ନୂଆଦିଲ୍ଲୀ: ହୋମ୍ବଲେ ଫିଲ୍ମସ୍ ଭାରତୀୟ ସିନେମାର ପ୍ରତିଷ୍ଠିତ ପ୍ରଯୋଜନା ସଂସ୍ଥା ମଧ୍ୟରୁ ଅନ୍ୟତମ। ଏହି ପ୍ରଡକ୍ସନ୍ ହାଉସ୍ ‘କେଜିଏଫ୍ ପାର୍ଟ ୧’ ଏବଂ ୨ ଓ ‘କାନ୍ତାରା’ ଭଳି ଫିଲ୍ମର ପ୍ରଯୋଜନା କରି ଦର୍ଶକଙ୍କ ମନୋରଞ୍ଜନ କରିଛି। ବର୍ତ୍ତମାନ ହୋମ୍ବଲେ ଫିଲ୍ମସ ଏହାର ପରବର୍ତ୍ତୀ ବଡ ବଜେଟ ଫିଲ୍ମ ‘ସାଲାର ପାର୍ଟ- ୧’ର ପ୍ରଯୋଜନା କରିଛି। ଫିଲ୍ମରେ ବାହୁବଲୀ ତାରକା ପ୍ରଭାସ ମୁଖ୍ୟ ଭୂମିକାରେ ଥିବା ବେଳେ ‘କେଜିଏଫ’ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ରର ଟ୍ରେଲରକୁ ଜବରଦସ୍ତ ପ୍ରତିକ୍ରିୟା ମିଳିବା ପରେ ଫିଲ୍ମକୁ ନେଇ ଦର୍ଶକ ଉତ୍ସାହିତ ଅଛନ୍ତି।

Advertisment

ରିଲିଜ୍ ହେବାର ଏକ ସପ୍ତାହ ପୂର୍ବରୁ ଅର୍ଥାତ୍ ଆଜିଠାରୁ 'ସାଲାର'ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି। ପ୍ରଭାସଙ୍କ ଫିଲ୍ମ ପ୍ରଥମ ଦିନରେ ୩୧ହଜାରରୁ ଅଧିକ ଟିକେଟ୍ ବିକ୍ରି କରି ୬୦ ଲକ୍ଷରୁ ଅଧିକ ଆୟ କରିଥିବା ସାମ୍ନାକୁ ଆସିଛି। ସାକନିଲ୍କର ରିପୋର୍ଟ ଅନୁଯାୟୀ, 'ସାଲାର୍' ପ୍ରଥମ ଦିନରେ ୩୧,୨୮୬ଟିକେଟ୍ ବିକ୍ରି କରିସାରିଛି ଏବଂ ୬୬.୮୧ ଲକ୍ଷ ଟଙ୍କା ସଂଗ୍ରହ କରିଛି। ଫିଲ୍ମଟି ତେଲୁଗୁ, ମଲୟାଲମ୍, ତାମିଲ୍, କନ୍ନଡ ଏବଂ ହିନ୍ଦୀ ସମେତ ୫ଟି ଭାଷାରେ ମୁକ୍ତିଲାଭ କରିବ। ଏପର୍ଯ୍ୟନ୍ତ ହିନ୍ଦୀ ଭାଷାରେ ଅଗ୍ରୀମ ବୁକିଂର ଆୟ ସାମ୍ନାକୁ ଆସିନାହିଁ। ଅନ୍ୟପକ୍ଷରେ ଫିଲ୍ମର ପ୍ରଥମ ଟିକେଟ୍ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲୀ କିଣିଥିବା ଜଣାପଡ଼ିଛି। ଟିକେଟ୍ କିଣିବା ପରେ ବାହୁବଲୀ ନିର୍ଦ୍ଦେଶକ ‘ସାଲାର’ର କାଷ୍ଟ ସହିତ ଏକ ଫଟୋ ମଧ୍ୟ ଉଠାଇଥିଲେ, ଯାହାକୁ ନିର୍ମାତାମାନେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।