ମୁମ୍ବାଇ: ଜାନୁଆରି ମାସରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ତାଙ୍କ ବାନ୍ଦ୍ରାସ୍ଥିତ ଘରେ ଆକ୍ରମଣ କରାଯାଇଥିଲା। ଅଭିଯୁକ୍ତ ତାଙ୍କ ଘର ଭିତରେ ପଶି ତାଙ୍କୁ ଛୁରୀରେ ୬ଥର ଆକ୍ରମଣ କରିଥିଲା। ଏହା ପରେ, ଲୀଳାବତୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯିବା ସହ ଡାକ୍ତରମାନେ ସୈଫଙ୍କ ମେରୁଦଣ୍ଡରେ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର କରାଯାଇ ଅଢ଼େଇ ଇଞ୍ଚର ଛୁରୀ ଖଣ୍ଡକୁ ବାହାର କରିଥିଲେ ଡାକ୍ତର। ବର୍ତ୍ତମାନ ସୈଫ୍ ସୁସ୍ଥ ହୋଇ ଏକ ସାକ୍ଷାତକାରରେ ଆକ୍ରମଣ ସମ୍ପର୍କରେ ଜଣାଇଛନ୍ତି। ଆକ୍ରମଣ ପରେ ତାଙ୍କ ପୁଅ ତୈମୁର ଅଲ୍ଲୀ ଖାନ ଏବଂ ପତ୍ନୀ କରୀନା କପୁର ଖାନଙ୍କ ପ୍ରତିକ୍ରିୟା କିଭଳି ଥିଲା ତାହା ପ୍ରକାଶ କରିଛନ୍ତି ସୈଫ୍।
ସୈଫଙ୍କ ମୁତାବକ, "ଅଭିଯୁକ୍ତ ଆକ୍ରମଣ କରି ଘର ବାହାରକୁ ଯିବା ପରେ ମୁଁ, କରୀନା, ତୈମୁର, ଜେହ ଏବଂ ଗୃହ ସହାୟକ ତଳକୁ ଆସିଥିଲୁ। କରୀନା ମୋ ଅବସ୍ଥା ଦେଖି ଅଟୋ ଅଟକାଉଥିଲେ। ଅଟୋ ଆସିବା ପରେ ଆମେ ଦୁହେଁ ପରସ୍ପରକୁ ଦେଖିଲୁ। ମୁଁ କରୀନାଙ୍କୁ କହିଲି, ଚିନ୍ତା କରନି। ମୁଁ ଠିକ୍ ଅଛି। ମୁଁ ମରିବି ନାହିଁ। କରୀନ କିନ୍ତୁ କାନ୍ଦି ପକାଇଥିଲେ। କରୀନାଙ୍କୁ ଦେଖି ତୈମୁର ମୋତେ ପଚାରିଥିଲେ, ବାପା...ତୁମେ ମରିଯିବ କି? ମୁଁ କହିଥିଲି ନା। ଏହା ପରେ ତୈମୁର, ମୁଁ ଏବଂ ଗୃହ ସହାୟକ ଅଟୋରେ ହସ୍ପିଟାଲ ଯାଇଥିଲୁ ଏବଂ କରୀନା ଜେହଙ୍କୁ ନେଇ ଭଉଣୀ କରିସ୍ମାଙ୍କ ଘରକୁ ଯାଇଥିଲେ।"