ଟୋକିଓ: ଜାପାନରେ ଏବେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଚଳଚ୍ଚିତ୍ର 'ସାଲାର: ପାର୍ଟ-୧' ରିଲିଜ ହୋଇଛି ଓ ସେଠାକାର ଦର୍ଶକଙ୍କ ହୃଦୟ ଜିତୁଛି | ଏହି ଚଳଚ୍ଚିତ୍ର ୨୦୨୩ ମସିହାରେ ଭାରତରେ ମୁକ୍ତିଲାଭ କରିଥିଲା | ଏହା ଜାପାନରେ ୫ ଜୁଲାଇ ୨୦୨୪ରେ ମୁକ୍ତିଲାଭ କରିଥିଲା। ଭାରତରେ ମୁକ୍ତିଲାଭ କରିବାର ପ୍ରାୟ ୭ ମାସ ପରେ ଜାପାନରେ 'ସାଲାର' ମୁକ୍ତିଲାଭ କରିଥିଲା। ପ୍ରଭାସଙ୍କ ଏହି ଚଳଚ୍ଚିତ୍ର ବର୍ତ୍ତମାନ ଜାପାନରେ ତୃତୀୟ ସର୍ବାଧିକ ଓପନିଂ ଭାରତୀୟ ଚଳଚ୍ଚିତ୍ରରେ ପରିଣତ ହୋଇଛି | ଏହି ଚଳଚ୍ଚିତ୍ରଟି ପ୍ରଥମ ସପ୍ତାହ ଶେଷରେ ୧୮.୨୨ ନିୟୁତ ଜାପାନୀ ୟେନ୍ ସଂଗ୍ରହ କରିଛି, ଯାହା ଏକ ରେକର୍ଡ ହୋଇପାରିଛି | ଜାପାନର ବକ୍ସ ଅଫିସରେ 'ସାଲାର' ଯଦିଓ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି, ତଥାପି ରାମ ଚରଣ ଏବଂ ଜୁନିୟର ଏନଟିଆରଙ୍କ ଆରଆରଆର ଏବେ ବି ଏକ ନମ୍ବର ସ୍ଥାନରେ ରହିଛି | ଆରଆରଆର ୪୪.୩୫ ନିୟୁତ ଜାପାନୀ ୟେନ ରୋଜଗାର ସହିତ ଏକ ନମ୍ବରରେ ରହିଛି |
ଅନ୍ୟପଟେ ଦ୍ଵିତୀୟ ସ୍ଥାନରେ ପ୍ରଭାସଙ୍କ ଫିଲ୍ମ 'ସାହୋ' ରହିଛି | 'ସାହୋ'ର ପ୍ରଥମ ୱିକେଣ୍ଡ୍ କଲେକ୍ସନ୍ ଥିଲା ୨୩ ନିୟୁତ ଜାପାନୀ ୟେନ | ଶାହାରୁଖ ଖାନଙ୍କ 'ପଠାନ' ୧୪.୬୯ ନିୟୁତ ଜାପାନୀ ୟେନ ସଂଗ୍ରହ ସହିତ ଚତୁର୍ଥ ସ୍ଥାନରେ ଅଛି | ଯେତେବେଳେ କି ଆମୀର ଖାନଙ୍କ ୨୦୧୬ ବ୍ଲକବଷ୍ଟର ଚଳଚ୍ଚିତ୍ର 'ଦଙ୍ଗଲ' ୧୨.୪୦ ମିଲିୟନ ଜାପାନୀ ୟେନର ସଂଗ୍ରହ ସହିତ ପଞ୍ଚମ ସ୍ଥାନରେ ଅଛି | ରବିବାର ପର୍ଯ୍ୟନ୍ତ ଜାପାନରେ ୧୮.୨୨ ମିଲିୟନ ଜାପାନୀ ୟେନ ରୋଜଗାର କରିଥିବା ପ୍ରଭାସଙ୍କ ଫିଲ୍ମ ସାଲାର ସୋମବାର ଏବଂ ମଙ୍ଗଳବାର ଦିନ ଜାପାନର ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି | ମଙ୍ଗଳବାର ସୁଦ୍ଧା ଫିଲ୍ମର ମୋଟ ରୋଜଗାର ୨୩ ନିୟୁତ ଜାପାନୀ ୟେନରେ ପହଞ୍ଚିଛି | 'ସାଲାର'ର ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ନୀଲ। ୨୨ ଡିସେମ୍ବର ୨୦୨୩ରେ ଭାରତରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରର ବଜେଟ୍ ୨୭୦ କୋଟି ଟଙ୍କା ଥିଲା। ଏହି ଚଳଚ୍ଚିତ୍ରଟି ୭୧୫ କୋଟି ଟଙ୍କା ରୋଜଗାର କରିଥିଲା। ପ୍ରଭାସଙ୍କ ବ୍ୟତୀତ ଶ୍ରୀୟା ରେଡ୍ଡୀ, ପ୍ରୀତିରାଜ ସୁକୁମାରନ୍ ଏବଂ ଶ୍ରୁତି ହାସନ ମଧ୍ୟ 'ସାଲାର'ରେ ଅଭିନୟ କରିଥିଲେ।