୨୦୦୪ ମସିହାରେ ‘ଆଇ ଲଭ୍ ୟୁ’ ସିନେମା ଜରିଆରେ ଓଲିଉଡ୍‌ରେ ପାଦ ରଖି ଆଉ ପଛକୁ ଫେରି ଚାହିଁ ନାହାନ୍ତି ସେ। ଗୋଟାଏ ପରେ ଗୋଟାଏ ହିଟ୍‌ ସିନେମା ଓଡ଼ିଆ ମନୋରଞ୍ଜନ ଶିଳ୍ପକୁ ଉପହାର ଦେଇ ସେ ପାଲଟିଛନ୍ତି କୋଟି କୋଟି ଓଡ଼ିଆଙ୍କ ମନର ରାଜା। ନିକଟରେ ରିଲିଜ୍ ହୋଇଥିବା ତାଙ୍କ ଅଭିନୀତ ସିନେମା ‘କର୍ମ’ ଦର୍ଶକ ସମର୍ଥନ ପାଇ ବକ୍ସଅଫିସ୍‌ରେ ରେକର୍ଡ ପରେ ରେକର୍ଡ ସୃଷ୍ଟି କରିଚାଲିଛି। ଓଲିଉଡ୍ ସୁପର୍‌ଷ୍ଟାର୍‌ ଅନୁଭବ ମହାନ୍ତିଙ୍କ ସହ ଅଳ୍ପ ଆଳାପ।

Advertisment

ବନ୍ଦନା ମିଶ୍ର୍ର

‘କର୍ମ’ ଫିଲ୍ମକୁ ମିଳିଥିବା ଅଭୂତପୂର୍ବ ସଫଳତାକୁ ନେଇ କ’ଣ କହିବେ? ଏପରି ସଫଳତା ମିଳିବ ବୋଲି ଭାବିଥିଲେ?
‘କର୍ମ’ ସିନେମା ମୋ ପାଇଁ ଏକ ବଡ଼ ଦାୟିତ୍ବ ଥିଲା। ପ୍ରଥମରୁ ମୁଁ ବହୁତ ଭୟଭୀତ ଥିଲି। ମାତ୍ର ଫିଲ୍ମର କାହାଣୀ ଶୁଣିବା ପରେ କରିବାକୁ ଇଚ୍ଛା ହେଲା। ପୁଣି ଯେତେବେଳେ ଜାଣିଲି ଅମୀୟବାବୁଙ୍କ ପ୍ରଯୋଜନା ସଂସ୍ଥାରେ ଅନୁପମ ପଟ୍ଟନାୟକଙ୍କ ପରି ଜଣେ ନିର୍ଦ୍ଦେଶକଙ୍କ ସହ କାମ କରିବି, ସେତେବେଳେ ଆଗ୍ରହ ଆହୁରି ବଢ଼ି ଯାଇଥିଲା। ଏବେ ବି ମୋର ମନେଅଛି, ଯୁବାବସ୍ଥାରେ ଟେଲିଭିଜନ୍‌ରେ ଅମୀୟବାବୁଙ୍କ ପାଇଁ ହିଁ ପ୍ରଥମ ସୁଯୋଗ ପାଇଥିଲି। ତାଙ୍କ ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରସ୍ତୁତ ‘ଶର୍ମିଲୀ’ ଶୀର୍ଷକ ମ୍ୟୁଜିକ୍ ଭିଡିଓରେ ମୁଁ ଅଭିନୟ କରିଥିଲି। ସେ ମୋତେ ବହୁତ ଭଲପାଉଥିଲେ। ମୋତେ ନେଇ ଏକ ସିନେମା କରିବା ପାଇଁ ତାଙ୍କର ଆଗ୍ରହ ଥିଲା। ମୋର ବି ତାଙ୍କ ସହ କାମ କରିବାକୁ ବହୁତ ଇଚ୍ଛାଥିଲା। ମାତ୍ର ଦୁର୍ଭାଗ୍ୟବଶତଃ ତାଙ୍କର ଅକାଳରେ ଦେହାନ୍ତ ହୋଇଗଲା। ଉଭୟ ଅମୀୟବାବୁଙ୍କର ଓ ମୋର ଇଚ୍ଛାକୁ ଭଗବାନ ଅନୁପମବାବୁଙ୍କ ଜରିଆରେ ପୂରା କରିଛନ୍ତି।

‘କର୍ମ’ ସିନେମାର ଅନ୍ତିମ ଦୃଶ୍ୟରୁ ଅନୁମାନ କରାଯାଉଛି କି ନିର୍ଦ୍ଦେଶକ ‘ପାର୍ଟ-୨’ ପାଇଁ ଯୋଜନା ରଖିଛନ୍ତି। ଏହି ସିନେମାର ଦ୍ବିତୀୟ ଭାଗ ହେବା ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି କି?
ଦର୍ଶକମାନଙ୍କ ନିକଟରୁ ଯେଉଁଭଳି ଭଲପାଇବା ଆମେ ପାଉଛୁ, ତାହା ଦେଖିଲେ ‘କର୍ମ’ର ଦ୍ବିତୀୟ ଭାଗର କେବଳ ନିର୍ମାଣ ଆବଶ୍ୟକ ନୁହେଁ; ଜରୁରି ବୋଲି କହିବି। ମୁଁ ଅନୁପମ ଓ ତାଙ୍କ ଟିମ୍ ସହ କଥା ହୋଇ ଯେତିକି ଜାଣିଛି; ସେମାନେ କାମ ଆରମ୍ଭ କରି ସାରିଲେଣି। କାହାଣୀ ଲେଖା ଚାଲିଛି। ମୁଁ ଅନୁପମଙ୍କୁ ଯେତିକି ଜାଣିଛି, ସେ ଯେତେବେଳେ ନିଶ୍ଚିତ ହୋଇଯିବେ ଯେ ‘କର୍ମ ପାର୍ଟ-୨’ ନିର୍ମାଣ ପାଇଁ ପ୍ରସ୍ତୁତ, ସେ ସେତେବେଳେ ହିଁ ଘୋଷଣା କରିବେ।

ଆଜିକାଲି ବହୁ ଅଭିନେତା ପ୍ରଯୋଜକ ପାଲଟୁଛନ୍ତି। ଆପଣ ବି ଅନେକ ସିନେମା ପ୍ରଯୋଜନା କରିଛନ୍ତି। କିନ୍ତୁ ଆପଣଙ୍କ ହୋମ୍ ପ୍ରଡକ୍ସନ୍‌ରେ ଆଉ ସିନେମା ଦେଖିବାକୁ ମିଳୁନାହିଁ। ଆଗକୁ ପ୍ରଯୋଜନା କ୍ଷେତ୍ରରେ ଆପଣଙ୍କୁ ଦେଖିବାକୁ ମିଳିବ କି?
ପ୍ରଯୋଜନା କରିବାର ମୋର କେବେ କୌଣସି ଯୋଜନା ନଥିଲା। ସେମିତି ହଉ ହଉ ହୋଇଯାଇଥିଲା। ୫ଟି ସିନେମା ପ୍ରଯୋଜନା କରିବା ପରେ ଅନେକ ସିନେମାର ଲାଇନ୍ ପ୍ରଡକ୍ସନ୍ ମଧ୍ୟ ଆମେ କରିଛୁ। ଏବେକା ପରିସ୍ଥିତିରେ ଯଦି ସୀମିତ ବଜେଟ୍‌ ଭିତରେ କିଛି ଭଲ ବିଷୟବସ୍ତୁ ମିଳିବ ତ ମୁଁ ମୋ ନିଜ କ୍ଷମତା ଭିତରେ ନିଶ୍ଚୟ ସିନେମାଟେ ନିର୍ମାଣ କରିବି।

ଆପଣ ଜୀବନରେ ଅନେକ ଝଡ଼ ସାମ୍ନା କରିଛନ୍ତି। ସବୁଠାରୁ ଅଧିକ ଦୁଃଖୀ କେଉଁ କାରଣରୁ ହୋଇଛନ୍ତି?
ଦୁଃଖୀ ଯେଉଁ ଯେଉଁ କାରଣରୁ ହୋଇଛି, ସୁଖୀ ବି ସେହି କାରଣକୁ ନେଇ ହୋଇଛି। ଏମିତି କିଛି ଦୁଃଖ ଅଛି ଯାହାକୁ ମୁଁ ଓ ମୋ ପରିବାର ଆଜି ବି ଭୋଗୁଛୁ। ଏତିକି କହିବି କି ସେ ଦୁଃଖ ଯେତିକି ଯନ୍ତ୍ରଣା ଦେଇଛି, ସେତିକି ଶିକ୍ଷା ବି ଦେଇଛି। ଜୀବନରେ ଆଗକୁ ବଢ଼ିବା ପାଇଁ ଭୁଲ୍-ଠିକ୍, ଭଲ-ମନ୍ଦ, ଆପଣା-ପର ମଧ୍ୟରେ ପାର୍ଥକ୍ୟ ସେ ଦୁଃଖ ଆମକୁ ଶିଖେଇ ଦେଇଛି। ସେଥିପାଇଁ ସେ ସମୟ ଯେତିକି ଖରାପ, ସେତିକି ଭଲ ମଧ୍ୟ। ମାତ୍ର ଯିଏ ମୋ ଦୁଃଖର କାରଣ ଥିଲେ ତାଙ୍କ ପାଇଁ ମୁଁ କେତେଟି ମୂଲ୍ୟବାନ୍ ଜିନିଷ ସବୁଦିନ ପାଇଁ ହରେଇ ଦେଇଛି। ଯାହା ପାଇଁ ମୁଁ ନିଜକୁ କେବେ କ୍ଷମା କରିପାରିବି ନାହିଁ। ସେ କ୍ଷତି ଅପୂରଣୀୟ। ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ତାଙ୍କ କର୍ମର ଫଳ ଦେବେ।

ଯଦି ଆପଣଙ୍କୁ ଏକ ‘ସୁପ୍ରିମ୍ ପାୱାର୍’ ମିଳେ ତ ଆପଣ କେଉଁ ଖୁସିର ଦିନକୁ ପୁଣି ଥରେ ଫେରିବାକୁ ଚାହିବେ?
ମୋ ବାପା-ମାମିଙ୍କ ବାହାଘର, ମୁଁ ଓ ମୋ ସାନଭାଇର ଜନ୍ମ। ତା’ ସହିତ ସେ ସବୁ ଭଲ ଦିନ ଯାହା ଆମେ ଏକାଠି କଟେଇଛୁ। ଆଉ କିଛି ଦରକାର ନାହିଁ। ଆଉ କିଛି ନହେଲେ ବି ଚଳିବ।

ଆପଣଙ୍କ ପ୍ରଥମ ସୁପର୍‌ହିଟ୍ ସିନେମା ‘ଆଇ ଲଭ୍ ୟୁ’ର ଦ୍ବିତୀୟ ଭାଗରେ ଆପଣଙ୍କ ବଦଳରେ ଜଣେ ନବାଗତ ନାୟକ ଅଭିନୟ କଲେ। ତାହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ?
ତାଙ୍କୁ ମୁଁ ବହୁତ ଭଲପାଇବା ଦେବି। ନିଜର କର୍ମ ପ୍ରତି ନିଷ୍ଠା ରଖି ଯଦି କୌଣସି କଳାକାର ପରିଶ୍ରମ କରନ୍ତି, ଭଲ ଟିମ୍ ପାଆନ୍ତି ଓ ଭଲ ସ୍କୁଲିଂ ପାଆନ୍ତି ତ ସେମାନେ ଆଗକୁ ବଢ଼ନ୍ତି। ଯଦି ମୋତେ ସେଭଳି ଟିମ୍ ଓ ସ୍କୁଲିଂ ମିଳି ନଥାନ୍ତା ତ ମୁଁ ଆଜି ଓଡ଼ିଆ ସିନେଶିଳ୍ପରେ ଏହି ସ୍ଥାନ ନେଇପାରି ନଥାନ୍ତି। ଅନୁଭବ ମହାନ୍ତିଠାରୁ ବି ଲକ୍ଷାଧିକ ମାତ୍ରାରେ ଅଧିକ ଦକ୍ଷ ପିଲା ବାହାରେ ବୁଲୁଥିବେ। ମାତ୍ର ମୋତେ ଭଗବାନ ସୁଯୋଗ ଦେଲେ ଏବଂ ଦର୍ଶକମାନେ ଭଲପାଇବା ଦେଲେ ବୋଲି ମୁଁ ଆଜି ଏଇଠି ଅଛି। ନହେଲେ ତ ମୁଁ ଅଭିନୟ, ନାଚ କି ଫାଇଟ୍, କୌଣସିଟିରେ ୧୦୦ ପ୍ରତିଶତ ନିପୁଣ ନୁହେଁ।

ଆପଣଙ୍କୁ ଆଗାମୀ ଦିନରେ କେଉଁ ସବୁ ସିନେମାରେ ଦେଖିବାକୁ ମିଳିବ?
ମୋର ଅନେକ ପ୍ରିୟ ପ୍ରୋଜେକ୍ଟ ଏବେ ବି ବାକି ଅଛି। ଆପଣମାନଙ୍କ ଭଲପାଇବା ଓ ଆଶୀର୍ବାଦ ଥାଉ। ଗୋଟାଏ ପରେ ଗୋଟାଏ ଭଲ ସିନେମା କରିବା ପାଇଁ ମୋର ଇଚ୍ଛା। ମୁଁ ଚିନ୍ତାକରେ କି ୨୦ ବର୍ଷ କାମ କରିବା ପରେ ବି ଯଦି ଓଡ଼ିଆ ସିନେମାକୁ ମୁଁ  ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ପାରୁନାହିଁ ତ ମୁଁ କିଛି ସଫଳତା ପାଇନାହିଁ। ମୋର ଅବର୍ତ୍ତମାନରେ ପରପିଢ଼ି ଯଦି କେବେ ଆଲୋଚନା ନକରିବେ କି ଅନୁଭବ ମହାନ୍ତି ପାଇଁ ଓଡ଼ିଶା ସିନେମା ଶିଳ୍ପରେ ଏୟା ହୋଇପାରିଛି, ସେୟା ହୋଇପାରିଛି; ତେବେ ମୋର ଏତେ ବର୍ଷର ପରିଶ୍ରମ ସାର୍ଥକ ହୋଇଛି ବୋଲି ଭାବିପାରିବି ନାହିଁ।