର ପରଲୋକ ହୋଇଥିଲା। ମସ୍ତିଷ୍କାଘାତ ଯୋଗୁଁ ଗତ ୧ ତାରିଖରେ ନାରାୟଣ ସୁପର ସ୍ପେସିଆଲିଟି ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ। ସପ୍ତାହକ ମଧ୍ୟରେ ତାଙ୍କର କେତେକ ଜଟିଳ ଅସ୍ତ୍ରୋପଚାର ହୋଇଥିଲା। ଗତ ୧୪ ତାରିଖରେ ଅଭିନେତ୍ରୀ ହୃଦ୍‌ଘାତରେ ପୀଡ଼ିତ ହୋଇଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ବହୁତ କଷ୍ଟର ସାମ୍ନା କରିବା ପରେ ରବିବାର ଜୀବନ ଯୁଦ୍ଧରେ ହାରି ଯାଇଥିଲେ ଆଣ୍ଡ୍ରିଲା।

ଅଭିନେତ୍ରୀ ଆଣ୍ଡ୍ରିଲାଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେମିକ ସବ୍ୟସାଚୀ ଚୌଧୁରୀଙ୍କ ଏକ ଭିଡିଓ ଏବେ ଭାଇରାଲ ହୋଇଛି। ଆଣ୍ଡ୍ରିଲାଙ୍କ ଅନ୍ତିମ ସଂସ୍କାର ସମୟରେ ସବ୍ୟସାଚୀ ଚୌଧୁରୀ ତାଙ୍କ ପାଦକୁ ଚୁମ୍ବନ ଦେଇ ଭାବବିହ୍ବଳ ହୋଇପଡ଼ୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓରେ, ସବ୍ୟସାଚୀ ଚୌଧୁରୀ ପ୍ରଥମେ ଆଣ୍ଡ୍ରିଲାଙ୍କ ପାଦ ଧରିବା ସହ କିଛି ସମୟ ଚୁପ ବସୁଛନ୍ତି। ଏହା ପରେ ସେ ତାଙ୍କ ପାଦକୁ ଚୁମ୍ବନ ଦେଇ ତାଙ୍କ ପାଦରେ ନିଜ ମୁଣ୍ଡ ଲଗାଇ କାନ୍ଦୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ଅନେକଙ୍କ ଆଖିରେ ଲୁହ ଆଣିଛି। ଯେଉଁ ମଣିଷ ସହ ଖୁସିରେ ଜୀବନ କଟାଇବେ ବୋଲି ସବ୍ୟ ଭାବିଥିଲେ, ସେ ଏଭଳି ଅଧା ରାସ୍ତାରେ ହାତ ଛାଡ଼ି ଚାଲିଯିବ ବୋଲି ଭାବିନଥିଲେ ସବ୍ୟ।

ଆଣ୍ଡ୍ରିଲାଙ୍କ ମୃତ୍ୟୁ ପୂର୍ବରୁ ନଭେମ୍ବର ୧୫ରେ ସବ୍ୟ ନିଜ ଫେସବୁକରେ ଏକ ପୋଷ୍ଟ କରିଥିଲେ। ମୁଁ କେବେ ଭାବି ନଥିଲି ଯେ ମୁଁ ଏଭଳି ଲେଖିବି। ତଥାପି, ଆଜି ସେଭଳି ଦିନ ଆସିଛି। ଆଣ୍ଡ୍ରିଲାଙ୍କ ପାଇଁ ପ୍ରାର୍ଥନା କରନ୍ତୁ। କିଛି ଚମତ୍କାର ହେଉ ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା କରନ୍ତୁ। ସେ ଏବେ ମୃତ୍ୟୁ ସହ ଲଢ଼ୁଛନ୍ତି ବୋଲି କରିଥିବା ପୋଷ୍ଟରେ ଲେଖିଥିଲେ ସବ୍ୟ।

ସମ୍ବନ୍ଧିତ ଖବର