ଋଷି କପୁର ଏବଂ କମଲ ହାସନଙ୍କ ଅଭିନୀତ ସିନେମା ‘ସାଗର୍‌’ର ଟାଇଟଲ କିପରି ମିଳିଥିଲା ?

ପ୍ରଖ୍ୟାତ ନିର୍ଦ୍ଦେଶକ ରମେଶ ସିପ୍ପୀ ଓ ଜାଭେଦ୍‌ ଅଖ୍‌ତର୍‌ ସ୍କ୍ରିପ୍ଟ ପ୍ରସ୍ତୁତି ପରେ ଫିଲ୍ମରେ କେଉଁଠାରେ ଗୀତ ରଖାଯିବ ସେ ସଂପର୍କରେ ଆଲୋଚନା କରିଲେ । ବେଶ୍‌ କିଛି ଘଣ୍ଟାର ମାନସିକ କସରତ୍‌ ପରେ ଫିଲ୍ମ ପାଇଁ ଗୀତର ସିକ୍ୱେନ୍ସଗୁଡିକ ଠିକ୍‌ ହୋଇଥିଲା । ଏଥିରେ ନିର୍ଦ୍ଦେଶକ ରମେଶ୍‌ ସ୍କ୍ରିପ୍ଟ ଅପେକ୍ଷା ଲେଖକ ଜାଭେଦ୍‌ ଅଖ୍‌ତରଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ଏହାପରେ ସେ ଦୁହେଁ ଫିଲ୍ମର ଟାଇଟଲ୍‌ କ’ଣ ରଖାଗଲେ ଭଲ ହେବ ବୋଲି ଚିନ୍ତା କଲେ ।

ରମେଶ ସିପ୍ପୀ ଇଂରାଜୀ ଅକ୍ଷର ‘s’ (ଏସ୍‌)ରୁ ଫିଲ୍ମର ଟାଇଟଲ୍‌ ରଖିବାକୁ ଚାହୁଁଥିଲେ, କାରଣ ଏହି ଅକ୍ଷର ତାଙ୍କ ପାଇଁ ଲକି ବୋଲି ସେ ମନେ କରୁଥିଲେ । ଲେଖକ ଜାଭେଦ୍‌ ‘ ଏସ୍‌’ ଅକ୍ଷରରୁ ଆରମ୍ଭ ହେଉଥିବା କେତୋଟି ଟାଇଟଲ୍‌ର ପ୍ରସ୍ତାବ ରଖିଲେ, ମାତ୍ର ତାହା ରମେଶ୍‌ ସିପ୍ପୀଙ୍କ ମନକୁ ପାଇ ନଥିଲା । ସେ କହିଥିଲେ ଫିଲ୍ମର ମ୍ୟୁଜିକ୍‌ ଓ ଲିରିକ୍ସ୍‍ ଲେଖା ସରିବା ପରେ ସେଥିରୁ କୌଣସି ଭଲ ଶଦ୍ଦ ବା ଲାଇନ୍‌କୁ ନେଇ ଟାଇଟଲ୍‌ ରଖାଯାଇପାରେ ।

ତା’ପରେ ରମେଶ୍‌ ତାଙ୍କର ପୂର୍ବ ସିନେମା ଗୁଡିକରେ ସଙ୍ଗୀତ ନିର୍ଦ୍ଦେଶକ ଆର୍‌.ଡି.ବର୍ମନ୍‌ ଙ୍କୁ ଏହି ଫିଲ୍ମରେ ସ୍ୱର ସଂଯୋଜନା କରିବାକୁ ଚୁକ୍ତିବଦ୍ଧ କଲେ । ଦୁହେଁ ମ୍ୟୁଜିକ୍‌ ସିଟିଂ ପୂର୍ବରୁ ଗୀତ ଲେଖିବା ଲାଗି କାହାଙ୍କୁ ଦାୟିତ୍ୱ ଦିଆଯିବ, ସେ ସଂପର୍କରେ ଆଲୋଚନା କରିଲେ । ରମେଶ ସିପ୍ପୀ ଚାହୁଁଥିଲେ ପୂର୍ବ ସିନେମାର ଗୀତିକାର ଆନନ୍ଦ ବକ୍ସି ଗୀତ ଲେଖନ୍ତୁ । ହଠାତ୍‌ ରମେଶ୍‌ ଆର୍‌.ଡି ବର୍ମନଙ୍କୁ ଫିଲ୍ମର ଟାଇଟଲ୍‌କୁ ନେଇ ଏବେ ବି ସସ୍‌ପେନ୍ସ ରହିଛି ବୋଲି କହିଲେ । ସେ ଆହୁରି ମଧ୍ୟ କହିଲେ ଯେ ଲେଖକ ଜାଭେଦ୍‌ ଅଖ୍‌ତର କେତେଟି ଟାଇଟଲ୍‌ ର ପ୍ରସ୍ତାବ ଦେଇଥିଲେ, ହେଲେ ତା’ ତାଙ୍କୁ ଠିକ୍‌ ଲାଗିଲାନି । ଏକଥା ଶୁଣିବା ପରେ ଆର୍‌ .ଡି ରମେଶଙ୍କୁ ଫିଲ୍ମର ଗୀତିକାର ଭାବେ ଜାଭେଦ୍‌ ଙ୍କୁ ଚୁକ୍ତିବଦ୍ଧ କରିବାକୁ ପରାମର୍ଶ ଦେଲେ । ଏହି କାହାଣୀ ଭିତରେ ସେ ଅଛନ୍ତି । ତା’ଛଡା ସେ ଜଣେ ଭଲ ଉର୍ଦ୍ଦୁ ଶାୟର୍‌ । ଏଣୁ ତାଙ୍କୁ ଏହି ଗୁରୁତ୍ୱ ଦିଆଯାଏ । କଥାଟା ରମେଶ ଙ୍କୁ ଠିକ୍‌ ଲାଗିଲା । ସେ ଦୁହେଁ ସାଙ୍ଗ ହୋଇ ଜାଭେଦ୍‌ ଅଖତର୍‌ ଙ୍କ ପାଖକୁ ଗଲେ ଓ ନାମକରଣ ହୋଇ ନଥିବା ଏହି ଫିଲ୍ମ ର ଗୀତ ଲେଖିବାକୁ ଅନୁରୋଧ କଲେ । ଜାଭେଦ୍‌ ପ୍ରଥମେ କୁଣ୍ଠାବୋଧ କରୁଥିଲେ ବି ପରେ ରାଜି ହେଲେ ।

photo-youtube

ଫିଲ୍ମର ମ୍ୟୁଜିକ୍‌ ସିଟିଂ ଆରମ୍ଭ ହୁଏ । ନାୟକ-ନାୟିକା ଙ୍କ ଉପରେ ଏକ ସୁନ୍ଦର ରୋମାଣ୍ଟିକ୍‌ ଗୀତର ଧୂନ୍‌ ପ୍ରସ୍ତୁତିରେ ଲାଗି ପଡ଼ିଲେ ଆର୍‌.ଡି.ବର୍ମନ୍‌ । ସେଥି ମଧ୍ୟରୁ ଶେଷରେ ଯେଉଁଟି ଶୁଣାଇଲେ, ତାହା ରମେଶ ଙ୍କ ମନକୁ ପାଇଲା । ତା’ପରେ ସେହି ଟିଉନ୍‌ ମାପରେ ଜାଭେଦ୍‌ ଙ୍କୁ ଗୀତ ଲେଖିବାକୁ କୁହାଗଲା । ସେ ପାଞ୍ଚ ମିନିଟ୍‌ ଚିନ୍ତା କରିବା ପରେ ଲେଖିଥିଲେ-‘ ସାଗର୍‌ କିନାରେ ଦିଲ୍‌ ୟେ ପୁକାରେ, ତୁ ଯୋ ନେହିଁ ତୋ ମେରା କୋଇ ନେହିଁ ହୋ ।’….ଲିରିକ୍ସ ଶୁଣିବା ପରେ ଆର୍‌.ଡି.ଗୀତଟିକୁ ହାର୍‌ମୋନିୟମ୍‌ ଧରି ଗାଇଲେ । ଏହି ଗୀତର ମୁଖୁଡାଟା ନିର୍ଦ୍ଦେଶକଙ୍କ ମନକୁ ଏତେ ଛୁଇଁଲା ଯେ ସେ ସେଇଠି ନିଷ୍ପତ୍ତି ନେଲେ ଏହି ଫିଲ୍ମର ଟାଇଟଲ ରଖିବେ ‘ ସାଗର୍‌ ’ ।

 

ସମ୍ବନ୍ଧିତ ଖବର