ଓଲିଉଡ୍‌ର ଜଣାଶୁଣା ନାୟକ ଶୈଳେନ୍ଦ୍ରଙ୍କ ଚାହିଦା ଏବେ ବଢ଼ିଯାଇଛି। ଚଳିତ ବର୍ଷ ଏଯାବତ୍‌ ତାଙ୍କ ଅଭିନୀତ ସର୍ବାଧିକ ୪ଟି ସିନେମା ମୁକ୍ତିଲାଭ କରିସାରିଲାଣି। ଏଗୁଡ଼ିକ ହେଲା ରାଜା ଡି’ଙ୍କ ନିର୍ଦ୍ଦେଶିତ ‘ଘମାଘୋଟ୍’, ଅଭିଷେକ ମିତ୍ରଙ୍କ ନିର୍ଦ୍ଦେଶିତ ‘ଫାଷ୍ଟ୍‌ ଲଭ୍’, ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ଛିରେ ନନୀ ଛି’ ଓ ଅଶ୍ବିନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ‘ଡେଲିଭରି ବୟ ୨।’ ଅନ୍ୟ କୌଣସି ନାୟକଙ୍କର ଏତେସଂଖ୍ୟକ ଓଡ଼ିଆ ସିନେମା ଏ ବର୍ଷ ବଡ଼ ପରଦାକୁ ଆସିନାହିଁ।

Advertisment

ଏବେ ପୁଣି ତାଙ୍କୁ ମିଳିଛି ଆଉ ଏକ ନୂଆ ସିନେମା। ‘ଉତ୍ପାତ’ ଶୀର୍ଷକ ଏହି ସିନେମାର ନିର୍ଦ୍ଦେଶକ ହେଲେ ରାଜା ଡି। ଉଲ୍ଲେଖନୀୟ କଥାହେଲା, କ୍ରମାଗତ ଭାବେ ‘ଦଶମ’ ଓ ‘ଘମାଘୋଟ୍’ ପରେ ଏହି ଛବିରେ ପୁଣି ଥରେ ନାୟକ ସାଜି ରାଜା ଡି’ଙ୍କ ସହ ହ୍ୟାଟ୍ରିକ୍ କରିଛନ୍ତି ଶୈଳେନ୍ଦ୍ର। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥାହେଲା, ‘ଉତ୍ପାତ’ରେ ନାୟକ ଭୂମିକା ଲାଗି ପ୍ରଥମେ ସ୍ବରାଜଙ୍କୁ ଚୟନ କରାଯାଇଥିଲା, ହେଲେ ଡେଟ୍‌ସ୍‌ ସମସ୍ୟା ଉପୁଜିବାରୁ ତାଙ୍କ ସ୍ଥାନରେ ଶୈଳେନ୍ଦ୍ରଙ୍କୁ ନିଆଯାଇଛି। ‘ଘମାଘୋଟ୍’ ଭଳି ଏହାର ଶୀର୍ଷକରୁ ହିଁ ଜଣାଯାଉଛି ଯେ ଏହା ଏକ ଭିନ୍ନ ଧରଣର ଆକ୍‌ସନ୍ ଫିଲ୍ମ। ଉଭୟ ରୋମାଣ୍ଟିକ୍ ଓ ଆକ୍‌ସନ୍ ଫିଲ୍ମରେ ନାୟକ ଭାବେ ଦର୍ଶକ ଶୈଳେନ୍ଦ୍ରଙ୍କୁ ପସନ୍ଦ କରିଛନ୍ତି।