ନୂଆଦିଲ୍ଲୀ: ଶୁକ୍ରବାର ରିଲିଜ୍ ହୋଇଥିଲା ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’। ଏହି ଫିଲ୍ମର ଟିଜର ଓ ଟ୍ରେଲର ଧମାଲ ମଚାଇଥିବା ବେଳେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ାଇଥିଲା। ଫିଲ୍ମ ରିଲିଜ୍ ପରେ ବାହୁବଲୀ ପରେ ଏହା ପ୍ରଭାସଙ୍କ ବ୍ଲକବଷ୍ଟର ଫିଲ୍ମ ହେବ ବୋଲି ସିନେ ସମୀକ୍ଷକ ମତ ରଖିଥିଲେ। ପ୍ରଥମ ଦିନର ଆୟରୁ ଏହା ପ୍ରମାଣ ହୋଇଛି। ‘ସାଲାର’ ୨୦୨୩ରେ ରିଲିଜ୍ ହୋଇଥିବା ଫିଲ୍ମ ‘ପଠାନ’, ‘ଯବାନ’, ‘ଆନିମଲ’କୁ କାଟିଛି। ୪୦୦କୋଟି ବଜେଟରେ ନିର୍ମାଣ ହୋଇଥିବା ଫିଲ୍ମ ଖୁବ ଶୀଘ୍ର ବକ୍ସ ଅଫିସ କିଙ୍ଗ ପାଲଟିବ ବୋଲି ସିନେ ସମୀକ୍ଷକ ମତ ରଖିଛନ୍ତି।

Advertisment

ହେଲେ ପ୍ରଭାସଙ୍କୁ ଅଭିନୟ ଆସେ ନାହିଁ ବୋଲି ଏବେ ଜଣେ ଅଭିନେତା ପ୍ରତିକ୍ରିୟା ରଖିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଭିନେତାଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି କମାଲ ଆର ଖାନ୍ ଓରଫ କେଆରକେ। ନିଜକୁ ସିନେ ସମୀକ୍ଷକ ବୋଲି କହି ଅନେକ ଫିଲ୍ମର ସମୀକ୍ଷା କରିଛନ୍ତି କେଆରକେ। ଏ‌ବେ ‘ସାଲାର’ର ସମୀକ୍ଷା କରି କେଆରକେ କହିଛନ୍ତି, 'ପ୍ରଭାସ ଅଭିନୟ ଜାଣନ୍ତି ନାହିଁ। ସେ ଅଭିନୟ ଆରମ୍ଭ କରିବା ଦିନଠାରୁ କେବଳ ଗୋଟିଏ ପ୍ରକାରର ଅଭିନୟ କରିଆସିଛନ୍ତି। ତାଙ୍କୁ ଅଲଗା କିଛି ଜଣାନାହିଁ। ଫିଲ୍ମର ଅଧା ଦୃଶ୍ୟ ଅନ୍ଧକାରରେ ସୁଟିଂ ହୋଇଥିବାରୁ କିଏ କାହା ସହ ଲଢ଼ୁଛି ଜଣାପଡ଼ୁନାହିଁ। ମୋଟ ଉପରେ, ଏହି ଚଳଚ୍ଚିତ୍ରଟି ବହୁତ ଖରାପ ଏବଂ ହାସ୍ୟାସ୍ପଦ। ଏହି ଚଳଚ୍ଚିତ୍ରରେ ତର୍କ କରିବା ଭଳି କୌଣସି ଜିନିଷ ନାହିଁ। ଏହା ତିନି ଘଣ୍ଟାର ନିର୍ଯାତନା ଯାହାକୁ କେହି ସହି ପାରିବେ ନାହିଁ। ଚଳଚ୍ଚିତ୍ର ଶେଷ ହେବା ପୂର୍ବରୁ ଅନେକ ଲୋକ ପାଗଳ ହୋଇ ଥିଏଟରରୁ ବାହାରିବେ। ଏହା ଏକ ଚଳଚ୍ଚିତ୍ର ଯେଉଁଥିରେ କୌଣସି ମନୋରଞ୍ଜନ ନାହିଁ, ସଙ୍ଗୀତ ନାହିଁ, ଭାବନା ନାହିଁ, କିଛି ନାହିଁ। କେବଳ ନିର୍ଯାତନା ଅଛି।