ନୂଆଦିଲ୍ଲୀ: ଶୁକ୍ରବାର ରିଲିଜ୍ ହୋଇଥିଲା ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’। ଏହି ଫିଲ୍ମର ଟିଜର ଓ ଟ୍ରେଲର ଧମାଲ ମଚାଇଥିବା ବେଳେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ାଇଥିଲା। ଫିଲ୍ମ ରିଲିଜ୍ ପରେ ବାହୁବଲୀ ପରେ ଏହା ପ୍ରଭାସଙ୍କ ବ୍ଲକବଷ୍ଟର ଫିଲ୍ମ ହେବ ବୋଲି ସିନେ ସମୀକ୍ଷକ ମତ ରଖିଥିଲେ। ପ୍ରଥମ ଦିନର ଆୟରୁ ଏହା ପ୍ରମାଣ ହୋଇଛି। ‘ସାଲାର’ ୨୦୨୩ରେ ରିଲିଜ୍ ହୋଇଥିବା ଫିଲ୍ମ 'ପଠାନ', 'ଯବାନ', 'ଆନିମଲ'କୁ କାଟିଛି। ୪୦୦କୋଟି ବଜେଟରେ ନିର୍ମାଣ ହୋଇଥିବା ଫିଲ୍ମ ଖୁବ ଶୀଘ୍ର ବକ୍ସ ଅଫିସ କିଙ୍ଗ ପାଲଟିବ ବୋଲି ସିନେ ସମୀକ୍ଷକ ମତ ରଖିଛନ୍ତି।
ମିଳିଥିବା ସୂଚନା ମୁତାବକ, ରିଲିଜର ପ୍ରଥମ ଦିନରେ କେବଳ ଭାରତରେ ‘ସାଲାର’ ୯୫କୋଟି ଟଙ୍କା ଆୟ କରିଛି। ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ‘ସାଲାର’ ସର୍ବାଧିକ ଆୟ କରିଥିବା ଜଣାପଡ଼ିଛି। ଏହି ୨ଟି ରାଜ୍ୟରେ ଫିଲ୍ମ ୭୦କୋଟି ଟଙ୍କା ଆୟ କରିଛି। ଏହା ସହ କର୍ଣ୍ଣାଟକ ଏବଂ କେରଳରେ ମଧ୍ୟ ଭଲ ପ୍ରଦର୍ଶନ କରିଛି ଫିଲ୍ମ। ଏଠାରେ ଫିଲ୍ମଟି ଯଥାକ୍ରମେ ୧୨କୋଟି ଏବଂ ୫କୋଟି ଟଙ୍କା ଆୟ କରି ରେକର୍ଡ କରିଛି।
'ପଠାନ' ଭାରତରେ ପ୍ରଥମ ଦିନରେ ୫୭କୋଟି ଟଙ୍କା ଆୟ କରିଥିବାବେଳେ 'ଯବାନ' ଏବଂ 'ଆନିମଲ' ଯଥାକ୍ରମେ ୭୫କୋଟି ଏବଂ ୬୩କୋଟି ଟଙ୍କା ଆୟ କରିଥିଲା। ଏବେ ସାଲାର ରିଲିଜ୍ ଦିନ ହିଁ ୯୫କୋଟି ଟଙ୍କା ଆୟ କରି ୨୦୨୩ ମସିହାର ସବୁଠୁ ବଡ଼ ଓପନିଂ କରିଥିବା ଫିଲ୍ମ ହୋଇସାରିଛି। ଆଗକୁ ଫିଲ୍ମ ଅନେକ ବଡ଼ ବଡ଼ ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି।