ବହୁ ବିରୋଧ ଓ ସମସ୍ୟା ଭିତରେ ଗତି କରୁଥିବା ସଞ୍ଜୟ ଲୀଲା ବଂଶାଲୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତୀ’ରେ ଶୀର୍ଷକ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍ଙ୍କ ଲୁକ୍ ତ ପୂର୍ବରୁ ଉନ୍ମୋଚିତ ହୋଇଥିଲା, ଏବେ ଫିଲ୍ମର ଦୁଇ ଅଭିନେତା- ରଣବୀର ସିଂହ ଓ ସାହିଦ୍ କପୁର୍ଙ୍କ ରୂପ ଆଗକୁ ଆସିଛି। ‘ପଦ୍ମାବତୀ’ରେ ରଣବୀର ଆଲ୍ଲାଉଦ୍ଦିନ୍ ଖିଲଜୀଙ୍କ ଭୂମିକାରେ ଅଛନ୍ତି। ସେଥିରେ ତାଙ୍କୁ ଏମିତି ରୂପ ଦିଆ ଯାଇଛି ଯେ ଚିହ୍ନିବା ଭାରି କଷ୍ଟକର। ଆଖି ତଳେ କଟାଦାଗ ଥିବା ସେ ରୂପ ଭାରି କ୍ରୂର ଓ ଭୟଙ୍କର ହୋଇଛି। ଇତିହାସରେ ଜଣେ ବଡ଼ ଖଳନାୟକ ଭାବେ ପରିଚିତ ଖିଲଜୀଙ୍କ ଭୂମିକାରେ ଅଭିନୟ କରିବାଲାଗି ରାଜିହୋଇ ରଣବୀର ଯେ ଏକ ବଡ଼ ରିସ୍କ୍ ନେଇଛନ୍ତି, ସେଥିରେ ସନ୍ଦେହ ନାହିଁ। କିନ୍ତୁ କଳାକାର ଭାବେ ଏହାକୁ ସେ ସ୍ୱୀକାର କରିବା ପ୍ରଶଂସନୀୟ ନିଶ୍ଚୟ।
ଅନ୍ୟପକ୍ଷରେ ‘ପଦ୍ମାବତୀ’ରେ ମହାରାଓ୍ଵଲ୍ ରତନ ସିଂହଙ୍କ ଭୂମିକାରେ ଅଭିନୟ କରିଛନ୍ତି ସାହିଦ୍। ଏହି ଭୂମିକାରେ ତାଙ୍କର ଯେଉଁ ଫଟୋ ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରକାଶ କରା ଯାଇଛି, ତା’କୁ ସମସ୍ତେ ଭାରି ପ୍ରଶଂସା କରୁଛନ୍ତି। ଖବର ମିଳିଛି, ଏ ଫିଲ୍ମରେ ସାହିଦ୍ଙ୍କ ରାଜକୀୟ ପୋଷାକ ତିଆରିବାଲାଗି ଡିଜାଇନର୍ ହରପ୍ରୀତ୍ ନରୁଲାଙ୍କୁ ଦୁଇମାସ ସମୟ ଲାଗି ଯାଇଛି। ଦୁଇମାସ ଥରି ସେ ନିଜର ୨୨ ଜଣ କାରିଗରଙ୍କୁ ନେଇ ଏହାକୁ ପ୍ରସ୍ତୁତ କରିଛନ୍ତି।
ନିର୍ଦ୍ଦେଶକ ବଂଶାଲୀ ତ ତାଙ୍କର ଏହି ଗୁଣ ପାଇଁ ବେଶ୍ ପରିଚିତ! ନିଜର ପ୍ରତିଟି ଫିଲ୍ମରେ ସେ ବେଶଭୂଷାଠୁ ଆରମ୍ଭ କରି ସେଟ୍ ପର୍ଯ୍ୟନ୍ତ କେଉଁଥିରେ ଟିକିଏ ହେଲେ ଖୂଣ ବା ଅଭାବ ରଖନ୍ତିନାହିଁ। ହାତଖୋଲି ଖର୍ଚ୍ଚ କରିନ୍ତି। ତେଣୁ ଫିଲ୍ମ ହିଟ୍ ହେଉ ବା ନ ହେଉ, ସମସ୍ତେ ତାଙ୍କ ଫିଲ୍ମକୁ ଏକ କଳାତ୍ମକ ଚମତ୍କାର ଭାବେ ମନେ ରଖନ୍ତି। ‘ପଦ୍ମାବତୀ’ ତାଙ୍କ ଫିଲ୍ମ ଯାତ୍ରାର ଶୀର୍ଷରେ ରହିବ, ସେଥିରେ ସନ୍ଦେହ ନାହିଁ। ଫିଲ୍ମଟି ଚଳିତ ବର୍ଷ ଡିସେମ୍ବର ୧ ତାରିଖରେ ରିଲିଜ୍ ହେବ ବୋଲି କୁହା ଯାଉଛି, ଯଦିଓ ସୁଟିଂ ଶେଷ ହେବାରେ ବିଳମ୍ବ ଘଟୁଥିବାରୁ ଏହାର ରିଲିଜ୍ ତାରିଖ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆ ଯାଇପାରେ ବୋଲି ମଝିରେ ଚର୍ଚ୍ଚା ହେଉଥିଲା।