ବଡ଼ ପରଦାରେ ଆସିବ ‘ଶକ୍ତିମାନ’

ଭାରତର ପ୍ରଥମ ସୁପରହିରୋ ‘ଶକ୍ତିମାନ’ ପୁଣି ଥରେ ‌ଫେରିବ। କିନ୍ତୁ ଏଥର ଛୋଟ ପରଦାରେ ନୁହେଁ, ବଡ଼ ପରଦାରେ ଓ ବିଶାଳ ରୂପରେ ଆସିବ। ୯୦ ଦଶକର ଏହି ସୋ’‌ ସେତେବେଳେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିବା ବେଳେ ଏବେ ଲକ୍‌ଡାଉନ୍‌ ସମୟରେ ବି ଏହା ବେଶ୍‌ କ୍ରେଜ୍‌ ସୃଷ୍ଟି କରିଥିଲା। ଏହାର ଲୋକପ୍ରିୟତାକୁ ଦେଖି ଏହାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ନିଜେ ଶକ୍ତିମାନ ଅର୍ଥାତ୍‌ ଏହାର ଅଭିନେତା ତଥା ପ୍ରଯୋଜକ ମୁକେଶ ଖାନ୍ନା। ହଲିଉଡ୍‌ ଚଳଚ୍ଚିତ୍ର ‘ଆଭେଞ୍ଜର’ ଯେଉଁଭଳି ଭାବେ ଅଲଗା ଅଲଗା ଭାଗରେ ରିଲିଜ୍ କରାଯାଇଥିଲା, ଠିକ୍ ସେହିଭଳି ‘ଶକ୍ତିମାନ’କୁ ମଧ୍ୟ ତିଆରି କରାଯିବ। ଚର୍ଚ୍ଚା ହେଉଛି ଯେ, ଏହି ଫିଲ୍ମର ୩ଟି ଭାଗ ରହିବ ଓ ‘ଶକ୍ତିମାନ’ର ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ କାହାଣୀକୁ ଚଳଚ୍ଚିତ୍ରର ଆକାର ଦିଆଯିବ। ଭାରତୀୟ ସୁପରହିରୋ ଚଳଚ୍ଚିତ୍ର ‘କ୍ରିସ୍’ ଓ ‘ରା-ଓ୍ବାନ୍’ ଠାରୁ ବି ଏହା ବଡ଼ ଫିଲ୍ମ ହେବ। ଏପରିକି ଫିଲ୍ମର ବଜେଟ୍ ଖୁବ୍ ଅଧିକ ରହିବ ଓ ଏହାକୁ ବଡ଼ ସ୍ତରରେ ରିଲିଜ୍ କରାଯିବ। ଏ ବିଷୟରେ ମୁକେଶ ଖାନ୍ନା କହିଛନ୍ତି, ଏହା ମୋ ପାଇଁ କୌଣସି ସ୍ବପ୍ନଠାରୁ କମ୍ ନୁହେଁ। ଏବେ ଫିଲ୍ମ ପାଇଁ ଆମେ ଏକ ବଡ଼ ଚେହେରାର ସନ୍ଧାନ କରୁଛୁ। ଯେଉଁ ପର୍ଯ୍ୟନ୍ତ ତାହା ଚୂଡ଼ାନ୍ତ ହୋଇନାହିଁ, ଆମେ କୌଣସି ପ୍ରକାର ଆନୁଷ୍ଠାନିକ ଘୋଷଣା କରିପାରିବୁ ନାହିଁ। ମିଳିଥିବା ଖବର ଅନୁସାରେ ‘ଶକ୍ତିମାନ’ ଫିଲ୍ମର ପ୍ରଥମ ଭାଗକୁ ୨୦୨୧ରେ ରିଲିଜ୍ କରାଯାଇପାରେ। ଫିଲ୍ମଟି ପିଲାଙ୍କୁ ବିଶେ​‌ଷ ଭାବରେ ଦୃଷ୍ଟିରେ ରଖି କରାଯିବ। ପୂର୍ବଭଳି ଅଧର୍ମ ଉପରେ ଧର୍ମର ଜୟ ଏହି ଚଳଚ୍ଚିତ୍ରର ବି‌ଷୟବସ୍ତୁ ରହିବ। ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ଅର୍ଥାତ ଶକ୍ତିମାନର ଷ୍ଟାର କାଷ୍ଟ ଚୂଡ଼ାନ୍ତ ହେବା ପରେ ଅନ୍ୟ ଭୂମିକା ପାଇଁ ଅଭିନେତା ଅଭିନେତ୍ରୀ ଚୟନ କରାଯିବ। ଏଥିରେ ମୁକେଶ ଖାନ୍ନା ଶକ୍ତିମାନ ହେବେ କି ନାହିଁ ତାହା ମଧ୍ୟ ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର