ମୁମ୍ବାଇ: ଜାନୁଆରି ୧୬ ତାରିଖ ଗୁରୁବାର ଭୋର ସମୟରେ ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଚୋରି କରିବାର ଉଦ୍ଦେଶ୍ୟରେ ଆକ୍ରମଣକାରୀ ଘର ଭିତରକୁ ଯିବା ସମୟରେ ଗୃହ ସହାୟିକା ଅଚିହ୍ନା ଲୋକ ଦେଖି ଚିତ୍କାର କରିଥିଲେ। ଏହାପରେ ସୈଫ ନିଜ ରୁମ୍ ବାହାରକୁ ଆସି ଚୋରକୁ ଧରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସେ ଅଭିନେତାଙ୍କୁ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଥିଲା।
ସୈଫଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି କରୀନା ଡରିଯିବା ସହ ତୁରନ୍ତ ବଡ଼ ପୁଅ ଇବ୍ରାହିମ୍ ଅଲୀ ଖାନଙ୍କୁ କଲ୍ କରିଥିଲେ। କରୀନାଙ୍କ ଫୋନ କଲ୍ ପାଇ ଇବ୍ରାହିମ୍ ତୁରନ୍ତ ଆସିବା ପରେ ଡ୍ରାଇଭର ନଥିବାରୁ ଅଟୋରେ ସୈଫଙ୍କୁ ଡାକ୍ତରଖାନା ନେଇଥିଲେ।
ସୈଫଙ୍କୁ ହସ୍ପିଟାଲ ନେଇ ଯାଇଥିବା ଅଟୋ ଚାଳକ ଭଜନ ସିଂହ ସେଦିନର ଘଟଣା ବଖାଣି କହିଛନ୍ତି, ‘ମୁଁ ଉତ୍ତରାଖଣ୍ଡର ବାସିନ୍ଦା। ଗତ ୨୦ବର୍ଷ ହେବ ଅଟୋ ଚଲାଉଛି। ମୁଁ ଜାନୁଆରି ୧୬ ତାରିଖ ରାତିରେ ଅଟୋ ନେଇ ଫେରୁଥିବା ବେଳେ ସୈଫ ଅଲ୍ଲି ଖାନଙ୍କ ଘର ସାମ୍ନାରେ ଅନେକଲୋକ ଛିଡ଼ା ହୋଇ ଅଟୋଅଟୋ ବୋଲି ଡାକୁ୍ଥିଲେ।
ମୁଁ ସଙ୍ଗେସଙ୍ଗେ ଅଟୋ ଅଟକାଇବାରୁ ତିନିଜଣ ଲୋକ ମୋ ଅଟୋରେ ଚଢ଼ି ଲୀଳାବତୀ ହସ୍ପିଟାଲ ଯିବାକୁ କହିଥିଲେ। ସେ ପର୍ଯ୍ୟନ୍ତ ମୁଁ ଅଟୋରେ ସୈଫଙ୍କୁ ନେଇ ଯାଉଛି ଜାଣି ନଥିଲି। ବାସ ଏତିକି ଜାଣିଥିଲି ମୋ ଅଟୋରେ ଧଳାରଙ୍ଗର ପୋଷାକ ପିନ୍ଧି ବସିଥିବା ଲୋକ ଜଣକ ଗୁରୁତର ଅଛନ୍ତି। ରକ୍ତରେ ତାଙ୍କ ପୋଷାକ ଭିଜି ଯାଇଛି।