ମୁମ୍ବାଇ: ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ପରେ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୈଫ ଅଲ୍ଲୀ ଖାନ ଏବେ ବି ସେଠାରେ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି। ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ନୀତିନ ନାରାୟଣ ଡାଙ୍ଗେ କହିଛନ୍ତି ଯେ ସୈଫ ଏବେ ସମ୍ପୂର୍ଣ୍ଣ ବିପଦମୁକ୍ତ ଅଛନ୍ତି।

Advertisment

ଡାକ୍ତର ନୀତିନଙ୍କ କହିବା ମୁତାବକ, ସୈଫଙ୍କ ଶରୀରର ୪ଟି ଜାଗାରେ ଗଭୀର ଆଘାତ ଏବଂ ୨ଟି ସାଧାରଣ ଆଘାତ ଲାଗିଥିଲା। ଏହା ବ୍ୟତୀତ ସୈଫଙ୍କ ପିଠିରେ ୨.୫୦ ଇଞ୍ଚର ଛୁରୀର ଖଣ୍ଡ ଫସି ଯାଇଥିଲା। ଯଦି ଛୁରୀଟି ଅଧିକ ଗଭୀରକୁ ଚାଲିଯାଇଥାନ୍ତା , ତେବେ ସୈଫ୍ ପକ୍ଷାଘାତର ଶିକାର ହୋଇଯାଇଥାନ୍ତେ। କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ସୈଫ୍ ଏଥିରୁ ରକ୍ଷା ପାଇଗଲେ। ତାଙ୍କୁ ୨ ଦିନ ମଧ୍ୟରେ ଡିସଚାର୍ଜ କରାଯାଇପାରେ। ତାଙ୍କର ଫିଜିଓଥେରାପି ଆସନ୍ତାକାଲିଠାରୁ ଆରମ୍ଭ ହେବ ଏବଂ ଗୋଟିଏ ସପ୍ତାହ ପରେ ସୈଫ୍ ସୁଟିଂ ପାଇଁ ପ୍ରସ୍ତୁତ ହେବେ।

ଉଲ୍ଲେଖଯୋଗ୍ୟ, ଗୁରୁବାର ଭୋର ସମୟରେ ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣ ସମୟରେ ସୈଫଙ୍କ ପତ୍ନୀ କରୀନା କପୁର ଘରେ ହିଁ ଥିଲେ। ଚୋରି କରିବାର ଉଦ୍ଦେଶ୍ୟ ସହିତ ଅଭିଯୁକ୍ତ ଘର ଭିତରକୁ ଯିବା ପରେ ପ୍ରଥମେ ଗୃହ ସହାୟିକାଙ୍କ ରୁମକୁ ଯାଇଥିଲା। ଗୃହ ସହାୟିକା ଚିତ୍କାର କରିବାରୁ ସୈଫ ନିଜ ରୁମ୍ ବାହାରକୁ ଆସିଥିଲେ। ଏହା ପରେ ସୈଫ୍ ଚୋରକୁ ଧରିବାକୁ ଚେଷ୍ଟା କରିଥିଲେ ଏବଂ ଏହି ସମୟରେ ସେ ଅଭିନେତାଙ୍କୁ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଥିଲା। ସୈଫଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି କରୀନା ଡରିଯିବା ସହ ତୁରନ୍ତ ବଡ଼ ପୁଅ ଇବ୍ରାହିମ୍ ଅଲୀ ଖାନଙ୍କୁ କଲ୍ କରିଥିଲେ। ଏହା ପରେ କରୀନା ତାଙ୍କ ନଣଦ ସୋହା ଅଲୀ ଖାନ ଏବଂ କୁନାଲ ଖେମୁଙ୍କୁ ମଧ୍ୟ ଫୋନ୍ କରିଥିଲେ। କରୀନାଙ୍କ ଫୋନ କଲ୍ ପାଇ ଇବ୍ରାହିମ୍ ତୁରନ୍ତ ଆସିବା ପରେ ଡ୍ରାଇଭର ନଥିବାରୁ ଅଟୋରେ ସୈଫଙ୍କୁ ଡାକ୍ତରଖାନା ନେଇଥିଲେ।