ମୁମ୍ବାଇ: ଉଭୟ ବାପା ଝିଅଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଆମେ କହୁଛୁ ଛୋଟା ନବାବ୍ ସୈଫ୍ ଅଲୀ ଖାନ୍ ଏବଂ ତାଙ୍କ ଅଭିନେତ୍ରୀ ଝିଅ ସାରା ଅଲୀ ଖାନ୍ଙ୍କ ବିଷୟରେ। ଯେଉଁମାନେ ଏହି ବାପାଝିଅଙ୍କୁ ଗୋଟାଏ ପ୍ରୋଜେକ୍ଟରେ ଦେଖିବାକୁ ଚାହାନ୍ତି ସେମାନଙ୍କର ଏହି ଇଛା ପୂରା ହେବାକୁ ଯାଉଛି। ଶୁଣିବାକୁ ମିଳିଛି ଯେ ଏକ ପ୍ରୋଜେକ୍ଟରେ ଏହି ବାପାଝିଅ ଏକାଠି ଦେଖିବାକୁ ମିଳିବେ।
ତେବେ ଏହି ପ୍ରୋଜେକ୍ଟ ବିଷୟରେ ସେପରି କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରିନାହିଁ। ଇଣ୍ଟର୍ନେଟ୍ରେ ଏବେ ବାପଝିଅଙ୍କର ଏକ ଫଟୋ ଭାଇରାଲ୍ ହେବାରେ ଲାଗିଛି। ଫଟୋରେ ସୈଫ୍ ଅଲୀ ଖାନ୍ ଜଣେ କଏଦୀର ପୋଷାକରେ ନଜର ଆସିଥିବା ବେଳେ ପୁଲିସ୍ ବର୍ଦି ପିନ୍ଧିଛନ୍ତି ସାରା। ଏଥିରୁ ସ୍ପଷ୍ଟ ଯେ ବାପାଝିଅଙ୍କ ମଧ୍ୟରେ ପୁଲିସ୍ ଓ କଏଦୀର ସଂପର୍କ ଦେଖିବାକୁ ମିଳିବ।
ଭାଇରାଲ୍ ହୋଇଥିବା ଫଟୋଟି ଲୋକମାନଙ୍କ ମଧ୍ୟରେ କୌତୂହଳ ବୃଦ୍ଧି କରିଛି। ଏପରି ନିଆରା ବେଶରେ ବାପଝିଅ ଯୋଡ଼ିଙ୍କୁ କେଉଁ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ ତାହା ଜାଣିବାକୁ ସଭିଙ୍କ ଭିତରେ ଉତ୍ସୁକତା ରହିଛି।
ସୁଟିଂ ସେଟ୍ରେ ଥିବା ଲୋକମାନେ ସୈଫ୍ ଓ ସାରାଙ୍କ ଯୋଡ଼ିକୁ ଭାଇଭଉଣୀ ଯୋଡ଼ି ବୋଲି କହିବା ଆରମ୍ଭ କରିଥିଲେ। ଉଭୟ ବାପଝିଅ ମିଶି ପୂରା ସୁଟିଂ ସେଟ୍କୁ ରୋମାଞ୍ଚକର ବନାଇ ଦେଇଥିଲେ ବୋଲି ସୂତ୍ରରୁ ଶୁଣିବାକୁ ମିଳୁଛି।
ଯେତେବେଳେ ସୈଫ୍ ଏବଂ ସାରା ଫିଲ୍ମସିଟିରେ ସୁଟିଂ କରୁଥିଲେ, ସେତେବେଳେ ସାରାଙ୍କ ଭାଇ ଇବ୍ରାହିମ ଅଲୀ ଖାନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ବର୍ତ୍ତମାନ ଲୋକମାନେ ଜାଣିବାକୁ ଆଗ୍ରହୀ ଯେ ଏହି ପ୍ରକଳ୍ପରେ ଇବ୍ରାହିମ ମଧ୍ୟ ସେମାନଙ୍କ ସହ ରହିବେ କି ନାହିଁ।