ହୋ ଭାଷାର ପ୍ରଥମ ସିନେମାରେ ଏହି ଓଲିଉଡ ନାୟକ

ଭୁବନେଶ୍ୱର: ଓଲିଉଡ଼୍‍ର ଲୋକପ୍ରିୟ ନିର୍ଦ୍ଦେଶକ ସଂଗ୍ରାମ ବିଶ୍ୱାଳଙ୍କ ସୁପୁତ୍ର ସାଜନ୍‌ ଏବେ ତାଙ୍କର ଦୁଇଟି ସିନେମାକୁ ନେଇ ବେଶ୍‌ ଆଶାବାଦୀ। ହଁ ସାଜନ୍‌ ବିଶ୍ୱାଳଙ୍କ ଦୁଇଟି ଆଗାମୀ ସିନେମା ହେଲା ‘ରାମ୍‌ ନାମ୍‌ ସତ୍ୟ ହେ’ଓ ‘ଆମ୍‌ଗେ ଜୁଳୀ’। ‘ଆମ୍‌କେ ଜୁଳୀ’ ହେଉଛି ‘ହୋ’ ଭାଷାରେ ନିର୍ମିତ ଏକ ସିନେମା ମଧ୍ୟ। ‘ଆମ୍‌କେ ଜୁଳୀ’ଏକ ପ୍ରେମ ତ୍ରିକୋଣ ଆଧାରିତ ସିନେମା ବୋଲି ଜଣାଯାଉଛି।ଏହି ଫିଲ୍ମରେ ସାଜନଙ୍କୁ ଜଣେ ରୋମାଣ୍ଟିକ୍‌ ହିରୋ ଭାବେ ଦର୍ଶକ ଦେଖିବାକୁ ପାଇବେ।ହୋ ସମାଜ୍‌ ଫିଲ୍ମ ଏକାଡ଼େମି ନିବେଦିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସଂଗ୍ରାମ ବିଶ୍ୱାଳ। ଏହା ମଧ୍ୟ ତାଙ୍କର ପ୍ରଥମ ‘ହୋ’ ଭାଷାର ସିନେମା। ଏହା ପୂର୍ବରୁ ସଂଗ୍ରାମ ବିଶ୍ୱାଳ ଓଡ଼ିଆ ଚଳଚ୍ଚିତ୍ର  ‘ରଖିଲେ ଶିବ ମାରିବ କିଏ’, ‘ସକଳ  ତୀର୍ଥ ତୋ’ଚରଣେ’,‘ଧର୍ମନିକିତି’‘ବିଧାତା’,‘ମହାସଂଗ୍ରାମ’,‘ତୋ ଆଖି ମୋ’ ଆଇନା,‘ଆଇଲଭ୍‌ ମାଇଁ ଇଣ୍ଡିଆ’ଓ ‘ଲାଲ୍‌ ଟୁକୁଟୁକୁ ସାଧବ ବୋହୂ’ଆଦି ରେ ନିର୍ଦ୍ଦେଶକ ଭାବେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ।ପ୍ରାୟ ଏଗାର ବର୍ଷ ପରେ ସଂଗ୍ରାମ ନର୍ଦ୍ଦେଶକ କ୍ଷେତ୍ରକୁ ଫେରିଛନ୍ତି।

‘ଆମ୍‌କେ ଜୁଳୀ’ର କାହାଣୀ ଓ ସଂଳାପ ଲେଖକ ହେଲେ ଡ଼ମ୍ବରୁଧର ହୋନ୍ନାଗା। ଜୀବନ ସିଂହ କୁଦାଦାହ ଓ ମଣିକରାମ ବାଦ୍ରା ଏହାର ଗୀତିକାର। ଏଥିରେ କଣ୍ଠଦାନ କରିଛନ୍ତି ଓଲିଉଡ଼୍‍ର ଜଣାଶୁଣା କଣ୍ଠଶିଳ୍ପୀ କୁମାର ବାପି,ପମି ତପୁ ଓ ବିଷ୍ଣୁ ମୋହନ କବି। ଦିନେଶ କୁମାର ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ।

ଅପରପକ୍ଷରେ ସାଜନ୍‌ଙ୍କ ଅଭିନୀତ ଅନ୍ୟ ସିନେମା ‘ରାମ ନାମ ସତ୍ୟ ହେ’ରେ ତାଙ୍କୁ ଆକସନ୍‌ ରୋଲ୍‌ରେ ଦେଖିବାକୁ ପାଇବେ ଦର୍ଶକ।ଏହାର ନିର୍ଦ୍ଦେଶନା ଦେଇଛନ୍ତି ଜିତୁ ରାଉତ।

ସମ୍ବନ୍ଧିତ ଖବର