ମୁମ୍ବାଇ: ଚଳିତ ବର୍ଷ ଆରମ୍ଭରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ପାଲି ହିଲ୍ ଘରେ ଜଣେ ଅନୁପ୍ରବେଶକାରୀ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।
ଅନୁପ୍ରବେଶକାରୀଙ୍କ ଛୁରାମାଡ଼ ପରେ ସୈଫଙ୍କ ମେରୁଦଣ୍ଡରେ ଗଭୀରଭାବେ ଆଘାତ ଲାଗିଥିଲା। ଏହି କାରଣରୁ ତାଙ୍କୁ ଚିକିତ୍ସା ପାଇଁ ଏକ ସପ୍ତାହ ଧରି ହସ୍ପିଟାଲରେ ରହିବାକୁ ପଡ଼ିଥିଲା। ଚିକିତ୍ସା ପରେ ଯେପରି ଶୈଳୀରେ ସୈଫ ହସ୍ପିଟାଲରୁ ବାହାରିଥିଲେ ତାଙ୍କୁ ନେଇ ଲୋକେ ଖୁବ ଟ୍ରୋଲ କରିଥିଲେ। ଛୁରାମାଡ଼ ଘଟଣାକୁ ଏକ ଷଡଯନ୍ତ୍ର ବୋଲି କହିଥିଲେ।
ସମ୍ପ୍ରତି ଏ ପ୍ରସଙ୍ଗରେ ସୈଫ୍ ମୁହଁ ଖୋଲି କହିଛନ୍ତି, ‘ଚିକିତ୍ସା ପରେ ହସ୍ପିଟାଲରୁ ଛୁଟି ମିଳିବା ପରେ ମୋତେ ଚାଲିବାରେ ସାମାନ୍ୟ ଅସୁବିଧା ହେଉଥିଲା କିନ୍ତୁ ମୁଁ ଚାଲି ପାରୁଥିଲି। ହସ୍ପିଟାଲରୁ ବାହାରିବା ସମୟରେ ଅନେକଲୋକ ମୋତେ ହୁଇଲ ଚୌକିରେ ଯିବାକୁ କହିଥିଲେ। କିନ୍ତୁ ମୋ ବିବେକ ବାଧା ଦେଇଥିଲା। ମୁଁ ଜାଣିଥିଲି ଛୁରାମାଡ଼ ଘଟଣା ଶୁଣିବା ପରେ ମୋର ପ୍ରଶଂସକ ଓ ଗଣମାଧ୍ୟମ ଚିନ୍ତାରେ ପଡ଼ିଯାଇଛନ୍ତି। ସେମାନେ ମୋ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ଯଦି ମୁଁ ଏପରି ହୁଇଲ ଚୌକିରେ ବସି ଯିବି ସେମାନେ ନିରାଶ ହୋଇଯିବେ। ମୋ ସ୍ବାସ୍ଥ୍ୟକୁ ନେଇ ବିଭିନ୍ନ ପ୍ରକାର ଚିନ୍ତା ତାଙ୍କ ମନରେ ଘାରି ବସିବ। ତେଣୁ ମୁଁ ନାଟକ କରିବାକୁ ଚାହୁଁ ନଥିଲି। ତେଣୁ ସୁସ୍ଥ ମଣିଷ ଭଳି ହସ୍ପିଟାଲରୁ ବାହାରି ଗଣମାଧ୍ୟମ ଓ ମୋ ପ୍ରଶଂସକଙ୍କୁ ଭେଟି ଘର ଅଭିମୁଖେ ଚାଲି ଆସିଥିଲି।’